ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ ପାର୍ଲାମେଣ୍ଟାରୀ ପ୍ୟାନେଲର ନୋଟିସ୍

1 min read

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପ୍ରସଙ୍ଗକୁ ନେଇ ବିବାଦୀୟ ମନ୍ତବ୍ଯ ଦେଇ ଅଡୁଆରେ ମେଟା ସିଇଓ ମାର୍କ ଜୁକରବର୍ଗ । ତାଙ୍କ ନିକଟକୁ ପାର୍ଲାମେଣ୍ଟାରୀ ପ୍ଯାନେଲ ପକ୍ଷରୁ ସମନ ଜାରି କରାଯିବ ବୋଲି ସୂଚନା ମିଳିଛି । ଜୁକରବର୍ଗ କକହିଥିଲେ,  କୋଭିଡ-୧୯ରେ ଦୁର୍ବଳ ପରିଚାଳନା ଯୋଗୁଁ ଏନଡିଏ ସରକାର ୨୦୨୪ ଲୋକସଭା ନିର୍ବାଚନ ପ୍ରକୃତରେ ହାରିଥିଲା ।

ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତଥା ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, ଏହି ଭୁଲ୍ ସୂଚନା ପ୍ରସାରଣ କରୁଥିବାରୁ ମେଟା କ୍ଷମା ମାଗିବା ଉଚିତ । ଭୁଲ୍ ସୂଚନା ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ଭାବମୂର୍ତ୍ତି କ୍ଷୁଣ୍ଣ କରିଥାଏ । ଭାରତୀୟ ପାର୍ଲାମେଣ୍ଟ ଓ ଭାରତୀୟଙ୍କ ନିକଟରେ ଭୁଲ ସୂଚନା ଲାଗି ମେଟା କ୍ଷମା ପ୍ରାର୍ଥନା କରୁ ।

ଗତ ଜାନୁଆରୀ ୧୦ରେ ଫେସବୁକ ସହ ପ୍ରତିଷ୍ଠାତା ଜୁକରବର୍ଗ କହିଥିଲେ, କୋଭିଡ ୧୯ ପରିଚାଳନାରେ ବିଫଳତା କାରଣରୁ ସେହି ସମୟରେ କ୍ଷମତାସୀନ ଥିବା ବିଶ୍ବର ଅଧିକାଂଶ ସରକାର ଉପରେ ଲୋକଙ୍କ ଆସ୍ଥା ତୁଟିଯାଇଥିଲା । ୨୦୨୪ରେ ଭାରତ ସମେତ ଅନେକ ରାଷ୍ଟ୍ରରେ ନିର୍ବାଚନ ହୋଇଥିଲା । କୋଭିଡ ଜନିତ ଅର୍ଥନୀତି ପରିଚାଳନାରେ ବିଫଳତା ହେତୁ ବିଶ୍ବର ଅଧିକାଂଶ ରାଷ୍ଟ୍ର ନିର୍ବାଚନରେ ହାରିଥିଲେ । ଏହି ମନ୍ତବ୍ଯ ଲାଗି ଜୁକରବର୍ଗଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ର ରେଳବାଇ, ସୂଚନା ଓ ପ୍ରସାରଣ ତଥା ଇଲକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଗତ ୨୦୧୪ ଓ ୨୦୧୯ ନିର୍ବାଚନରେ ଏନଡିଏ ପୂର୍ଣ୍ଣ ସଂଖ୍ଯା ଗରିଷ୍ଠତା ହାସଲ କରିଥିଲେ ବି ୨୦୨୪ ନିର୍ବାଚନରେ ଏନଡିଏ ବିଶେଷ ସଫଳତା ହାସଲ କରି ନଥିଲା ।