ଓଡ଼ିଶାରେ ହୋଇଛି ବ୍ୟାପକ ଭୋଟ୍ ଗଡ଼ବଡ଼ ! : ବିଜେଡି
1 min readନୂଆଦିଲ୍ଲୀ : ଚବିଶ ନିର୍ବାଚନରେ ହୋଇଛି ବଡ଼ ଗଡ଼ବଡ଼ । ଏମିତି ଏକ ସାଂଘାତିକ ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ପାଖାପାଖି ୫୦ ନିର୍ବାଚନମଣ୍ଡଳିରେ ଭୋଟ ଦାନ ସଂଖ୍ଯାରେ ବିଶାଳ ତାରତମ୍ୟ ଦେଖିବାକୁ ମିଳିଛି ।
୨୦୨୪ ଓଡିଶାରେ ନିର୍ବାଚନ ବେଳେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ଭୋଟଦାନ ସଂଖ୍ୟା ନେଇ ଦୁଇ ପ୍ରକାରର ତଥ୍ୟ ସୃଷ୍ଟି କରିଛି ସନ୍ଦେହ । ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସରଙ୍କ ତାଲିକା ମଧ୍ୟରେ ରହିଛି ବଡ ତାରତମ୍ୟ । ଭୋଟଦାନ କେନ୍ଦ୍ରରେ ଭୋଟର କେତେ ଭୋଟ ଦେଲେ ତାର ହିସାବ ଫର୍ମ- ୧୭ରେ ପ୍ରିଜାଇଡିଂ ଅଫିସର ଦେଇଥାନ୍ତି । ନିର୍ବାଚନମଣ୍ଡଳିର ପ୍ରିଜାଇଡିଂ ଅଫିସରଙ୍କ ରିପୋର୍ଟ ଆଧାରରେ ରିଟର୍ଣ୍ଣିଂ ଅଫିସର ଫର୍ମ-୨୦ରେ ମୋଟ ଭୋଟ ଦାନର ହିସାବ ଦେଇଥାନ୍ତି ।
ଏହାଛଡା, ଓଡିଶାର ଅନେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସର ଦେଇଥିବା ହିସାବ ମଧ୍ୟରେ ତାଳମେଳ ନାହିଁ । ଇଭିଏମରେ ଭୋଟିଂ ହୋଇଥିବାରୁ ଗୋଟିଏ ବି ଭୋଟ ତାରତମ୍ୟ ହେବା କଥା ନୁହେଁ । ଗୋଟିଏ ଭୋଟ ବି ତାରତମ୍ୟ ଅର୍ଥାତ କେଉଁଠି ନା କେଉଁଠି ହୋଇଛି ଗଡବଡ । କେତେକ ନିର୍ବାଚନ ମଣ୍ଡଳୀରେ ୩୦ପ୍ରତିଶତରୁ ଅଧିକ ଭୋଟ ତାରତମ୍ୟ ରହିଥିବା ଦେଖିବାକୁ ମିଳିଛି । ଏଭଳି ତାରତମ୍ୟ ଅର୍ଥ ଏକ ବଡଧରଣର ଜାଲିଆତି ହୋଇଥିବା ସନ୍ଦେହ ସୃଷ୍ଟି କରିଛି । ଏନେଇ ବିଜେଡିର ସାଂସଦମାନେ ନିର୍ବାଚନ କମିଶନଙ୍କୁ ଭେଟି ସ୍ପଷ୍ଟିକରଣ ମାଗିଛନ୍ତି ।
