ଆମେରିକାରେ ଥମୁନି ଜଙ୍ଗଲ ନିଆଁ: ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି
ନନ୍ଦିଘୋଷ ବ୍ୟୁରୋ: ଗତ ୬ଦିନ ଧରି ଜଳୁଛି ଆମେରିକା । ନିଆଁର ଆଁରେ ପୋଡି ପାଉଁଶ ହେଇଗଲାଣି ଆମେରିକାର ସୌନ୍ଦର୍ଯ୍ୟ । ଆମେରିକା ଇତିହାସରେ ଏହା ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ବୋଲି ଚର୍ଚ୍ଚା ହେଉଛି । ଯାହା ଆମେରିକାର ପ୍ରାୟ ୪୦କିଲୋମିଟର କ୍ଷେତ୍ରକୁ ନିଜ ଛାରଖାର କରିସାରିଲାଣି । ବଡ ବଡ ତାରକାଙ୍କ ବଙ୍ଗଳା ମଧ୍ୟ ପୋଡି ପାଉଁଶ ହେଇଗଲାଣି । ଶୁଷ୍କ ପବନ ଲସ ଏଞ୍ଜେଲସର ନିଆଁକୁ ଆହୁରି ଅଣାୟତ୍ତ କରିସାରିଲାଣି । ଲସ୍ ଆଞ୍ଜେଲସରେ ଲାଗିଥିବା ନିଆଁରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨୪କୁ ପହଞ୍ଚିଲାଣି । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଥିବା ବେଳେ ପ୍ରବଳ ପବନ ଯୋଗୁଁ ନିଆଁ ଅଧିକ ଭୟଙ୍କର ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ଅଧିକାରୀ କହିଛନ୍ତି ଯେ ଭୟଙ୍କର ନିଆଁରେ ଅତିକମରେ 16 ଜଣ ନିଖୋଜ ଅଛନ୍ତି ଏବଂ ଏହି ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି।
ଆମେରିକାର ଲସ୍ ଆଞ୍ଜେଲସ୍ ଅଞ୍ଚଳରେ ଜଙ୍ଗଲରେ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା 24 କୁ ବୃଦ୍ଧି ପାଇଥିବାବେଳେ ଅଗ୍ନିଶମ କର୍ମଚାରୀମାନେ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ବୁଧବାର ପର୍ଯ୍ୟନ୍ତ ଭୟଙ୍କର ପାଣିପାଗ ପରିସ୍ଥିତି ପାଇଁ ଜାତୀୟ ପାଣିପାଗ ସେବା ଚେତାବନୀ ଦେଇଛି। ତାଙ୍କ କହିବାନୁସାରେ, ଏହି ଅଞ୍ଚଳରେ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ପବନ ବହିବ ଏବଂ ପାର୍ବତ୍ୟରେ ଏହି ବେଗ ଘଣ୍ଟା ପ୍ରତି ୧୧୩ କିଲୋମିଟର ହେବ। ମଙ୍ଗଳବାର ଅଧିକ ବିପଦଜନକ ହେବ ବୋଲି ପାଣିପାଗ ବିଜ୍ଞାନୀ ରିଚ୍ ଥମ୍ପସନ୍ କହିଛନ୍ତି । ଲସ୍ ଆଞ୍ଜେଲସ୍ ସହରର ମେଡିକାଲ ପରୀକ୍ଷକଙ୍କ କାର୍ଯ୍ୟାଳୟ ଶନିବାର ସନ୍ଧ୍ୟାରେ ଏକ ବିବୃତ୍ତିରେ କହିଛି ଯେ ମୋଟ ୨୪ଜଣଙ୍କର ମୃତ୍ୟୁ ଘଟିଛି, ମୃତକଙ୍କ ମଧ୍ୟରୁ ୫ ଜଣ ପାଲିସଡେସ୍ ଅଗ୍ନିଶମ ଜୋନରୁ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ଇଟନ୍ ଫାୟାର ଜୋନରୁ ଚିହ୍ନଟ ହୋଇଛନ୍ତି।
ନିଆଁକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏକ ହେଲ୍ପ ଲାଇନ ଡେସ୍କ କରିଛନ୍ତି ଯେଉଁଠାରେ ଲୋକମାନେ ନିଖୋଜ ରିପୋର୍ଟ ଦାଖଲ କରିପାରିବେ । ଏହି ସମୟରେ ପ୍ରବଳ ପବନର ସମ୍ଭାବନାକୁ ଦୃଷ୍ଟିରେ ରଖି ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜୋରଦାର କରିଛନ୍ତି। ଅଗ୍ନିଶମ କର୍ମଚାରୀମାନେ ଚେଷ୍ଟା କରୁଛନ୍ତି କି ନିଆଁ ଯେମିତି ବିଶ୍ବ ପ୍ରସିଦ୍ଧ ଜେ, ପଲଁ ଗ୍ରେଟୀ ସଂଗ୍ରହାଳୟ ଏବଂ କାଲିଫର୍ଣ୍ଣିଆ ୟୁନିଭରସିଟିରେ ନଲାଗୁ । ମାଣ୍ଡେଭିଲ୍ କ୍ୟାନନରେ ନିଆଁ ଲିଭାଇବା ପାଇଁ ଜୋରଦାର ପ୍ରୟାସ କରାଯାଉଛି । ପ୍ରଶାନ୍ତ ତଟ ନିକଟରେ ଅବସ୍ଥିତ ମାଣ୍ଡେଭିଲ୍ କାନିୟନରେ ପ୍ରସିଦ୍ଧ ଅଭିନେତା ଅର୍ନାଲ୍ଡୋ ଶ୍ବାର୍ଜନେଗରଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ଘର ଅଛି । ଅଧିକାରୀମାନଙ୍କ ଉଦ୍ୟମ ଜାରୀ ରହିଛି ଯେମିତି କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ନିକଟକୁ ନିଆଁ ଅଗ୍ରସର ନହେଉ । ପାଲିସଡେସ୍ ଅଞ୍ଚଳରେ ବିଶେଷ ଧ୍ୟାନ ଦିଆଯିବ।
ବର୍ତ୍ତମାନ ଅଗ୍ନି ପ୍ରଭାବିତ ଅଞ୍ଚଳରେ ହାଲୁକା ପବନ ପ୍ରବାହିତ ହେଉଛି, କିନ୍ତୁ ପାଣିପାଗ ବିଭାଗ ଚେତାବନୀ ଦେଇଛି ଯେ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଶକ୍ତିଶାଳୀ ସାଣ୍ଟା ଆନା ପବନ ଶୀଘ୍ର ଫେରିପାରେ । କୁହାଯାଉଛି ଯେ ଏହି ପବନ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, ଯାହା ଲସ୍ ଆଞ୍ଜେଲସ୍ ଏବଂ ସମଗ୍ର ଅଞ୍ଚଳକୁ ନଷ୍ଟ କରିସାରିଲାଣି । ଆଠ ମାସରୁ ଅଧିକ ସମୟ ହେଲାଣି ଲସ୍ ଆଞ୍ଜେଲସ୍ କୌଣସି ବର୍ଷା ହୋଇନାହିଁ । ଅଗ୍ନିକାଣ୍ଡ ଯୋଗୁଁ ଇଣ୍ଟରଷ୍ଟେଟ୍ ହାଇୱେ ୪୦୫ ପାଇଁ ମଧ୍ୟ ବିପଦ ରହିଛି, କାରଣ ଏହା ମୁଖ୍ୟ ଟ୍ରାଫିକ୍ ମାର୍ଗ ଅଟେ । ତେବେ ଅଗ୍ନିକାଣ୍ଡର ମୁଖ୍ୟ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।
