ଖୁବ୍‌ଶୀଘ୍ର ଭଙ୍ଗାହେବ ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ: ହାଇକୋର୍ଟଙ୍କ ରହିତାଦେଶ ହଟିବା ପରେ ହେଲା ସ୍ପଷ୍ଟ

ଭୁବନେଶ୍ବର: ଖୁବ୍‌ଶୀଘ୍ର ଭଙ୍ଗାହୋଇପାରେ ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ । ଗତ କାଲି ହାଇକୋର୍ଟ ରହିତାଦେଶ ହଟାଇବା ପରେ ଏବେ ଯେ କୌଣସି ସମୟରେ ବିଡିଏ ବୁଲାଇପାରେ ବୁଲଡୋଜର । ସାଧାରଣ ପ୍ରଶାସନ ବିଭାଗର ସତ୍ୟପାଠ ପରେ ହାଇକୋର୍ଟ ବୈକୁଣ୍ଠଧାମ ଆଶ୍ରମ ଭଙ୍ଗାଯିବା ଉପରେ ଜାରି ରହିତାଦେଶକୁ ଶୁକ୍ରବାର ହଟାଇ ଦେଇଛନ୍ତି । ରହିତାଦେଶ ହଟିଯିବା ଫଳରେ ବୈକୁଣ୍ଠନାଥ ଆଶ୍ରମ ଭାଙ୍ଗିବା ଏକରକମ ସ୍ପଷ୍ଟ ହୋଇଯାଇଛି। ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବି.ପି. ରାଉତରାୟ ରହିତାଦେଶ ଉଠାଇ ଦେଇଥିବାବେଳେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀ ବୈକୁଣ୍ଠନାଥ ସେବାଶ୍ରମ କର୍ତ୍ତୃପକ୍ଷଙ୍କୁ ମହଲତ ଦେଇଛନ୍ତି।

ସାଧାରଣ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସତ୍ୟପାଠର ପ୍ରତିଜବାବ ରଖିବା ଲାଗି ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟ ପକ୍ଷରୁ ଅଦାଲତଙ୍କଠାରୁ ସମୟ ଲୋଡ଼ାଯାଇଥିଲା । ଅଦାଲତ ଏଥିପାଇଁ ଅନୁମତି ପ୍ରଦାନ କରିବା ସହ ମାମଲାର ଶୁଣାଣି ଫେବ୍ରୁଆରୀ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଘାଟିକିଆ ମୌଜାରେ ବେଆଇନ ଭାବେ ତିଆରି ହୋଇଥିବା ବୈକୁଣ୍ଠଧାମ ଆଶ୍ରମକୁ ଭାଙ୍ଗିବାକୁ ବିଡିଏ କର୍ତ୍ତୃପକ୍ଷ ଗତବର୍ଷ ନଭେମ୍ବର ୨୦ ତାରିଖରେ ନିଷ୍ପତ୍ତି ନେଇଥିଲେ । ବିଡିଏର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଥିଲେ । ଏଥିସହ ଉକ୍ତ ବିବାଦୀୟ ଜମି ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଅନ୍ତରୀଣ ଆଦେଶ ଦେଇଥିଲେ ।

ମାମଲାର ଶୁଣାଣି ଅବସରରେ ଏହି ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଲେଖାଯାଇଥିବା ଏକ ଚିଠିକୁ ଦାଖଲ କରାଯାଇଥିଲା । ଉକ୍ତ ଚିଠିରେ ଗଣଶିକ୍ଷା ବିଭାଗ ଏହି ଜମିକୁ ଟ୍ରଷ୍ଟ ନାମରେ କରିବା ଲାଗି ସୁପାରିସ୍‌ କରିଛି ବୋଲି କୁହାଯାଇଥିଲା । ହାଇକୋର୍ଟ ଏହି ଚିଠି ଆଧାରରେ ଆଶ୍ରମ ଭଙ୍ଗାଯିବା ଉପରେ ରୋକ୍‌ ଲଗାଇଥିଲେ । କିନ୍ତୁ ଏହା ଉପରେ ହାଇକୋର୍ଟ ସାଧାରଣ ପ୍ରଶାସନ ବିଭାଗକୁ ଜବାବ ମାଗିବା ପରେ ବୈକୁଣ୍ଠନାଥ ଆଶ୍ରମର ଜାଲିଆତି ଜଣାପଡ଼ିଯାଇଥିଲା । ସାଧାରଣ ପ୍ରଶାସନ ଜବାବରେ ଦର୍ଶାଇଥିଲା ଯେ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି କୌଣସି ଚିଠି ଲେଖାଯାଇନାହିଁ । ଏହା ଏକ ଜାଲ୍‌ ଚିଠି । ଏନେଇ ଅବଗତ ହେବା ପରେ ହାଇକୋର୍ଟ ଶୁକ୍ରବାର ରହିତାଦେଶ ଉଠାଇ ଦେଇଛନ୍ତି ।