ନିର୍ବାଚନରେ ବ୍ୟାପକ ଗଡବଡ ଓ ଅନିୟମିତତା ହୋଇଥିବା ଅଭିଯୋଗ ପୂର୍ବରୁ ସମସ୍ତ ରାଜନୈତିକ ଦଳ ଉଠାଇଥିଲେ । ଭୋଟ ହୋଇଥିବା କିଛି ବୁଥର ଏହି ଭୋଟ ତାରତମ୍ୟକୁ ଉଦାହରଣ ଭାବେ ନେଲେ ବୁଝିହେବ କେମିତି ହୋଇଛି ଗଡବଡ । ଫୁଲବାଣୀ ବିଧାନସଭା ଆସନ – ବୁଥ ନମ୍ବର-୫୭ରେ ଫର୍ମ ୧୭(ସି) ଓ ଫର୍ମ ୨୦ ଭିତରେ ଭୋଟ ତାରତମ୍ୟ ହେଉଛି ୬୮୨ ଖଣ୍ଡ ଭୋଟ । ସେହିପରି ତଳସରା ବିଧାନସଭା ଆସନ – ବୁଥ ନମ୍ବର-୧୬୫ ଓ ୨୧୯ରେ ହୋଇଥିବା ମତଦାନରେ ରହିଛି ବ୍ୟବଧାନ ।
ଫର୍ମ ୧୭(ସି) ଓ ଫର୍ମ ୨୦ ମଧ୍ୟରେ ତାରତମ୍ୟ ହେଉଛି ୬୬୦ ଓ ୭୮୪ ଖଣ୍ଡ ଭୋଟ । ଠିକ୍ ସେହିପରି ଏକାମ୍ର ଭୁବନେଶ୍ବର ବିଧାନସଭା ଆସନ – ବୁଥ ନମ୍ବର-୦୩ରେ, ଫର୍ମ ୧୭(ସି) ଓ ଫର୍ମ ୨୦ ମଧ୍ୟରେ ତାରତମ୍ୟ ହେଉଛି ୪୨ ଖଣ୍ଡ ଭୋଟ । ଟିଟିଲାଗଡ଼ ବିଧାନସଭା ନିର୍ବାଚନମଣ୍ଡଳିର ବୁଥ ନମ୍ବର-୨୦୦ ରେ ଫର୍ମ- ୧୭ (ସି) ଓ ଫର୍ମ- ୨୦ ମଧ୍ୟରେ ତାରତମ୍ୟ ହେଉଛି ୩ଖଣ୍ଡ ଭୋଟ । ସେହିପରି ସମ୍ବଲପୁର ବିଧାନସଭା ଆସନ – ବୁଥ ନମ୍ବର-୧୭ରେ ଫର୍ମ ୧୭(ସି) ଓ ଫର୍ମ ୨୦ ମଧ୍ୟରେ ତାରତମ୍ୟ ହେଉଛି ୨ଖଣ୍ଡ ଭୋଟ । ବାଲେଶ୍ବର ବିଧାନସଭା ଆସନ – ବୁଥ ନମ୍ବର-୩୮ରେ ଫର୍ମ ୧୭(ସି) ଓ ଫର୍ମ ୨୦ ମଧ୍ୟରେ ତାରତମ୍ୟ ହେଉଛି ଖଣ୍ଡିଏ ଭୋଟ ।
ଭୋଟ ଦିନର ମତଦାନ ହାର ସୂଚନା ଓ ପରବର୍ତ୍ତୀ ଅପଡେଟ ମଧ୍ୟରେ ପାର୍ଥକ୍ୟ ଅତିବେଶୀରେ ୦.୫ ପ୍ରତିଶତରୁ ୧.୫ ପ୍ରତିଶତ ମଧ୍ୟରେ ରହିବା କଥା । ଅତୀତରେ ଅର୍ଥାତ ୨୦୦୪, ୨୦୦୯, ୨୦୧୪, ୨୦୧୯ରେ ଏହି ତାରତମ୍ୟ ୦.୫ରୁ ୧.୫ ପ୍ରତିଶତ ମଧ୍ୟରେ ସୀମିତ ରହିଥିଲା । କିନ୍ତୁ ଚଳିତ ଥର, ସମ୍ଭବତଃ ଇତିହାସରେ ପ୍ରଥମ ଥର ପାଇଁ ୫୦ଟି ବିଧାନସଭା ନିର୍ବାଚନମଣ୍ଡଳିରେ ଭୋଟ ଗ୍ରହଣ ଦିନର ମତଦାନ ହାର ଓ ଦୁଇ ଦିନ ପରେ ଦିଆଯାଇଥିବା ମତଦାନ ହାର ମଧ୍ୟରେ ତାରତମ୍ୟ ୧୫ରୁ ୩୦ ପ୍ରତିଶତ ରହିଛି, ଯାହାକି ନିର୍ବାଚନରେ ଏକ ବଡ ଧରଣର ଜାଲିଆତି ବୋଲି କୁହାଯାଇଛି ।