ଦୁଷ୍କର୍ମ ଓ ଏସିଡ୍ ଆକ୍ରମଣ ପୀଡିତାଙ୍କୁ ମାଗଣା ଚିକିତ୍ସା ଦେବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ଏକ ବଡ ନଷ୍ପତ୍ତି ଶୁଣାଇଛନ୍ତି । ଦୁଷ୍କର୍ମ, ଏସିଡ୍ ଆକ୍ରମଣ ଓ ଯୌନ ହିଂସାର ଶିକାର ହୋଇଥିବା ପୀଡିତା ମାଗଣା ଚିକିତ୍ସା ପାଇବାର ହକଦାର । କୌଣସି ସରକାରୀ ବା ଘରୋଇ ହସ୍ପିଟାଲ୍ ବା ନର୍ସିଂହୋମ୍ ମନା ପୀଡିତାଙ୍କ ଠାରୁ କୌଣସି ଫି’ ଆଦାୟ କରିପାରିବେ ନାହିଁ । ପୀଡିତାଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ହସ୍ପିଟାଲ ବାଧ୍ୟ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।
ଜଷ୍ଟିସ୍ ପ୍ରତିଭା ଏମ୍ ସିଂହ ଓ ଜଷ୍ଟିସ୍ ଅମିତ ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ବାପା ଦୁଷ୍କର୍ମ କରିଥିବା ମାମଲାରେ ସୋମବାର ଏକାଧିକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଦାଲତ ଓ ଦିଲ୍ଲୀ ରାଜ୍ୟ ଆଇନ ସେବା ପ୍ରାଧିକରଣ (ଡିଏଲ୍ଏସ୍ଏ)ର ବାରମ୍ବାର ହସ୍ତକ୍ଷେପ ସତ୍ତ୍ୱେ ନିଜ ବାପାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ଜଣେ ପୀଡ଼ିତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା। ଖଣ୍ଡପୀଠ କହିଛନ୍ତି, ମାଗଣା ଚିକିତ୍ସା ପୀଡ଼ିତାଙ୍କ ପାଇଁ ଆବଶ୍ୟକ ଯେକୌଣସି ପରୀକ୍ଷା, ନିଦାନ ଓ ଦୀର୍ଘକାଳୀନ ଚିକିତ୍ସା ସେବା ପର୍ଯ୍ୟନ୍ତ ମଧ୍ୟ ବିସ୍ତାରିତ ହୋଇଥାଏ। ଏଭଳି ପୀଡ଼ିତାଙ୍କୁ ଆବଶ୍ୟକତା ଅନୁଯାୟୀ ଶାରୀରିକ ଓ ମାନସିକ ପରାମର୍ଶ ମଧ୍ୟ ପ୍ରଦାନ କରାଯିବ। ଅଦାଲତ ଡାକ୍ତରଖାନାଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି।
ଅଦାଲତ କହିଛନ୍ତି ଯେ, ଦିଲ୍ଲୀର ପ୍ରତ୍ୟେକ ଚିକିତ୍ସା କେନ୍ଦ୍ରରେ ଯୌନ ନିର୍ଯାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ, ଏସିଡ୍ ଆକ୍ରମଣର ପୀଡ଼ିତାଙ୍କ ପାଇଁ ମାଗଣାରେ ଚିକିତ୍ସା ଉପଲବ୍ଧ ଅଛି ବୋଲି ଏକ ବୋର୍ଡ ଲଗାଇବାକୁ ପଡ଼ିବ। ରୋଗୀ ଆବଶ୍ୟକତା ଅନୁଯାୟୀ ହସ୍ପିଟାଲରେ ଆଡମିସନ ନେଇ ଚିକିତ୍ସିତ ହେଉ ବା ବାହାରୁ ଆସି ଚିକିତ୍ସିତ ହେଉ ନା କାହିଁକି ଉଭୟ ପରିସ୍ଥିତିରେ ହସ୍ପିଟାଲଗୁଡ଼ିକ ମାଗଣା ଚିକିତ୍ସା ପ୍ରଦାନ କରିବେ।