ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ଏସ. ଜୟଶଙ୍କର

ନୂଆଦିଲ୍ଲୀ: ଜାନୁଆରୀ ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଏଥିରେ ବିଭିନ୍ନ ଦେଶର ନେତାମାନେ ସାମିଲ ହେବେ । ଭାରତ ପକ୍ଷରୁ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ବୋଲି ଜଣାପଡ଼ିଛି । ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଟ୍ରମ୍ପ ଭେନ୍ସ ଉଦଘାଟନ ସମିତି ଭାରତ ସରକାରଙ୍କୁ ନିମନ୍ତ୍ରଣ କରିଥିଲା । ଯାହାର ଉତ୍ତରରେ ଜୟଶଙ୍କର ଭାରତ ସରକାରଙ୍କ ତରଫରୁ ପ୍ରତିନିଧିତ୍ବ କରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ ବୟାନ ଜାରି କରି କୁହାଯାଇଛି । ଏହାସହ ଟ୍ରମ୍ପ ପ୍ରଶାସନକୁ ବିଦେଶ ମନ୍ତ୍ରୀ ଭେଟି ପାରନ୍ତି ବୋଲି ଜଣାପଡିଛି ।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ ଆହୁରି କୁହାଯାଇଛି, ଆମେରିକା ପ୍ରଶାସନ ସହ ଜୟଶଙ୍କର ଆଲୋଚନା କରିବା ସହ ଶପଥ ଗ୍ରହଣ ଉତ୍ସବକୁ ଆସିଥିବା ଅନ୍ୟ ମିତ୍ରରାଷ୍ଟ୍ରର ନେତାଙ୍କୁ ମଧ୍ୟ ଭେଟିବେ ।

ସୂଚନାଯୋଗ୍ୟ, ୨୦ ଜାନୁଆରୀରେ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବାକୁ ଯାଉଛନ୍ତି । ଶପଥ ପରେ ସେ ଆମେରିକାର ୪୭ ତମ ରାଷ୍ଟ୍ରପତି ହେବେ । ଟ୍ରମ୍ପଙ୍କ ଦ୍ବିତୀୟ ପାଳିରେ ଏକାଧିକ ଭାରତୀୟ ବଂଶୋଦ୍ଭବ ବଡ଼ ଦାୟିତ୍ବରେ ରହିବ ବୋଲି ଜଣାପଡ଼ିଛି । ୨୦ ଜାନୁଆରୀ ମଧ୍ୟାହ୍ନ ୧୨ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ ଶପଥ ଗ୍ରହଣ ସହ ପରେଡ ଓ ଅନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିବ ।