ମହାକୁମ୍ଭରେ ସାମିଲ ହେବେ ଲୌରେନ ପାଓ୍ବେଲ ଜବ୍ସ, ସନ୍ୟାସୀ ଭଳି ବିତାଇବେ ଜୀବନ

1 min read

ନନ୍ଦିଘୋଷ ବ୍ୟୁରୋ: ମହାକୁମ୍ଭ ମେଳାକୁ ନେଇ ଉତ୍ସାହିତ ସାରା ଦେଶ । ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି ମହାକୁମ୍ଭ ମେଳା। ତ୍ରିବେଣୀ ସଙ୍ଗମରେ ପ୍ରଥମ ପୁଣ୍ୟ ସ୍ନାନ କରିବାକୁ ଲାଗିଛି ଭକ୍ତ ଭିଡ । ସାଧୁ ସନ୍ଥଙ୍କ ସମେତ ପ୍ରବଳ ଭକ୍ତ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ବୁଡ଼ ପକାଉଛନ୍ତି । ମେଳାରେ ସାଧୁ ସନ୍ଥଙ୍କ ହୋମ ଯଜ୍ଞ ଓ ମନ୍ତ୍ରଧ୍ୱନୀରେ କଂପୁଛି ଚଉଦିଗ । ତେବେ କେବଳ ଦେଶର ନୁହେଁ ବିଦେଶରେ ବାଜିଛି ମେଳାର ବାସ୍ନା । ଏହି ପବିତ୍ର ମେଳାରେ ଯୋଗଦେବାକୁ ଆମେରିକାରୁ ପ୍ରୟାଗରାଜ ଧାଇଁ ଆସିଛନ୍ତି  ଆପଲ କମ୍ପାନୀର ସହ ପ୍ରତିଷ୍ଠାତା ଷ୍ଟୀଭ ଜବ୍ସଙ୍କ ପତ୍ନୀ ଲୌରେନ ପାଓ୍ବେଲ ଜବ୍ସ । ମହାକୁମ୍ଭ ମେଳାରେ ସାମିଲ ହେବାକୁ ସେ ପ୍ରୟାଗରାଜ ଆସିଛନ୍ତି । ଏଠାରେ ସେ କଳ୍ପବାସ କରିବେ ଏବଂ ସାଧୁସନ୍ଥଙ୍କ ଭଳି ଧାର୍ମିକ ଜୀବନ ବିତାଇବେ ।

ଗତ ଶନିବାର ଦିନ ପ୍ରୟାଗରାଜରେ ନିଜ ଗୁରୁ ସ୍ବାମୀ କୈଳାସନନ୍ଦ ଗିରି ଆଖାଡେର ଆଚାର୍ଯ୍ୟ ମହାମଣ୍ଡଳେଶ୍ବରଙ୍କ ଆଶ୍ରମରେ ପହଞ୍ଚିଥିଲେ । ସେ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଆଶ୍ରମରେ ରହିବେ । ଏହାପରେ ଆମେରିକା ଫେରି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ । ନିଜର ୪୦ଜଣ ସଦସ୍ୟଙ୍କ ସହିତ ଲୌରେନ ଶନିବାର ପ୍ରୟାଗରାଜରେ ପହଞ୍ଚିଥିଲେ ।

ନୂଆ ନାଁ ସହିତ ମିଳିଲା ଗୋତ୍ର

ସ୍ବାମୀ କୈଳାସନନ୍ଦଙ୍କ କହିବାନୁଯାୟୀ ଲୌରେନଙ୍କୁ ଗୁରୁଙ୍କ ଗୋତ୍ର ମିଳିବା ପରେ ନୂଆ ନାଁ ଦିଆଯାଇଥିଲା । ଲୌରେନ ସନାତନ ଧର୍ମ ପ୍ରତି ବେଶ ଆକୃଷ୍ଟ ଏବଂ ସେ ମୋତେ ବାପା ବୋଲି ମାନନ୍ତି ଏବଂ ମୁଁ ମଧ୍ୟ ତାଙ୍କୁ ମୋ ଝିଅ ଭଳି ମାନେ । ଲୌରେନ ପାଓ୍ବେଲ ଜବ୍ସକୁ ଅଚ୍ୟୁତ-ଗୋତ୍ର ପ୍ରଦାନ କରାଯାଇଛି । ସେ ଏଠାକୁ ତାଙ୍କ ଗୁରୁଙ୍କ ଦର୍ଶନ ପାଇଁ ଆସିଛନ୍ତି । ଆମେ ତାଙ୍କ ନାଁ କମଳା ରଖିଛୁ । ସେ ଦ୍ବିତୀୟ ଥର ଭାରତ ଆସିଛନ୍ତି ।

