ତିରୁପତି ମନ୍ଦିରରେ ଦଳାଚକଟା: ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୨୫ ଆହତ

ତିରୁମାଲା: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଆଜି ଏକ ବଡ଼ ଅଘଟଣ ଘଟିଥିଲା । ବୈକୁଣ୍ଠ ଦର୍ଶନ ଦ୍ବାର ଟିକେଟ କେନ୍ଦ୍ର ନିକଟରରେ ଦଳାଚକଟାରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଏଥିସହିତ ୨୫ ଜଣ ଆହତ ହୋଇଥିଲେ । ବୈକୁଣ୍ଠ ଦ୍ବାର ଦର୍ଶନ ୧୦ ଦିନ ପାଇଁ ଖୋଲିଥିଲା । ତେଣୁ ଟୋକନ ନେବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକଙ୍କର ଭିଡ଼ ଜମିଥିଲା । ବୈକୁଣ୍ଠ ଦ୍ବାର ଦର୍ଶନ ପାଇଁ ତିରୁପତିର ବିଭିନ୍ନ ଟିକେଟ କେନ୍ଦ୍ରରେ ଲୋକମାନେ ରୁଣ୍ଡ ହୋଇଥିଲେ । ସମସ୍ତ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଟୋକନ ପାଇଁ ପାଖାପାଖି ୪ ହଜାର ଲୋକ ଭିଡ଼ ଜମାଇଥିଲେ । ପରିସ୍ଥିତି ବିଷୟରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ମନ୍ଦିର କମିଟିର ଅଧ୍ୟକ୍ଷଙ୍କ ସହ ଫୋନରେ କଥା ହୋଇଥିଲେ । ଏହି ଘଟଣାର ମୃତାହତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିଥିଲେ । ଗୁରୁବାର ସକାଳ ୧୦ଟା ସମୟରେ ମୁଖ୍ୟମନ୍ତ୍ରୀ ହସ୍ପିଟାଲକୁ ଯାଇ ସମସ୍ତ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବେ ।

ଆସନ୍ତା ୧୦ରୁ ୧୯ ତାରିଖ ଯାଏ ତିରୁମାଲା ତିରୁପତି ଦେବସ୍ଥାନମ ବା ଟିଟିଡି ପକ୍ଷରୁ ବୈକୁଣ୍ଠ ଏକାଦଶୀ ଓ ବୈକୁଣ୍ଠ ଦ୍ବାର ଦର୍ଶନମ କାର୍ଯ୍ୟକ୍ରମ ହେବାର ଥିଲା। ଟିଟିଡି ବୋର୍ଡର ଅଧ୍ୟକ୍ଷ ବି.ଆର. ନାଇଡୁ ଏକ ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି। ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନାଇଡୁ। ବୈକୁଣ୍ଠ ଏକାଦଶୀ ଓ ବୈକୁଣ୍ଠ ଦ୍ବାର ଦର୍ଶନମ କାର୍ଯ୍ୟକ୍ରମରେ ପ୍ରାୟ ୭ ଲକ୍ଷ ଶ୍ରଦ୍ଧାଳୁ ସମାଗମ ହେବାର ଆଶା ରଖିଛି ଟିଟିଡି। ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଲାଗି ଟିକେଟ ବ୍ୟବସ୍ଥା କରାଯିବା ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।