ପାଞ୍ଚଦିନ ପରେ ବି ଖଣି ଭିତରେ ଫସିଛନ୍ତି ଶ୍ରମିକ
1 min readଦିସପୁର : ପାଞ୍ଚଦିନ ପରେ ବି ଖଣି ଭିତରେ ଫସିଛନ୍ତି ଶ୍ରମିକ । ଭାରତୀୟ ବାୟୁସେନା, ନୌସେନା ଓ ସେନାର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ବି ଉଦ୍ଧାର ହୋଇପାରିନାହାନ୍ତି ଶ୍ରମିକ । ଆସାମର ଦିମା ହାସାଓ ଜିଲ୍ଲା ଅନ୍ତର୍ଗତ ଉମରାଙ୍ଗସୋର ୩ କିଲୋ କୋଲ କ୍ବାରୀରେ ଗତ ୬ ତାରିଖଠାରୁ ଫସିଛନ୍ତି ଶ୍ରମିକ । ଖଣି ଭିତରେ ପାଣି ପଶିଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବ୍ୟାହତ ହୋଇଛି । ଗତକାଲି ଜଣେ ଶ୍ରମିକଙ୍କ ମୃତଦେହ ବାହାର କରାଯାଇଥିଲା । ଖଣି ଭିତରେ ଆଉ ୮ ଜଣ ଶ୍ରମିକ ଫସିଥିବା ସୂଚନା ମିଳିଛି । ବିଶେଷଜ୍ଞମାନେ କହିଛନ୍ତି ଖଣିରେ ବର୍ତ୍ତମାନ ପାଣି ପଶିଯାଇଛି ଏବଂ ତାହା କୋଇଲା ମିଶ୍ରିତ ପାଣି ହୋଇଯାଇଥିବାରୁ ତାହା ଏସିଡିକ୍ ଓ ଘନ ହୋଇଯାଇଛି । ଫଳରେ ଖଣି ଭିତରେ କିଛି ଦେଖାଯାଉନାହିଁ । ଉଦ୍ଧାରକାରୀ ଟିମର ସମସ୍ତ ଉଦ୍ୟମ ସତ୍ତ୍ବେ ସେମାନଙ୍କୁ ଉଦ୍ଧାର କରାଯାଇପାରିନାହିଁ । ଖଣି ଭିତରକୁ ରିମୋଟ କଣ୍ଟ୍ରୋଲ୍ଡ ଯନ୍ତ୍ରପାତି ପଠାଯାଇଥିଲେ ତାହା ଫେଲ୍ ମାରିଛି । ଏହି ଖଣି ୩୦୦ ଫୁଟ ଗଭୀର ଏବଂ ସେଠାରୁ ପାଣି ନିଷ୍କାସନ କରିବା ଲାଗି ଅନେକ ପମ୍ପ ଲାଗିଛି । ଗତ ୮ତାରିଖରେ ଏକ ସି-୧୩୦ ହରକ୍ୟୁଲସ ପ୍ଲେନରେ ଘଟଣାସ୍ଥଳକୁ ଓ୍ବେଷ୍ଟର୍ଣ୍ଣ କୋଲଫିଲ୍ଡସର ଏକ ୫ ଜଣିଆ ଟିମ ଯାଇଥିଲେ । ସେମାନେ ସାଥୀର ନେଇଥିବା ଉଚ୍ଚକ୍ଷମତାସମ୍ପନ୍ନ ପାଣି ପମ୍ପ ବି ନେଇଥିଲେ । ଏହି ପମ୍ପର କ୍ଷମତା ଥିଲା ୧୫୦ ମିଟର ତଳୁ ପ୍ରତି ମିନଟରେ ୫୦୦ ଗ୍ୟାଲନ ଜଳ ନିଷ୍କାସନ କରିବା । ତେବେ ଜଳର ଉଚ୍ଚତା ୧୦୦ ଫୁଟ କ୍ରମାଗତ ରହିଥିବାରୁ ଉଦ୍ଧାର କାର୍ଯ୍ୟ ଫେଲ୍ ମାରିଛି । ଖଣିରୁ କୋଇଲା ଉତ୍ତୋଳନ ଲାଗି ରାଟ ହୋଲରେ ଶ୍ରମିକମାନେ ବିପଜ୍ଜନକ ଅବସ୍ଥାରେ କାମ କରୁଥିଲେ । ସେହି ହୋଲଗୁଡିକ ମାତ୍ର ୩ ଫୁଟର ଏବଂ ଶ୍ରମିକଙ୍କ ମୁଣ୍ଡ ଉପରେ ମାତ୍ର ୪-୫ ଇଞ୍ଚର ଗ୍ଯାପ ରହୁଥିଲା ବୋଲି ଜଣେ ଶ୍ରମିକ କହିଛନ୍ତି ।