ଅଚାନକ ମହାକୁମ୍ଭର ଆଶ୍ରମ ଛାଡ଼ି କୁଆଡ଼େ ଚାଲିଗଲେ IIT ବାବା!

1 min read

ପ୍ରୟାଗରାଜ: IIT ବାବା ନାମରେ ଭାଇରଲ ହୋଇଥିବା ଅଭୟ ସିଂହ ଅଚାନକ ପ୍ରୟାଗରାଜ ମହାକୁମ୍ଭର ଆଶ୍ରମ ଛାଡ଼ି ଦେଇଛନ୍ତି । ଅଭୟ ସିଂହ କୌଣସି ଅଜ୍ଞାତ ସ୍ଥାନକୁ ଚାଲିଯାଇଛନ୍ତି । ଗତକାଲି ରାତିରେ ଜୁନା ଅଖାଡ଼େର ୧୬ ମଣ୍ଡୀ ଆଶ୍ରମରେ ଅଭୟଙ୍କ ପିତା-ମାତା ତାଙ୍କୁ ଖୋଜି ଖୋଜି ପହଞ୍ଚିଥିଲେ । ମାତ୍ର ସେତେବେଳକୁ ଅଭୟ ଆଶ୍ରମ ଛାଡ଼ି ସାରିଥିଲେ । ତେବେ ପିତା-ମାତା ଆଶ୍ରମରେ ପହଞ୍ଚିଥିବା ନେଇ କୌଣସି ସୂଚନା ଦିଆଯାଇ ନାହିଁ ।

ଆଶ୍ରମରେ ଥିବା ଅନ୍ୟ ସାଧୁଙ୍କ ମୁତାବକ, ଅଭୟ ସିଂହ କ୍ରମାଗତ ଭାବେ ଇଣ୍ଟରଭ୍ୟୁ ଦେଇ ଆସୁଥିଲେ  । ତା’ର ପ୍ରଭାବ ତାଙ୍କ ବ୍ରେନ ଉପରେ ପଡ଼ୁଥିଲା । ଅଭୟ ଏପରି କିଛି କଥା ମିଡ଼ିଆକୁ କହିଥିଲେ, ଯାହାକି ଉଚିତ ନଥିଲା । ଏସବୁ ମଧ୍ୟରେ ଅଭୟ ଆଶ୍ରମ ଛାଡ଼ି କୁଆଡ଼େ ଚାଲିଯାଇଛନ୍ତି । ଅଭୟଙ୍କ ମସ୍ତିଷ୍କର ସନ୍ତୁଳନ ବିଗିଡ଼ି ଯାଇଥିଲା । ଅଭୟ ଆଶ୍ରମରେ ନିଶା ନେଉଥିଲେ । ନିଶାରେ ଥାଇ ସେ ଇଣ୍ଟରଭ୍ୟୁ ଦେଇଥିଲେ ଓ ତାହାକୁ ଠିକ୍ ବୋଲି ଭାବି ନେଇଥିଲେ । ଏପରିକି ତାଙ୍କୁ ଜୁନା ଅଖାଡ଼େର ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଅବଧେଶାନନ୍ଦ ଗିରିଙ୍କ ନିକଟକୁ ମଧ୍ୟ ନିଆଯାଇଥିଲା । ଅଭୟଙ୍କ ମାନସିକ ସ୍ଥିତିକୁ ଦେଖିବା ପରେ ସେ ଆଶ୍ରମ ଛାଡ଼ିଦେବା ଉଚିତ ବୋଲି ଜୁନା ଅଖାଡ଼େ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ଅଭୟ ବିଳମ୍ବିତ ରାତିରେ ଆଶ୍ରମ ଛାଡ଼ି ଚାଲିଯାଇଥିଲେ ବୋଲି ତାଙ୍କୁ ଆଚାର୍ଯ୍ୟଙ୍କ ନିକଟକୁ ନେଇଥିବା କିଛି ସାଧୁ କହିଛନ୍ତି ।

ଜଣାପଡ଼ିଛି ଯେ, ପାଖାପାଖି ୪୦ ଦିନ ପୂବର୍ରୁ ସୋମେଶ୍ବର ପୁରୀ ନାମକ ସନ୍ନ୍ୟାସୀଙ୍କ ସହ ଅଭୟ ସିଂହ ସାକ୍ଷାତ କରିଥିଲେ । ସୋମେଶ୍ବର ପୁରୀ କହିଥିଲେ, ଅଭୟ ଯେଉଁ ଆଧ୍ୟାତ୍ମିକ ସ୍ତରରେ ରହିଛନ୍ତି, ସେଥିପାଇଁ ଗୁରୁଙ୍କର ନିହାତି ଆବଶ୍ୟକ । ତେବେ ଅଭୟ କାହାକୁ ନିଜର ଗୁରୁ ଭାବେ ଗ୍ରହଣ କରିନଥିଲେ । ମାତ୍ର ତାଙ୍କର ଆଧ୍ୟାତ୍ମିକ ସ୍ଥିତି ବହୁତ ଉପରେ ରହିଥିଲା । ପ୍ରୟାଗରାଜ ମହାକୁମ୍ଭରେ ସୋସିଆଲ ମିଡ଼ିଆରେ ଛାଇ ରହିଥିବା IITian ବାବା ଅଭୟ ସିଂହଙ୍କ ପୈତୃକ ଗ୍ରାମ ହେଉଛି ହରିୟାଣାର ଝଜ୍ଜର ସାସରୌଲୀ । ତାଙ୍କର ପିତା ଜଣେ ଓକିଲ ଓ ଝଜ୍ଜରର ପ୍ରଧାନ ମଧ୍ୟ  ରହିଥିଲେ ।