ପୁଣି ଭାରତ-ବାଂଲାଦେଶ ମଧ୍ଯରେ ତିକ୍ତ ହେଲା ସମ୍ପର୍କ, ସୀମା ସୁରକ୍ଷା ବଳର କାର୍ଯ୍ୟାବଳୀ ପ୍ରସଙ୍ଗରେ ସମନ

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତ ବିରୋଧରେ ପୁଣି ବିଷ ଉଗାଳିଲା ବାଂଲାଦେଶ । ପୁଣି ଆଣିଲା ବଡ ଅଭିଯୋଗ । ଦ୍ବିପାକ୍ଷିକ ରାଜିନାମା ଉଲ୍ଲଂଘନ କରି ଭାରତ-ବାଂଲାଦେଶ ସୀମାର ୫ଟି ସ୍ଥାନରେ ତାରବାଡ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଏନେଇ ପୁଣି ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି । ଏନେଇ ସୀମା ସୁରକ୍ଷା ବଳର କାର୍ଯ୍ୟାବଳୀ ପ୍ରସଙ୍ଗରେ ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ସମନ କରିଛନ୍ତି ବାଂଲାଦେଶର ବୈଦେଶିକ ମନ୍ତ୍ରାଳୟ । ଭାରତ-ବାଂଲାଦେଶ ସୀମାନ୍ତର ୫ଟି ସ୍ଥାନରେ ଦ୍ବିପାକ୍ଷିକ ରାଜିନାମା ଉଲ୍ଲଂଘନ କରି ଭାରତ ତାରବାଡ ନିର୍ମାଣ କରୁଥିବା କାରଣ ଦର୍ଶାଇ ଢାକା ଅଭିଯୋଗ କରିବା ପରେ ଏହି ସମନ ଜାରି ହୋଇଛି ।

ବାଂଲାଦେଶର ବୈଦେଶିକ ସଚିବ ଜସିମ ଉଦ୍ଦିନଙ୍କୁ ଭେଟିବା ପରେ ପ୍ରଣୟ କହିଛନ୍ତି  ସୀମାକୁ ଅପରାଧମୁକ୍ତ କରିବା ପ୍ରସଙ୍ଗରେ ସେ ବାଂଲାଦେଶର ସଚିବଙ୍କୁ ସାକ୍ଷାତ କରିଛନ୍ତି । ସ୍ମଗଲିଂ, ଅପରାଧଙ୍କ ଆଡ୍ଡା ଭାଙ୍ଗିବା ଲାଗି ଏହି ଆଲୋଚନା କରାଯାଇଛି । ପ୍ରଣୟ କହିଛନ୍ତି- ସୀମାରେ ତାରବାଡ ପ୍ରସଙ୍ଗରେ ସୀମା ସୁରକ୍ଷା ବଳ ଓ ବାଂଲାଦେଶର ସୀମା ରକ୍ଷକ ବାହିନୀ ସହ ଆଲୋଚନା ହୋଇଛି ।

ପୂର୍ବରୁ ଗୃହ ବିଭାଗ ପରାମର୍ଶଦାତା ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଜାହାଙ୍ଗୀର ଆଲମ ଚୌଧୁରୀ କହିଥିଲେ ଯେ ସୀମା ସୁରକ୍ଷା ବାହିନୀ ବାଂଲାଦେଶ ଏବଂ ସ୍ଥାନୀୟ ଲୋକଙ୍କ କଡ଼ା ବିରୋଧ ଯୋଗୁଁ ଭାରତ ସୀମାରେ କଣ୍ଟା ତାର ବାଡ଼ ନିର୍ମାଣ କାର୍ଯ୍ୟ ବନ୍ଦ କରିଦେଇଛି । ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ପୂର୍ବ ସରକାରଙ୍କ କାର୍ଯ୍ୟକାଳରେ ସ୍ୱାକ୍ଷରିତ କିଛି ଚୁକ୍ତିନାମା ଯୋଗୁଁ, “ବାଂଲାଦେଶ-ଭାରତ ସୀମାରେ ଅନେକ ସମସ୍ୟା ଉପୁଜିଛି”।

ଚୌଧୁରୀ କହିଛନ୍ତି ଯେ ବାଂଲାଦେଶ ଏବଂ ଭାରତ ମଧ୍ୟରେ ସୀମା କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ଚାରୋଟି  ବୁଝାମଣାପତ୍ର (ଏମଓୟୁ) ଅଛି। ସେ କହିଛନ୍ତି, “ଏଥିମଧ୍ୟରୁ, ୧୯୫୭ର ବୁଝାମଣା ପତ୍ରରେ ସ୍ପଷ୍ଟ କରାଯାଇଛି ଯେ ‘ଜିରୋ ଲାଇନ’ର ୧୫୦ ଗଜ ମଧ୍ୟରେ ପ୍ରତିରକ୍ଷା କ୍ଷମତା ଥିବା କୌଣସି ବିକାଶମୂଳକ କାର୍ଯ୍ୟ କରାଯାଇପାରିବ ନାହିଁ। ଦ୍ୱିତୀୟ ବୁଝାମଣାପତ୍ରରେ କୁହାଯାଇଛି ଯେ ପାରସ୍ପରିକ ସମ୍ମତି ବିନା ଏହି ସୀମା ମଧ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ କରାଯାଇପାରିବ ନାହିଁ। ଏପରିକି ଯେକୌଣସି କାର୍ଯ୍ୟ ପାଇଁ ଦୁଇ ଦେଶ ମଧ୍ୟରେ ପୂର୍ବ ସହମତି ଆବଶ୍ୟକ।”ପରାମର୍ଶଦାତା କହିଛନ୍ତି ଯେ ଭାରତ ବାଂଲାଦେଶ ସହିତ ଥିବା ୪୧୫୬ କିଲୋମିଟର ଦୀର୍ଘ ସୀମାରୁ  ୩୨୭୧ କିଲୋମିଟର ପର୍ଯ୍ୟନ୍ତ ବାଡ଼ ଲଗେଇ ସାରିଛି । ଏବଂ ପ୍ରାୟ ୮୮୫ କିଲୋମିଟର ସୀମାରେ ବାଡ଼ ନିର୍ମାଣ କରାଯାଇନାହିଁ ।