ଆଜି ଓ ଆସନ୍ତାକାଲି ଦେଖିବାକୁ ମିଳିବ ବ୍ଲାକ ମୁନ୍
1 min readଭୁବନେଶ୍ବର : ଆଜି ଓ ଆସନ୍ତାକାଲି ଦେଖିବାକୁ ମିଳିବ ବ୍ଲାକ ମୁନ। କଥାକଥିତ ବହୁ ପ୍ରଚାରିତ କଳା ଜହ୍ନ ରାତିର ଆକାଶରେ ଦେଖାଯିବ ନାହିଁ। ଆଜି ରାତିର ଆକାଶରେ ସବୁ ଅମାବାସ୍ୟା ଭଳି ଜହ୍ନ ବିଲକୁଲ୍ ଦେଖାଯିବ ନାହିଁ ଓ ୩୧ ତାରିଖରେ ଧଳା ବଙ୍କୁଲି ଜହ୍ନ ଦେଖାଯିବ। ପ୍ରକୃତରେ କଣ ଏହି କଳା ଜହ୍ନ। ଏକ ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ଅମାବାସ୍ୟା ପଡିଲେ ଦ୍ୱିତୀୟ ଅମାବାସ୍ୟାକୁ “କଳା ଜହ୍ନ”ଭାବରେ ନାମିତ କରାଯାଏ। ଠିକ ସେହିପରି ଗୋଟିଏ ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡିଲେ ଦ୍ୱିତୀୟ ପୂର୍ଣ୍ଣିମାକୁ “ନୀଳ ଜହ୍ନ” ଭାବରେ ନାମିତ କରାଯାଏ। ଏହା କେବଳ ଏକ ନାମକରଣ ଯାହାକି ଏକ କ୍ୟାଲେଣ୍ଡର ମାସରେ ଦ୍ୱିତୀୟ ଅମାବାସ୍ୟାକୁ ବ୍ୟାଖ୍ୟା କରିବା ପାଇଁ ବ୍ୟବହୃତ ହୁଏ। କଳା ଜହ୍ନ ଶବ୍ଦଟି ଜ୍ୟୋତିର୍ବିଜ୍ଞାନରେ ଏତେ ବ୍ୟବହାର କରାଯାଏ ନାହିଁ ଏହା ଏକ ଲୋକପ୍ରିୟ ନାମମାତ୍ର। ଏହା ଏକ ବିରଳ ଘଟଣା ହେଇଥିବାରୁ ଏହାର ଏଭଳି ନାମକରଣ କରାଯାଇଛି। ୩୦ ଦିନିଆ ମାସ ଅପେକ୍ଷା ୩୧ ଦିନିଆ ମାସରେ ଏକ କଳାଜହ୍ନ ହେବାର ସମ୍ଭାବନା ଅଧିକ । ଫେବୃଆରୀରେ କଳା ଜହ୍ନ ସମ୍ଭବ ନୁହେଁ କାରଣ ଏହା ୨୮ ଦିନ, ଏବଂ ୨୯ ଦିନର ହେଇଥାଏ । ୩୧ ଦିନ ଥିବା ମାସରେ ନୀଳଜହ୍ନ ୨ ରୁ ୩ ବର୍ଷ ମଧ୍ୟରେ ପଡେ । ଏପରି ନୀଳଜହ୍ନ ଗତ ୨୦୨୨ ମସିହା ଅଗଷ୍ଟ ମାସରେ ଘଟିଥିଲା, ପରବର୍ତ୍ତୀ ଟି ମେ- ୨୦୨୬ ମସିହାରେ ପଡିବ । କଳା ରଙ୍ଗର ଜହ୍ନ ଅତ୍ୟନ୍ତ ବିରଳ ଏବଂ କ୍ୟାଲେଣ୍ଡର କିମ୍ବା ଚନ୍ଦ୍ର କଳା ସହିତ ଏହାର କୌଣସି ସମ୍ପର୍କ ନାହିଁ । ବାୟୁମଣ୍ଡଳରେ ଆଗ୍ନେୟଗିରି ପାଉଁଶ ଏବଂ ଧୂଆଁ, ବାୟୁରେ ଜଳ ବୁନ୍ଦା କିମ୍ବା କିଛି ପ୍ରକାରର ମେଘ ଆଦିର ସ୍ଥିତି ଯୋଗୁଁ କେବେ କେବେ ଏକ ପୂର୍ଣ୍ଣିମା ଜହ୍ନ କିଛି ସମୟ ପାଇଁ କଳା ଦେଖାଯାଇପାରେ। କିନ୍ତୁ ଏହା ଅତି ବିରଳ। ଡିସେମ୍ବର ୩୧ ଭୋର ୪ଟାରେ ଅମାବାସ୍ୟା ଘଟିବ। ଭାରତରେ ୩୧ ତାରିଖରେ ଅଳ୍ପ ସମୟ ପାଇଁ ସୂର୍ଯ୍ୟାସ୍ତ ପରେ ଅମାବାସ୍ୟା ଚନ୍ଦ୍ର ଦେଖାଯିବ।