ଭାଣିଜୀର ପ୍ରେମ ବିବାହକୁ ନେଇ କ୍ଷୁବ୍ଧ ମାମୁଁ ଭୋଜିରେ ମିଶାଇଲା ବିଷ !
ମୁମ୍ବାଇ: ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସାଧାରଣ ଭାବେ ଜାଣିଜୀଙ୍କ ବିବାହରେ ମାମୁଁଙ୍କର ବଡ଼ ଭୂମିକା ରହିଥାଏ । ନିର୍ବନ୍ଧ ଠାରୁ ଆରମ୍ଭ କରି ବାହାଘର ଶେଷ ପର୍ଯ୍ୟନ୍ତ ମାମୁଁ ସମସ୍ତ ମୁଖ୍ୟ କାର୍ଯ୍ୟ ତୁଲାଇଥାନ୍ତି । ମାତ୍ର ଏଠାରେ ଜଣେ ମାମୁଁ ଯେଉଁ ନିନ୍ଦନୀୟ କାର୍ଯ୍ୟ କରିଛନ୍ତି, ତାହା ସଭ୍ୟ ସମାଜ ପାଇଁ ପାଇଁ ଗ୍ରହଣୀୟ ନୁହେଁ । ନିଜ ଭାଣିଜୀଙ୍କ ବିବାହର ରିସେପ୍ସନ ଭୋଜିରେ ବିଷ ମିଶାଇ ଦେଇଥିଲେ ମାମୁଁ । ଭାଣିଜୀଙ୍କ ବିବାହକୁ ମାମୁଁ ବିରୋଧ କରିଆସୁଥିଲେ । ସେଥିପାଇଁ ଅଭିଯୁକ୍ତ ମାମୁଁ ଏହି ହରକତ କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ସୂଚନା ମୁତାବକ, ପନହାଲା ତହସିଲର ଉଟ୍ରେ ଗ୍ରାମରେ ଏହି ଅଘଟଣ ଘଟିଥିଲା । ଭଲକଥା ଯେ, ଭୋଜି ଖାଇବା ପୂର୍ବରୁ ଘଟଣାଟି ପ୍ରଘଟ ହୋଇଯାଇଥିଲେ ଏବଂ ଏହାକୁ କେହି ଖାଇ ନଥିଲେ । ପରେ ଖାଦ୍ୟର ସାମ୍ପଲ ଟେଷ୍ଟିଂ ପାଇଁ ପଠାଗଲା । ପୋଲିସର ସୂଚନା ଅନୁଯାୟୀ, କିଛି ଲୋକ ଅଭିଯୁକ୍ତ ମାମୁଁକୁ ବାନ୍ଧି ଦେଇଥିଲେ ହେଲେ ସେ ସେଠାରୁ ସୁଯୋଗ ଦେଖି ଖସି ପଳାଇଲା ।
ଅଭିଯୁକ୍ତ ମାମୁଁ ହେଉଛି ଗାଁର ମହେଶ ପାଟିଲ । ପୋଲିସର ସୂଚନା ମୁତାବକ, ମାମୁଁଘରେ ହିଁ ଛୋଟ ବେଳୁ ଭାଣିଜୀର ଲାଳନ ପାଳନ ହୋଇଥିଲା । ହେଲେ ଅଭିଯୁକ୍ତର ଜାଣିଜୀ ଗାଁର ଜଣେ ଯୁବକକୁ ପ୍ରେମ କରୁଥିଲା ଏବଂ ତାସହ ପଳାୟନ କରି ବିବାହ କରିଥିଲା । ଯାହା ମାମୁଁ ମହେଶ ଗ୍ରହଣ କରିପାରୁ ନଥିଲେ । ଏଥିପାଇଁ ସେ ମଙ୍ଗଳବାର ଭାଣିଜୀର ବିବାହ ରିସେପସନକୁ ଯାଇ ରାଗରେ ଅତିଥିଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଭୋଜିରେ ବିଷ ମିଶାଇଦେଲା । ଏହା କରୁଥିବା ବେଳେ ସେଠାରେ ଥିବା ଲୋକ ଦେଖି ତାକୁ ଧରିପକାଇଲେ, ହେଲେ ସେ ସେଠାରୁ ଖସିପଳାଇଲା । ଏବେ ଅଭିଯୁକ୍ତ ମାମୁଁ ନାଁରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।