ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଘନ କୁହୁଡ଼ି

1 min read

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଘନ କୁହୁଡ଼ି । ଦିଲ୍ଲୀରେ ସର୍ବ ନିମ୍ନ ତାପମାତ୍ରା ୧୦ ଡିଗ୍ରୀକୁ ଖସି ଆସିଛି । ଆଜି ଘନ କୁହୁଡ଼ି ଧଳା କମ୍ଵଳ ଆଛାଦିତ ପରି ଦୃଶ୍ୟମାନ ହୋଇଛି । ଦିଲ୍ଲୀର ଅନେକ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ୧୦ ମିଟର ଦୂରରୁ ଦେଖିବା ସମ୍ଭବ ହେଉନାହିଁ । ଅନେକ ଅଞ୍ଚଳରେ ଜିରୋ ଭିଜିବିଲିଟି ରହିଛି । ଶୁକ୍ରବାର ଦିନ ମଧ୍ୟ ଦିଲ୍ଲୀର ଲୋକଙ୍କୁ ଘନ କୁହୁଡ଼ିର ସମ୍ମୁଖୀନ ହେବାକୁ ପଡିଥିଲା । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଅନୁଯାୟୀ ସର୍ବନିମ୍ନ ତାପମାତ୍ରା ଆସନ୍ତା କିଛି ଦିନ ପାଇଁ ୭ ରୁ ୯ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ । ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅତି ଧୀର ଗତିରେ ଗାଡ଼ି ଚଳାଚଳ କରୁଛି । ଟ୍ରେନ ଚଳାଚାଳ ଓ ବିମାନ ଉଡ଼ାଣରେ ବିଳମ୍ବ ହୋଇଛି । ଲୋ ଭିଜିବିଲିଟି ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରରେ ସମସ୍ତ ବିମାନ ସେବା ପ୍ରଭାବିତ ହୋଇଛି। ପ୍ରାୟ ବିମାନ ଉଡ଼ାଣ ୩୦ ମିନିଟ ବିଳମ୍ଵରେ ଚାଲିଛି । ବିମାନ ଯାତ୍ରୀମାନଙ୍କୁ ଘରୁ ବାହାରିବା ପୂର୍ବରୁ ବିମାନର ବର୍ତ୍ତମାନର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ଘନ କୁହୁଡ଼ି ଯୋଗୁଁ ପ୍ରାୟ ୫୦ଟି ଟ୍ରେନ୍ ବିଳମ୍ବରେ ଚାଲୁଛି । ଉତ୍ତର ଭାରତର ଦିଲ୍ଲୀ-ଏନସିଆର, ୟୁପି, ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାରରେ କୁହୁଡ଼ି ଏବଂ ଭୀଷଣ ଥଣ୍ଡାର ପ୍ରଭାବ ଦେଖିବାକୁ ମିଳିଛି । ଜାମ୍ମୁ କାଶ୍ମୀର, ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶ ଭଳି ପାହାଡ଼ିଆ ରାଜ୍ୟରେ ତୁଷାରପାତ ଏବଂ ତାପମାତ୍ରା ହ୍ରାସ ପାଇବା ସହିତ ଶୀତ ବୃଦ୍ଧି ପାଉଛି ।