ପେଶଓ୍ବାଇ ଉତ୍ସବରେ ହେବେ ସାମିଲ

ସ୍ବାମୀ କୈଳାସନନ୍ଦଙ୍କ ଅନୁଯାୟୀ ଲରେନ୍ ଧ୍ୟାନ ପାଇଁ ଭାରତ ଆସିଛନ୍ତି । ତାଙ୍କୁ ପେଶଓ୍ବାଇ ଉତ୍ସବରେ ସାମିଲ କରାଯିବ । ଦୁନିଆର ସବୁଠାରୁ ଧନୀ ପରିବାରର ଝିଅ ଏଠାରେ ସନ୍ନ୍ୟାସୀ ଭାବରେ ରହିବେ । ମହାକୁମ୍ଭ ମେଳାରେ ୧୪ ଜାନୁୟାରୀରେ ସେ ଶାହି ସ୍ନାନ କରିବେ ଏବଂ ୨୯ଜାନୁୟାରୀ ମୌନୀ ଅମାବାସ୍ୟାରେ ଦ୍ବିତୀୟଥର ଶାହି ସ୍ନାନ କରିବେ ।

କାଶୀ ବିଶ୍ବନାଥ ମନ୍ଦିରରେ ପୂଜାର୍ଚ୍ଚନା

ଲରେନ୍ ଶନିବାର ଦିନ ବାରଣାସୀର କାଶୀ ବିଶ୍ବନାଥ ମନ୍ଦିରରେ ନିଜ ଗୁରୁଙ୍କ ସହିତ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଥିଲା । ଲରେନକୁ ଦୂରରେ ଶିବ ଲିଙ୍ଗର ଦର୍ଶନ କରାଯାଇଥିଲା । କାରଣ ଅନ୍ୟ ଧର୍ମର ଲୋକଙ୍କୁ ଲିଙ୍ଗକୁ ଛୁଇଁବାକୁ ଅନୁମତି ମିଳିନଥାଏ । ଭାରାତୀୟ ବେଶଭୂଷାରେ ତାଙ୍କୁ ମନ୍ଦିରରେ ଦେଖିବାକୁ ମିଳିଥିଲା । ଲୌରେନ ମହାକୁମ୍ଭରେ ଧ୍ୟାନ କରିବା ସହ ସନାତନ ଧର୍ମକୁ ବୁଝିବାକୁ ପ୍ରୟାସ କରିବେ । ତାଙ୍କର ଗୁରୁଙ୍କ ସହ ସାକ୍ଷାତ କରିବାକୁ ସେ ଏଠାକୁ ଆସୁଛନ୍ତି ବୋଲି କୁହାଯାଇଛି । ସେ ଦ୍ବିତୀୟ ଥର ପାଇଁ ଭାରତ ଆସୁଛନ୍ତି ।  ଖୁବଶୀଘ୍ର ଲୌରେନଙ୍କ ନୂଆ ନାମ କମଲା ହୋଇଯିବ ଓ ସେ ଆଗାମୀ ୧୭ ଦିନ ପର୍ଯ୍ୟନ୍ତ ପ୍ରୟାଗରାଜରେ ନିରଞ୍ଜନୀ ଅଖାଡେର ମହମଣ୍ଡଳେଶ୍ବର କୈଳାସନନ୍ଦ ଗିରିଙ୍କ କଥା ଶୁଣିବେ । ଏଥିସହିତ ସେ ୧୦ ଦିନ ପର୍ଯ୍ୟନ୍ତ କଳ୍ପବାସର ନିୟମର ପାଳନ କରିବେ ।