ବ୍ରହ୍ମଗିରିକୁ ପ୍ରାକୃତିକ ବିପର୍ଯ୍ୟୟରେ ସାମିଲ କରିବା ଦାବିରେ ବିଜେଡିର ବିକ୍ଷୋଭ

ପୁରୀ: ବ୍ରହ୍ମଗିରିକୁ ପ୍ରାକୃତିକ ବିପର୍ଯ୍ୟୟରେ ସାମିଲ କର । ଅତିଶୀଘ୍ର ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଅ । ଚାଷୀ ହତାଶ ହେବା ପୂର୍ବରୁ ସହଯୋଗର ହାତ ବଢାଉ ପ୍ରଶାସନ । ଏଭଳି ଦାବି ନେଇ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ନିକଟରେ ବିଜେଡି ପକ୍ଷରୁ ଆଜି ଏକ ବିରାଟ ଗଣ ଧାରଣା ଆୟୋଜନ କରାଯାଇଛି ।

ଏଥିରେ ବିଜେଡିର ଶତାଧିକ କର୍ମୀଙ୍କ ସହ  ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ସହ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା ଯୋଗ ଦେଇଥିଲେ । ଧାରଣାରେ ଶତାଧିକ ଚାଷୀ ମଧ୍ୟ ସାମିଲ ହୋଇଛନ୍ତି । ଚାଷୀ ବିପଦରେ ଥିବା ବେଳେ ସରକାର ପ୍ରଚାରରେ ମାତିଥିବା ଅଭିଯୋଗ କରି କଟୁ ସମାଲୋଚନା କରିଛି ବିଜେଡି ।

ପୁରୀ ଜିଲ୍ଲାରେ ୬ଟି ବ୍ଲକ ସରକାରଙ୍କ ବିପର୍ଯ୍ୟୟ ତାଲିକାରେ ଥିବା ବେଳେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ କିପରି ତାଲିକାରୁ ବାଦ୍ ପଡ଼ିଲା ବୋଲି ପ୍ରଶ୍ନ କରାଯାଇଛି । ସ୍ଥାନୀୟ  ପ୍ରଶାସନ କିପରି ତ୍ରୁଟିପୂର୍ଣ୍ଣ ରିପୋର୍ଟ ପ୍ରଦାନ କଲା ବୋଲି ମଧ୍ୟ ପ୍ରଶ୍ନ ଉଠିଛି । ଧାନ ମଣ୍ଡିରେ କଟଣି ଛଟଣି କଥା ମଧ୍ୟ ଉଠାଇ ସରକାରଙ୍କୁ ସମାଲୋଚନା କରିଛି ବିଜେଡି । ପରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ତହସିଲଦାରଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି ।