ଅତ୍ୟାଧୁନିକ ବସରେ ୪ ସହରରୁ ଅଯୋଧ୍ୟା ଗଲେ ତୀର୍ଥଯାତ୍ରୀ
ଅଯୋଧ୍ୟା: ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପାଇଁ ୪ଟି ସହରରୁ ଅଯୋଧ୍ୟାକୁ ଯାତ୍ରା କରିଛି ଅତ୍ୟାଧୁନିକ ବସ୍ । ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ଏହି ବସ ସେବା ଯୋଗାଇ ଦିଆଯାଇଛି । ପୁରୀ ସହିତ ସମ୍ବଲପୁର, ଭବାନୀପାଟଣା ଓ ବ୍ରହ୍ମପୁର ସହରରୁ ୨ଟି ଲେଖାଁଏ ବସ ପର୍ଯ୍ୟାୟ କ୍ରମେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛି । ଏଥିରେ ମହିଳା ଯାତ୍ରୀଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି ।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ସହରରୁ ୮ଟି ବସ୍ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛି । ଟିକେଟ ମୂଲ୍ୟ ୬, ୮୪୬ ଟଙ୍କା ରହିଥିବାବେଳେ ସର୍ବନିମ୍ନ ୫, ୮୯୬ଟଙ୍କା ରହିଛି । ଯାତ୍ରୀମାନଙ୍କ ରହିବା ଖାଇବାର ବ୍ୟବସ୍ଥା ଓଏସଆରଟିସି ପକ୍ଷରୁ କରାଯାଇଛି ।
ଆଜି ପୁରୀ ମାଳତୀପାଟପୁରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫେନ୍ସ ମାଧ୍ୟମରେ ଏହି ବସ୍ ସେବାକୁ ଉଦଘାଟନ କରିଥିଲେ । ପରେ ପୁରୀ ସାଂସଦ ସମ୍ବିତ ପାତ୍ର ସବୁଜ ପତାକା ଦେଖାଇ ବସ ଚଳାଚଳକୁ ଶୁଭାରମ୍ଭ କରିଥିଲେ । ଏହି ଅତ୍ୟାଧୁନିକ ବସରେ ୧୩ ଜଣ ଯାତ୍ରୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ପୁରୀରୁ ଯାଇଥିବା ବସ୍ ଭୁବନେଶ୍ୱର, କଟକ, ବାରିପଦା, ଜାମସେଦପୁର, ରାଞ୍ଚି, ଔରାଙ୍ଗବାଦ, ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟାରେ ପହଞ୍ଚିବ ।