ମକର ସଂକ୍ରାନ୍ତିରେ ଉପବାସରେ ରହିଲେ ପ୍ରଭୁ ଲିଙ୍ଗରାଜ, ବସିଛନ୍ତି ମନ୍ଦିର ବାହାରେ

1 min read

ଭୁବନେଶ୍ବର: ମକର ସଂକ୍ରାନ୍ତିରେ ଉପାସରେ ଲିଙ୍ଗରାଜ । ଏବେ ବି ମନ୍ଦିର ବାହାରେ ରହିଛନ୍ତି ମହାପ୍ରଭୁ । ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ନୀତିକାନ୍ତି ବନ୍ଦ । ଜରୁରୀ ବୈଠକ ଡାକିଲେ ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ । ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଲା ବୈଠକ । କିନ୍ତୁ ବାହାରି ପାରିଲାନି ସମାଧାନର ବାଟ । ଗତକାଲି କ୍ଷୀର ଆଉଟା ନୀତି ବଡୁ ନିଯୋଗ କରିବା ପରେ ବିବାଦ ଆରମ୍ଭ ହୋଇଥିଲା । ଏହି ନୀତିକୁ ସୁଆର ମହାସୁଆର ନିଯୋଗ କରିବାକୁ ଦାବି କରିଥିଲେ । ଏହିଠାରୁ ବିବାଦ ଆରମ୍ଭ ପରେ ନୀତି ବନ୍ଦ ଆଉ ଫଳ ହେଲା ଠାକୁର ଉପାସ । ମକର ସଂକ୍ରାନ୍ତିରେ ଏଭଳି ଘଟଣା ଘଟିଥିଲେ ବି ସରକାର ଓ ମନ୍ଦିର ଟ୍ରଷ୍ଟବୋର୍ଡ ହାତ ଟେକି ଦେଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ବଢିଛି ।

ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ବିଦ୍ରୋହ, ଠାକୁର ଖାଡ଼ା ଉପାସ । ମକର ସଂକ୍ରାନ୍ତିରେ ବି ମହାପ୍ରଭୁ ହୀନସ୍ତା । ନା ହେଲା ମଙ୍ଗଳ ଆଳତି, ନା ହେଲା ଅବକାଶ ନୀତି । ମକର ମଣ୍ଡପରେ ଏବେ ବି ବସିଛନ୍ତି ଲିଙ୍ଗରାଜ । ଘନ ଘନ ବୈଠକରେ ବି ହେଲାନି ସମାଧାନ । ନୀତିକାନ୍ତିକୁ ନେଇ ବଡୁ-ବ୍ରାହ୍ମଣ-ସୁଆର-ପୂଜାପଣ୍ଡା ନିଯୋଗ ମଧ୍ୟରେ ଲାଗିଛି ବିବାଦ । ସମାଧାନ ପାଇଁ ଚେଷ୍ଟା ଚାଲିଛି କହି ହାତ ଟେକି ଦେଲେ ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ । ଉତ୍ତେଜନା ପାଟିତୁଣ୍ଡରେ ସରିଲା ବୈଠକ । କେବେ ହେବ ସ୍ବାଭାବିକ ନୀତିକାନ୍ତି କାହା ପାଖରେ ନାହିଁ ଉତ୍ତର ।

ମକର ସଂକ୍ରାନ୍ତି ପାଇଁ ମହାପ୍ରଭୁଙ୍କ ନିକଟରେ କ୍ଷୀର ଆଉଟା ହୋଇ ଘୃତ କମ୍ବଳ ଲାଗି କରାଯାଏ । ଏହି ନୀତିକାନ୍ତି ବଡୁ ସେବାୟତ କରିବା ପରେ ଆରମ୍ଭ ହୋଇଛି ବିବାଦ । ଗୋଟିଏ ପଟେ ଏହି ନୀତି ବଡୁ ସେବାୟତ କରିବା ପାଇଁ ଲେଖା ଅଛି ବୋଲି ଅଡି ବସିଥିବା ବେଳେ ସେହି ସେବାକୁ ଆବାହମାନ କାଳରୁ ସୁଆର ସେବାୟତ କରୁଥିଲେ ବୋଲି ସେମାନେ ଦାବି କରିଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ ।

ସେପଟେ ବିବାଦକୁ ସମାଧାନ କରିବା ପାଇଁ ନାକେଦମ ହୋଇଛି ମନ୍ଦିର ପ୍ରଶାସନ । ଉଭୟ ପକ୍ଷଙ୍କୁ ନେଇ ଆଜି ମନ୍ଦିର କାର୍ଯ୍ୟାଳୟରେ ବୈଠକ ହୋଇଥିଲା । ବୈଠକ ଆରମ୍ଭରୁ ଉତ୍ତେଜନା ପ୍ରକାଶ ପାଇବା ପରେ ଅଧାରୁ ଚାଲିଯାଇଥିଲେ ବ୍ରାହ୍ମଣ, ପୂଜାପଣ୍ଡା ଏବଂ ସୁଆର ନିଯୋଗ । ପରେ ଖାତା ଖତିଆନ୍ ଧରି ବଡୁ ନିଯୋଗ ନିଜର ଦାବି ରଖିଥିଲା । ତେବେ ଟ୍ରଷ୍ଟବୋର୍ଡ ପୁଣି ସମସ୍ତଙ୍କୁ ଡାକି ପୃଥକ ପୃଥକ ଭାବରେ ଆଲୋଚନା କରିଥିଲା । ଗତକାଲି ଯେଉଁଠାରୁ ନୀତି ବନ୍ଦ ରହିଛି ସେହିଠାରୁ ଆରମ୍ଭ କରିବା ପାଇଁ ଅଡି ବସିଥିଲା ବ୍ରାହ୍ମଣ ନିଯୋଗ । ଯାହା ଫଳରେ ବିବାଦ ସମାଧାନ ହୋଇପାରିନାହିଁ । ତେବେ ବିବାଦ ସମାଧାନ ପାଇଁ ଚେଷ୍ଟା ଚାଲିଛି । ନୀତିକାନ୍ତି ନେଇ ଏକ ତାଲିକା ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ । କେବେ ସ୍ବାଭାବିକ ସ୍ଥିତି ହେବ ସେ ନେଇ ସ୍ପଷ୍ଟ କରିନାହାଁନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି ମକର ସଂକ୍ରାନ୍ତିରେ ଲିଙ୍ଗରାଜ ଉପବାସରେ ଥିଲେ ବି ସମାଧାନ କରିବା ପାଇଁ କାହିଁକି ଉଦ୍ୟମ କରୁନାହାଁନ୍ତି ରାଜ୍ୟ ସରକାର ? ଆଇନ ମନ୍ତ୍ରୀ କାହିଁକି ହସ୍ତକ୍ଷେପ କରୁନାହାଁନ୍ତି ? ସ୍ଥାନୀୟ ଜନ ପ୍ରତିନିଧି କୁଆଡେ ଗଲେ ? ମକର ମଣ୍ଡପରୁ କେବେ ମନ୍ଦିରକୁ ଫେରିବେ ଲିଙ୍ଗରାଜ ? ନା ସେବାୟତ ସେବାୟତ ବିବାଦରେ ଏମିତି ଦିନ ପରେ ଦିନ ଉପବାସରେ ରହିବେ ଠାକୁର ?