ବୁଲଡୋଜନର ନେଇଗଲା ଗରିବର ରୋଜଗାର: ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ନ୍ୟାୟ ଭିକ୍ଷା

ଭୁବନେଶ୍ବର: ପେଟରେ ଭୋକ, ଆଖିରେ ଲୁହ । ଯାଇଛି ରୋଜଗାର, ପରିବାର ଚଳିବା ମୁସ୍କିଲ । କମିଶନଙ୍କୁ ଦୁଃଖ ଜଣାଇଲେ ଉଠା ଦୋକାନୀ । ଭୁବନେଶ୍ୱରର ରାସ୍ତା କଡରେ ଦୀର୍ଘ ବର୍ଷ ଧରି ଛୋଟ ଛୋଟ ଦୋକାନ କରି ପେଟ ପୋଷୁଥିଲେ । ସରକାର କୌଣସି ପୂର୍ବ ସୂଚନା କିମ୍ବା ଥଇଥାନ ନ କରି ଚଢାଇଦେଲେ ବୁଲଡୋଜର । ରାତି ଅଧିଆ ବହୁ ଗରିବ ପରିବାରର ସଂସାର ଉଚ୍ଛନ୍ନ ହୋଇଗଲା । ପ୍ରତିବାଦରେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ । ଫ୍ରଣ୍ଟର ଏକ ପ୍ରତିନିଧି ଦଳ ନେତୃତ୍ୱରେ ଦୋକାନ ଭାଙ୍ଗିଥିବା ପରିବାରର କିଛି ସଦସ୍ୟ କମିଶନଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି । ଏହା ଗରିବ ପରିବାରର ଜୀବନ ଜୀବିକାକୁ ମାଡ଼ ଓ ମାନବାଧିକାର ଷ୍ଟାଣ୍ଡର୍ଡକୁ ମଧ୍ୟ ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଛି । ଜନମଙ୍ଗଳ ରାଷ୍ଟ୍ରରେ ଲୋକଙ୍କ ସୁରକ୍ଷା ସରକାରଙ୍କ ମୌଳିକ କର୍ତ୍ତବ୍ୟ । କିନ୍ତୁ ଏସବୁ ନ କରି ସେମାନଙ୍କ ପରିବାର ଉଜାଡି ଦିଆଯାଇଛି । ତୁରନ୍ତ ସେମାନଙ୍କୁ ବିକଳ୍ପ ସ୍ଥାନ, ବିନା ସୁଧରେ ଋଣ ଓ ପୁଣିଥରେ ବ୍ଯବସାୟ କରିବାକୁ ସୁଯୋଗ ଦେବାକୁ ଦାବି ହୋଇଛି।

ଅନ୍ୟ ବିଜେପି ଶାସିତ ରାଜ୍ୟ ଭଳି ଓଡ଼ିଶାରେ ବୁଲଡୋଜର ଜଷ୍ଟିସ ଆରମ୍ଭ ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ଜୀବିକା ଦେଇ ପାରୁ ନାହାନ୍ତି କିନ୍ତୁ ଜୀବିକା ନେଇ ଯାଉଛନ୍ତି । ତେଣୁ ଦୋକାନ ଭାଙ୍ଗିବା ସମ୍ପର୍କରେ ଏକ ସ୍ୱତନ୍ତ୍ର ଗାଇଡ଼ଲାଇନ କରିବାକୁ କମିଶନଙ୍କ ନିକଟରେ ନିବେଦନ କରାଯାଇଛି । ସୌନ୍ଦର୍ଯ୍ୟକରଣକୁ କେହି ବିରୋଧ କରୁ ନାହାନ୍ତି । କିନ୍ତୁ ଓଡ଼ିଶାରେ ତାଲିବାନୀ ଢାଞ୍ଚାରେ ଏସବୁ କରିବାକୁ ଗ୍ରହଣ କରାଯିବ ନାହିଁ । ଦୋକାନ ଭାଙ୍ଗିବା ପଛରେ ସରକାରଙ୍କ ଆକ୍ରୋଶ ଥିବା ଅଭିଯୋଗ ହୋଇଛି । ଏହାକୁ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ ।

ନଜର ପକାନ୍ତୁ