ବିଶ୍ବର ସର୍ବଶକ୍ତିମାନ ରାଷ୍ଟ୍ରର ଦ୍ବିତୀୟ ଥର ଲାଗି ମୁକୁଟ ପିନ୍ଧିବେ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ: ବଦଳିବ ଆମେରିକା ଇତିହାସ। ଆଜି ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବେ ଡୋନାଲ୍ଡ ଟ୍ରମ୍ପ । ବିଶ୍ବର ସର୍ବଶକ୍ତିମାନ ରାଷ୍ଟ୍ରର ଦ୍ବିତୀୟ ଥର ଲାଗି ମୁକୁଟ ପିନ୍ଧିବେ ଟ୍ରମ୍ପ । ଏକ ଭରପୂର ଉତ୍ସବରେ ଶପଥ ନେବା ପରେ ସେ ଉଦବୋଧନ ଦେବେ । ପରେ ଯିବେ ହ୍ବାଇଟ ହାଉସ । ତାଙ୍କୁ ଶପଥ କରାଇବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜନ ରବର୍ଟସ । ବିଶ୍ବର ୨୩ଟି ରାଷ୍ଟ୍ରର ପ୍ରାୟ ୭ ହଜାର ୫୦୦ ଅତିଥି ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ। ପରେଡରେ ଭାଗ ନେବେ ଆମେରିକାର ସେନା, ସାମୁଦ୍ରିକ ସେନା, ନୌସେନା, ବାୟୁସେନା, ତଟରକ୍ଷୀ ବାହିନୀ ଓ ମର୍ଚ୍ଚାଣ୍ଟ ମାରିନ ଏକାଡେମି ।

ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାଶିଂଟନଙ୍କ କାଳରୁ ଅର୍ଥାତ ୧୭୮୯ରୁ ଶପଥ ଗ୍ରହଣ ଉତ୍ସବରେ ଚିତ୍ତାକର୍ଷକ ପରେଡ ବ୍ୟବସ୍ଥା ରହିଆସିଛି । ପ୍ରାୟ ୨ ଦଶମିକ ୪ କିଲୋମିଟର ଧରି ପେନସିଲଭାନିଆ ଆଭେନ୍ଯୁରେ ପରେଡ ଚାଲିବ । ୧୮୬୫ରେ ଆବ୍ରାହମ ଲିଙ୍କନଙ୍କ ଶପଥ ଗ୍ରହଣ କାଳରୁ ପ୍ରଥମ ଥର ଲାଗି ଏହି ଉତ୍ସବରେ ସାମିଲ ହୋଇଥିଲେ ମୂଳ ଆମେରିକା ନିବାସୀ ଓ ଆଫ୍ରିକୀୟ ଆମେରିକୀ । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଶପଥ ଗ୍ରହଣ ଉତ୍ସବକୁ ଫ୍ରାଙ୍କଲିନ ଡି. ରୁଜଭେଲ୍ଟ ବାତିଲ କରିଥିଲେ । ୧୯୮୫ରେ ରୋନାଲ୍ଡ ରେଗାନଙ୍କ ଦ୍ବିତୀୟ ପାଳିର ଶପଥ ଉତ୍ସବ ଶୀତ କାରଣରୁ ଇଣ୍ଡୋରରେ ହୋଇଥିଲା ।

ଉତ୍ସବରେ ସାମିଲ ହେବେ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଟେସଲା ଓ ସ୍ପେସ ଏକ୍ସ ସିଇଓ ଏଲନ ମସ୍କ, ଗୁଗୁଲ ସିଇଓ ସୁନ୍ଦର ପିଚାଇ, ଆପଲ ସିଇଓ ଟିମ୍ କୁକ, ଓପନ ଏଆଇ ସିଇଓ ସାମ୍ ଅଲଟମ୍ଯାନ, ମେଟା ସିଇଓ ମାର୍କ ଜୁକରବର୍ଗ, ଟିକ ଟକ ସିଇଓ ସୋଉଚ ଜି ଚିଉ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ଯକ୍ଷ ମୁକେଶ ଅମ୍ବାନୀ ଓ ରିଲାଏନ୍ସ ଫାଉଣ୍ଡେସନ ଅଧ୍ଯକ୍ଷା ନୀତା ଅମ୍ବାନୀ ପ୍ରମୁଖ। ଉତ୍ସବରେ ସାମିଲ ହେବେ ନାହିଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ, ଉତ୍ତରକୋରିଆ ସୁପ୍ରିମ ଲିଡର କିମ ଜଙ୍ଗ ଉନ।