ମୋହନଙ୍କ ଅଧାଗଢ଼ା ମନ୍ତ୍ରିମଣ୍ଡଳକୁ ନେଇ ବଢୁଛି ଚାପ, ମୁହଁ ଖୋଲିଲେଣି ବିଧାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧାଗଢ଼ା ମନ୍ତ୍ରିମଣ୍ଡଳକୁ ନେଇ ବିଜେପି ବିଧାୟକ ମୁହଁ ଖୋଲିବା ଆରମ୍ଭ କଲେଣି । ମନ୍ତ୍ରିମଣ୍ଡଳରେ ୬ଟି ଆସନ ଖାଲି ଥିବାରୁ ଏସବୁ ମୁଖ୍ୟମନ୍ତ୍ରୀ ପୂରଣ କରିବେ କି ନାହିଁ ତାକୁ ନେଇ ବିଧାୟକଙ୍କ ଭିତରେ ଆରମ୍ଭ ହୋଇଛି ଗୁଞ୍ଜରଣ । କିଛି ଦିନର ନିରବତା ପରେ ବିଧାୟକମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ କି ନାହିଁ, ସେ ନେଇ ମୁହଁ ଖୋଲିଛନ୍ତି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ କି ନାହିଁ ସେ ଆଶାରେ ବହୁ ଆଶାୟୀ ବିଧାୟକମାନେ ରଖିଛନ୍ତି ଭିନ୍ନଭିନ୍ନ ବୟାନ । ଯାହାକୁ ନେଇ ଉଷ୍ମ ହୋଇଛି ବିଜେପି ରାଜନୀତି ।

କାହିଁକି ହୋଇପାରୁନି ମନ୍ତ୍ରିମଣ୍ଡଳ ପୂରଣ ? ମଜବୁରୀ ନାଁ ନୂଆ ରଣନୀତି ? ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧାଗଢ଼ା ମନ୍ତ୍ରୀମଣ୍ଡଳକୁ ନେଇ ମୁହଁ ଖୋଲିଲେଣି ଦଳୀୟ ବିଧାୟକ । ୬ ମନ୍ତ୍ରୀ ପଦ ଖାଲି ପଡ଼ିଥିବା ବେଳେ ବିଧାୟକମାନେ ପଦପୂରଣ ନେଇ ମୁହଁ ଖୋଲିଛନ୍ତି । ଆହୁରି ୬ ମନ୍ତ୍ରୀ ପଦ ପୂରଣ କରିବା ଆବଶ୍ୟକ ଅଛି ବୋଲି କହିଲେଣି ।

ବରିଷ୍ଠ ବିଧାୟକମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ଆବଶ୍ୟକ ବୋଲି କହିଛନ୍ତି ବିଜେପିର ବରିଷ୍ଠ ବିଧାୟକ ପ୍ରକାଶ ସୋରେନ । ସେହିପରି ବିଧାୟକ ଫକୀର ମୋହନ ନାୟକ କହିଛନ୍ତି, ବିଧାୟକମାନଙ୍କ ମଧ୍ୟରୁ ଯେଉଁମାନେ ଯୋଗ୍ୟ ସେମାନେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ । ଦଳ ଯଦି ମତେ ଦାୟିତ୍ବ ଦେବ ତେବେ ମୁଁ ପ୍ରସ୍ତୁତ ଅଛି । ତେବେ ମନ୍ତ୍ରିମଣ୍ଡଳର ପୂରଣ ହେବ କି ନାହିଁ ତାହା ଦିଲ୍ଲୀ ଓ ରାଜ୍ୟ ନେତୃତ୍ବ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ମନ୍ତ୍ରୀପଦ ଆଶାରେ ଥିବା ବିଧାୟକମାନେ ଜଣକ ପରେ ଜଣେ ଧୀରେ ଧୀରେ ମୁହଁ ଖୋଲିବା ବିଜେପି ନେତୃତ୍ବ ଉପରେ ଚାପ ପକାଇଛି ।

ବ୍ୟବସ୍ଥା ଅନୁସାରେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଇ ୨୧ ଜଣ ମନ୍ତ୍ରୀ ରହିପାରିବେ । ମୋହନଙ୍କ ମନ୍ତ୍ରିମଣ୍ଡଳରେ ୧୫ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି । ଦଳର ବହୁ ବରିଷ୍ଠ ବିଧାୟକ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଆଶାୟୀ ଥିବା ଖୋଲାଖୋଲି ଭାବରେ ମୁହଁ ଖୋଲିଛନ୍ତି । ବିଧାୟକ ସରୋଜ ପାଢୀ ଓ ଲକ୍ଷ୍ମଣ ବାଗ କିନ୍ତୁ ମନ୍ତ୍ରୀମଣ୍ଡଳ ଖାଲି ପଡ଼ିବା ନେଇ ମାପିଚୁପି ବୟାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କାହାକୁ ମନ୍ତ୍ରିମଣ୍ଡଳରେ  ସାମିଲ କରିବେ କି ନାହିଁ, ତାହା ତାଙ୍କର ଇଚ୍ଛାଧୀନ ବ୍ଯାପାର ବୋଲି ବିଧାୟକ ସରୋଜ ପାଢୀ କହିଛନ୍ତି । ଅନ୍ୟପଟେ ୭ ମାସ ପରେ ବିଜେପି ମନ୍ତ୍ରୀପଦ ପୂରଣ ନକରିବା ଓ ଦାୟିତ୍ବ ବଣ୍ଟନ ନକରିବା ନେଇ ବିଜେପିକୁ କଟାକ୍ଷ କରିଛି ବିଜେଡି । ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ କହିଛନ୍ତି, ରାଜ୍ୟରେ ଏବେ ଅଧାଗଢ ସରକାର ଚାଲିଛି ।

ମୋହନଙ୍କ ମନ୍ତ୍ରୀମଣ୍ଡଳରେ ୧୭ଟି ଜିଲ୍ଲା ମନ୍ତ୍ରୀଶୂନ୍ୟ । ଦଳର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ଭାସ୍କର ମଡ଼େଇ, ପ୍ରକାଶ ସୋରେନ, ସନାତନ ବିଜୁଳି, ପଦ୍ମଲୋଚନ ପଣ୍ଡାଙ୍କ ପରି ନେତା ମନ୍ତ୍ରୀମଣ୍ଡଳ ବାହାରେ ଅଛନ୍ତି । ଚର୍ଚ୍ଚା ହେଉଛି ନୂଆବର୍ଷରେ ମୋହନ ପୂର୍ଣ୍ଣାଙ୍ଗ ମନ୍ତ୍ରୀମଣ୍ଡଳ ଗଢିବେ । ଆଉ ଏବେ ବିଜେପି ବିଧାୟକମାନେ  ଅଧାଗଢା ମନ୍ତ୍ରୀ ପରିଷଦକୁ ନେଇ ମୁହଁ ଖୋଲିବା ପରେ ମୋହନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ କି ନାହିଁ ତାକୁ ରାଜ୍ୟବାସୀଙ୍କ ଅପେକ୍ଷା ।