ପୁରୀ କଣାସ ଅଞ୍ଚଳରେ ଡାଇରିଆରେ ଜଣକର ମୃତ୍ୟୁ ନେଇ ସ୍ପଷ୍ଟ କଲା ସ୍ଵାସ୍ଥ୍ୟ ବିଭାଗ

1 min read

କଣାସ: ପୁରୀ କଣାସ ଅଞ୍ଚଳରେ ଡାଇରିଆରେ ଜଣକର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ସ୍ଵାସ୍ଥ୍ୟ ବିଭାଗ। ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଝାଡ଼ାବାନ୍ତିରେ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଥିଲା । ସେଥିରୁ ଜଣେ ଡାଇରିଆରେ ମରିଥିବା ସ୍ପଷ୍ଟ ହୋଇଛି। ଅନ୍ୟ ଦୁଇ ଜଣଙ୍କର ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେ କହିଛନ୍ତି, କଣାସ ଅଞ୍ଚଳରେ ୭-୮ ଦିନ ହେଲା ବ୍ୟାପିଛି ଝାଡ଼ାବାନ୍ତି। ପ୍ରଥମେ ଏକ ଭୋଜିରୁ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ତାପରେ ଆଖପାଖ ୫ଟି ଗାଁକୁ ଏହା ବ୍ୟାପିଛି । ବର୍ତ୍ତମାନ ସୁଦ୍ଧା ୭୧ ଜଣ ସଂକ୍ରମିତ ହେଇଛନ୍ତି । ଦୟା ନଦୀରୁ ଦୂଷିତ ଜଳ ବ୍ୟବହାର ଯୋଗୁଁ ଡାଇରିଆ ବ୍ୟାପିଥିବା ଜଣାପଡ଼ିଛି। ନମୁନା ପରୀକ୍ଷାରୁ ଇ-କୋଲି ବ୍ୟାକ୍ଟେରିଆ ଚିହ୍ନଟ ହୋଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ଅଛି । ଭୁବନେଶ୍ଵରରୁ ୨ଟି ଟିମ ସହ ସ୍ବାସ୍ଥ୍ୟ ବିଭାଗର ମୋଟ ୮ଟି ଟିମ ସେହି ଅଞ୍ଚଳରେ ନିୟୋଜିତ ହୋଇଛନ୍ତି । ନଦୀର ସବୁ ଘାଟକୁ ସୁପର କ୍ଲୋରିନେସନ୍ ବା ବିଶୋଧନ କରାଯାଉଛି । ସରକାରଙ୍କ ପକ୍ଷରୁ ବିଶୁଦ୍ଧ ଜଳ ଯୋଗାଇ ଦିଆଯାଉଥିବା କହିଛନ୍ତି, ଡାକ୍ତର ନୀଳକଣ୍ଠ ମିଶ୍ର।