ଲସ୍ ଆଞ୍ଜେଲସ୍ କାଉଣ୍ଟି ଶେରିଫ୍ ରବର୍ଟ ଲୁନା କହିଛନ୍ତି ଯେ ବିନାଶକୁ ରୋକିବା ପାଇଁ କାର୍ଯ୍ୟ ଜାରି ରହିଛି ଏବଂ ମୃତଦେହ ଖୋଜୁଥିବା କୁକୁରମାନଙ୍କ ସାହାଯ୍ୟରେ ଦଳ ସର୍ଚ୍ଚ ଜାରି ରଖିଛନ୍ତି । ଲୁନା କହିଛନ୍ତି ଯେ ପାସାଡୋନାରେ ଏକ ସହାୟତା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଉଛି । ଏହି ଅଗ୍ନିକାଣ୍ଡ ପ୍ରାୟ ୧୪୫ବର୍ଗ କିଲୋମିଟର ଅଞ୍ଚଳକୁ ଧ୍ବଂସ ସ୍ତୁପରେ ପରିଣତ କରିସାରିଲାଣି । ଅଗ୍ନିକାଣ୍ଡରେ ପ୍ରଭାବିତ ଅଞ୍ଚଳକୁ ଖାଲି କରିବା ପାଇଁ ହଜାର ହଜାର ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସହରର ଉତ୍ତରରେ ଥିବା ୪୦କିଲୋମିଟର ଅଞ୍ଚଳରେ ୧୨ହଜାରରୁ ଅଧିକ କୋଠା ନଷ୍ଟ ହୋଇଯାଇଛି, ଯେଉଁଥିରେ ଘର, ଆପାର୍ଟମେଣ୍ଟ, ବାଣିଜ୍ୟିକ କୋଠା ଇତ୍ୟାଦି ରହିଛି ।
ପ୍ରାରମ୍ଭିକ ଆକଳନ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୩୫ ବିଲିୟନ ଡ଼ଲାରରୁ ୧୫୦ ବିଲିୟନ ଡ଼ଲାର ପର୍ଯ୍ୟନ୍ତ କ୍ଷତି ହୋଇସାରିଲାଣି । ଅଲଟାଡେନାର ବାସିନ୍ଦା ଜୋସ୍ ଲୁଇସ୍ ଗୋଡିନ୍ଜ୍ କହିଛନ୍ତି ଯେ ତାଙ୍କ ପରିବାରର ତିନୋଟି ଘର ନଷ୍ଟ ହୋଇଯାଇଛି । ସବୁକିଛି ଶେଷ ହୋଇଛି । ମୋର ପୁରା ପରିବାର ସେହି ତିନୋଟି ଘରେ ରହୁଥିଲେ ଏବଂ ବର୍ତ୍ତମାନ ଆମର କିଛି ନାହିଁ । ପୋଡିଯାଇଥିବା ଘରର ମାଲିକ ଅଧିକାରୀମାନଙ୍କୁ ସାହାଯ୍ୟର ନିବେଦନ କରିଛନ୍ତି । କିଛି ବାସିନ୍ଦା ପାଉଁଶ ଗଦାରୁ ସେମାନଙ୍କର ମୂଲ୍ୟବାନ ଜିନିଷ ଖୋଜୁଛନ୍ତି । ତେବେ ପାଉଁଶ ଗଦାରେ ସୀସା, ଆର୍ସେନିକ୍, ଆଜବେଷ୍ଟସ ଏବଂ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥ ଥିବାରୁ ସେମାନଙ୍କୁ ନଯିବାକୁ ପରାମର୍ଶ ଦିଆଯାଇଛି । ତେବେ ଥୋମାସ୍ କହିଛନ୍ତି ଯେ କ୍ଷତିଗ୍ରସ୍ତ ସମ୍ପତ୍ତିର ମୂଲ୍ୟାଙ୍କନ ପରେ ବାସିନ୍ଦାଙ୍କୁ ଉଚିତ କ୍ଷତିପୂରଣ ଦିଆଯିବ ।