୮ ଦଫା ଦାବି ନେଇ ଯୁବ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

1 min read

ଭୁବନେଶ୍ବର:  ୮ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଘେରାଉ କରିଛି ଯୁବ କଂଗ୍ରେସ l ଯୁବ ଅସନ୍ତୋଷ ସମାବେଶ ପାଳନ କରିବା ସହ ବିଜେପି ସରକାର ବିରୋଧରେ ଦଳର ଯୁବ ନେତା ଦେଇଛନ୍ତି ରଣ ହୁଙ୍କାର ।

ଜାତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଉଦୟ ଭାନୁ ଚିପଙ୍କ ନେତୃତ୍ୱରେ ଶତାଧିକ ଯୁବ ଓ ଛାତ୍ର କଂଗ୍ରେସ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟରେ ଶାସନକୁ ଆସିବା ପରେ ବିଜେପି ଓଡିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଛି ବୋଲି  ଅଭିଯୋଗ କରିଛି ଯୁବ କଂଗ୍ରେସ । ବିଜେପି ସରକାର ଆସିଲା ପରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ଓଡ଼ିଶାର ଧୀରେ ଧୀରେ ବିହାର ଓ ଉତ୍ତରପ୍ରଦେଶ ରାଜ୍ୟରେ ପରିଣତ ହେଉଥିବାରୁ ଏହାକୁ ବିରୋଧ କରିଛି ଯୁବ କଂଗ୍ରେସ ।

କଂଗ୍ରେସ ଭବନରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଏଁ ଶୋଭାଯାତ୍ରାରେ ଆସିଥିଲା ଯୁବ କଂଗ୍ରେସର ରାଲି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ପୋଲିସ ସହ ହୋଇଥିଲା ଧସ୍ତାଧସ୍ତି । ପ୍ରାୟ ୨୦ ମିନିଟ ଧରି ପୋଲିସ ଓ ଯୁବ କଂଗ୍ରେସ ମଧ୍ୟରେ ଲୋୟର ପିଏମଜିରେ ଟଣାଓଟରା ଲାଗିଥିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯୁବ କଂଗ୍ରେସ ମାଡ଼ି ଯାଉଥିବାରୁ ପୋଲିସ ବଳ ପୂର୍ବକ ଯୁବ କଂଗ୍ରେସ ନେତାଙ୍କୁ ଗରିଫ କରିଛି ।