ଦର ବୃଦ୍ଧି ତାଲିକାରେ ଓଡ଼ିଶା ଏକ ନମ୍ବର: ଓଡ଼ିଶାର ଗ୍ରାମୀଣ ବଜାର ଦେଶର ସବୁଠାରୁ ମହଙ୍ଗା ବଜାର

ଭୁବନେଶ୍ବର: ରାଜ୍ୟରେ ଦରଦାମ୍ ବୃଦ୍ଧି ଅସମ୍ଭାଳ । କେବଳ ଆଳୁ, ପିଆଜ, ପରିବା ନୁହେଁ, ଡାଲି, ତେଲ, ଲୁଣ, ଚାଉଳରେ ଅହେତୁକ ଦରବୃଦ୍ଧି ଖାଉଟିଙ୍କୁ କରୁଛି ଘାଇଲା । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ସ୍ଥିତି ସଙ୍ଗୀନ । ୨୦୨୪ ଡିସେମ୍ବର ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଖୁଚୁରା ମୁଦ୍ରାସ୍ଫୀତି ରିପୋର୍ଟ ଅନୁସାରେ ଦରଦାମ୍ ବୃଦ୍ଧି ତାଲିକାରେ ସାରା ଦେଶରେ ଓଡ଼ିଶା ଏକ ନମ୍ବର । ଖୁଚୁରା ମୁଦ୍ରାସ୍ଫୀତି ଜାତୀୟ ହାର ୫.୨୨ ଥିବା ବେଳେ ଓଡ଼ିଶାରେ ୬.୯୬ ପ୍ରତିଶତରେ ପହଞ୍ଚିଛି । ଓଡ଼ିଶାରେ ମୁଦ୍ରାସ୍ଫୀତି ହାର ବୃଦ୍ଧି ଉଦବେଗଜନକ ହୋଇଛି ।

ଡବଲ ଇଞ୍ଜିନ ସରକାରରେ ଡବଲ୍ ଝଟକା । ଓଡ଼ିଶାର ଗ୍ରାମୀଣ ବଜାର ଦେଶର ସବୁଠାରୁ ମହଙ୍ଗା ବଜାର । ଦରବୃଦ୍ଧି ତାଲିକାରେ ସାରା ଦେଶରେ ଓଡ଼ିଶା ଏକ ନମ୍ବର । ରାଜ୍ୟର ମୁଦ୍ରାସ୍ଫୀତି ବି ଜାତୀୟ ହାରଠାରୁ ଖୁବ୍ ଅଧିକ । ଦରଦାମ୍ ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତାର ପ୍ରସଙ୍ଗ ହୋଇଛି । କେବଳ ଆଳୁ, ପିଆଜ ନୁହେଁ, ବରଂ ତେଲ, ଲୁଣ, ଡାଲି ଦର ବି ଆକାଶଛୁଆଁ । ସହରାଞ୍ଚଳରେ ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ଓଡ଼ିଶାର ହାର ଜାତୀୟ ହାରଠାରୁ ଅଧିକ ରହିଛି । ଦେଶର ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହାର ୫.୭୬ ଥିବା ବେଳେ ଓଡ଼ିଶାରେ ଏହା ୭.୭୯ ରେ ପହଞ୍ଚିଛି । ସହରାଞ୍ଚଳରେ ଜାତୀୟ ହାର ୪.୫୮ ଥିବା ବେଳେ ଓଡ଼ିଶାରେ ମୁଦ୍ରାସ୍ଫୀତି ୪.୭୫ ରହିଛି । ସାମଗ୍ରିକ ଭାବେ ଜାତୀୟ ସ୍ତରରେ ମୁଦ୍ରାସ୍ଫୀତି ୫.୨୨ ଥିବା ବେଳେ ଓଡ଼ିଶାରେ ଏହା ୬.୯୬ ପ୍ରତିଶତ ରହିଛି । ନିଜସ୍ବ ଉତ୍ପାଦନ କମିବା, ଖାଦ୍ୟଦ୍ରବ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତା ବଢିଥିବା ଯୋଗୁଁ ଓଡ଼ିଶାରେ ସ୍ଥିତି ଖରାପ ଆଡ଼କୁ ଯାଉଛି ।

ଖୁଚୁରା ବଜାରରେ ଆଳୁ ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଡିସେମ୍ବର ୨୦୨୩ ତୁଳନାରେ ଆଳୁ ଦର ୧୦୦ ପ୍ରତିଶତ ବଢିଛି । ରିପୋର୍ଟ ଅନୁସାରେ ଆଳୁର କ୍ବିଣ୍ଟାଲ ପିଛା ଦର ଏବେ ୩୩୫୦ଟଙ୍କା ରହିଛି, ଯାହା ସାରା ଦେଶରେ ସର୍ବାଧିକ । ଦରଦାମ୍ ବୃଦ୍ଧି ସାଙ୍ଗକୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଆହୁରି ଦୁର୍ବଳ ହେଉଛି । ଦେଶରେ ଗଚ୍ଛିତ ବୈଦେଶିକ ମୁଦ୍ରା ପରିମାଣ ବି କମୁଛି । ଓଡ଼ିଶା ସରକାର ଗତ ୩ ବର୍ଷରେ କୌଣସି ଋଣ କରି ନଥିବା ବେଳେ ବିଜେପି ସରକାର ପ୍ରଥମ ବଜେଟରେ ୫୫ ହଜାର କୋଟି ଟଙ୍କା ଋଣ କରିବାକୁ ଯୋଜନା କରିଛନ୍ତି । ନବୀନ ସରକାର ଅମଳରେ ଆର୍ଥିକ ପରିଚାଳନାରେ ଓଡ଼ିଶା ଆଗରେ ଥିବା ବେଳେ ଏବେ ସ୍ଥିତି ଉଦବେଗଜନକ ବୋଲି ବିଜେଡ଼ି କହିଛି । ନୂଆ ସରକାର କେବଳ ଉତ୍ସବରେ ମାତିଥିବା ବେଳେ ସାଧାରଣ ଲୋକଙ୍କ ଲାଗି ଚିନ୍ତା କରିବା ପାଇଁ ସମୟ ନାହିଁ ବୋଲି କହିଛି କଂଗ୍ରେସ ।

ରାଜ୍ୟରେ ଲଗାତାର ଭାବେ ଆଳୁ ସଙ୍କଟ ଲାଗି ରହିଛି । ସେପଟେ ଦର କମାଇବା ଲାଗି ସରକାରଙ୍କର ଆନ୍ତରିକତା ନାହିଁ । ଅନ୍ୟ ରାଜ୍ୟରୁ ଆଳୁ ଆସୁଥିବାବେଳେ ପୂର୍ବ ସରକାର ଉପରେ ଦୋଷ ଦେଇ ବିଜେପି ସରକାର ଖସିଯିବାକୁ ବସିଛି ।