ଘୋଡୀରେ ବସି ପୁଅ ଘରକୁ ବରଯାତ୍ରୀ ନେଇ ଗଲା କନିଆ

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରଦେଶର ଖଣ୍ଡୱାଠାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଯଦିଓ ବିବାହରେ ଆପଣ ବରକୁ ଘୋଡାରେ ବସିଥିବାର ଦେଖିଥିବେ, କିନ୍ତୁ ଖଣ୍ଡୱାରେ କନିଆ ଘୋଡୀରେ ବସି ବର ଘରକୁ ଯାଉଥିବାର ଦେଖିବାକୁ ମିଳିଛି । ପିତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ କନିଆ ଏଭଳି କରିଥିବା ସୂଚନା ମିଳିଛି । ବାପା ତାଙ୍କର ଝିଅର ବରଯାତ୍ରୀ ନେଇ ପୁଅ ଘରକୁ ବାହାରିଥିଲେ । କନିଆ ବେଶଭୂଷା ଧାରଣ କରି ଘୋଡୀରେ ବସି ଡିଜେ ଏବଂ ବାଜା ବଜାଇ ନାଚ ଗୀତ କରି ବର ଘରକୁ ବାହାରିଥିଲା ।ଖଣ୍ଡୱା ଠାରୁ ୮କିଲୋମିଟର ଦୂରରେ ଥିବା ସୁରଗାଓଁ ଯୋଶୀ ଗାଁର କୃଷକ ନାନାଜୀ ଚୌଧୁରୀଙ୍କ ଝିଅର ବିବାହ ଏବେ ସମଗ୍ର ସହରରେ ଚର୍ଚ୍ଚା ହେଉଛି ।

ବାସ୍ତବରେ, କୃଷକ ଜଣକ ତାଙ୍କ ଝିଅକୁ ତାଙ୍କ ପୁଅ ବୋଲି ଭାବି ଲାଳନପାଳନ କରିଛନ୍ତି ।  ବର୍ତ୍ତମାନ ସେ ତାଙ୍କ ଝିଅର ବିବାହରେ ପୁଅର ବରଯାତ୍ରୀ ସ୍ବପ୍ନକୁ ପୂରଣ କରିବା ପାଇଁ ଏଭଳି ବିବାହ କରିଛନ୍ତି । ରୀତିନୀତି ଅନୁଯାୟୀ  ଝିଅଟି ଘୋଡୀ ଉପରେ ବସିଥିଲା ଏବଂ ପରିବାର ସହିତ ନାଚ ଓ ଗୀତ ଗାଇ ଘଟଣାସ୍ଥଳରେ ପହଞ୍ଚିଥିଲେ  । ଅନେକ ଲୋକ ଏହି ଦୃଶ୍ୟ ଦେଖିବାକୁ ଧାଇଁ ଆସିଥିଲେ ।

ସମାଜରେ ଏହା ପ୍ରାୟତଃ ଦେଖାଯାଏ ଯେ ଗୋଟିଏ ଝିଅର ବିବାହରେ ଭେଦଭାବ ରହିଥାଏ, ଯେତେବେଳେ କି ପୁଅର ବିବାହରେ ବହୁ ଅର୍ଥ ଖର୍ଚ୍ଚ ହୋଇଥାଏ  । କିନ୍ତୁ, ସମୟ ବଦଳିବା ସହିତ ଗ୍ରାମାଞ୍ଚଳରେ ଲୋକଙ୍କ ଚିନ୍ତାଧାରା ମଧ୍ୟ ବଦଳୁଛି  । କନ୍ୟା ଭାଗ୍ୟଶ୍ରୀ ଚୌଧୁରୀଙ୍କ ପିତା ନାନାଜୀ ଚୌଧୁରୀ ତାଙ୍କ ଝିଅକୁ ସମ୍ମାନର ସହିତ ପଠାଇବାକୁ ସ୍ୱପ୍ନ ଦେଖିଥିଲେ। ତେଣୁ ସେ ଧୁମଧାମରେ ନିଜ ଝିଅର ବିବାହ କଲେ । ଭାଗାଶ୍ରୀ ଚୌଧୁରୀ ଏକ ଘରୋଇ ବ୍ୟାଙ୍କରେ କାମ କରୁଥିବା ଅଜୟ ଜିରାତିଙ୍କୁ ବିବାହ କରିଛନ୍ତି ।

କନ୍ୟାର ମଧ୍ୟ ଇଚ୍ଛା ଥିଲା ..
କନ୍ୟାର ଭାଇ ରବିନ୍ଦ ଚୌଧୁରୀ କହିଛନ୍ତି ଯେ ଆମ ସମାଜରେ କନ୍ୟାକୁ ଘୋଡୀ ରେ ଚଢିବାକୁ ସୁଯୋଗ ଦିଆଯାଏ ନାହିଁ । ପ୍ରଥା ଅନୁଯାୟୀ କେବଳ ବରକୁ ଘୋଡୀ ରେ ଚଢିବାକୁ ସୁଯୋଗ ଦିଆଯାଇଥାଏ । କିନ୍ତୁ, ଆମେ ଆମ ଝିଅକୁ ପୁଅ ପରି ଲାଳନପାଳନ କରିଛୁ । ସେ ଆମ ପରିବାରର ଲାଡଲି ଅଟେ ।  ସେ ମଧ୍ୟ ବର ପରି ଘୋଡୀ ଚଢିବାକୁ ଚାହୁଁଥିଲା । ତାଙ୍କର ଇଚ୍ଛା ପୂରଣ କରିବା ପାଇଁ ଆମେ ପରମ୍ପରା ମଧ୍ୟ ଭାଙ୍ଗିଲୁ  । ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁଭଳି ଭାବରେ ଆମେ ଆମ ଝିଅକୁ ବିଦାୟ ଦେଇଛୁ ସେଥିରେ ଗ୍ରାମବାସୀଙ୍କ ଠାରୁ ଆମକୁ ସମ୍ପୂର୍ଣ୍ଣ ସମର୍ଥନ ମିଳିଥିଲା ।

୧ ଘଣ୍ଟା ପର୍ଯନ୍ତ ଘୋଡୀରେ ବସିରହିଲା କନ୍ୟା ..

କନ୍ୟା ଭାଗ୍ୟଶ୍ରୀ କହିଥିଲେ ଯେ ମୋ ବାପାଙ୍କର ଏକ ସ୍ୱପ୍ନ ଥିଲା ଯେ ମୁଁ ଘୋଡୀ ଉପରେ ବସିକି ଯାଏ । ମୋର ମଧ୍ୟ ସମାନ ସ୍ୱପ୍ନ ଥିଲା | ମୁଁ ଘୋଡୀରେ ବସି ବିବାହ କରିବାକୁ ଯିବି । ମୋ ପରିବାର, ମୋର ପିତାମାତା ଏଥିରେ ମୋତେ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ । ମୁଁ ପ୍ରାୟ ଏକ ଘଣ୍ଟା ପାଇଁ ଘୋଡୀ ଉପରେ ବସିଥିଲି ଏବଂ ମୋତେ ବହୁତ ଭଲ ଲାଗିଲା  ।