ଚତୁର୍ଥ ଥର ଲାଗି ଦିଲ୍ଲୀରେ ପ୍ରଜ୍ଞାପନ ମେଢ ରିଜେକ୍ଟ ; କେନ୍ଦ୍ରର ବିଜେପିକୁ ଟାର୍ଗେଟ କଲେ କେଜରିୱାଲ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଅନୁଷ୍ଠିତ ହେବାକୁ ଥିବା ପରେଡରେ ପ୍ରଜ୍ଞାପନ ମେଢକୁ ରିଜେକ୍ଟ କରାଯାଇଛି। ଲଗାତାର ଚତୁର୍ଥ ଥର ଲାଗି ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ ବାଦ ପଡିଛି। ଦିଲ୍ଲୀରେ ରାଷ୍ଟ୍ରୀୟ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବାବେଳେ ଲଗାତାର ଚତୁର୍ଥଥର ଲାଗି ପ୍ରଜ୍ଞାପନ ମେଢ ବାଦ ପଡିବାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ କଡ଼ା ସମାଲୋଚନା କରିଛି ଦିଲ୍ଲୀ ବିଜେପି। ଆରମ୍ଭ ହୋଇଯାଇଛି ଦୁଇ ଦଳ ମଧ୍ୟରେ ବାକ ଯୁଦ୍ଧ। ପ୍ରସଙ୍ଗକୁ ନେଇ କେନ୍ଦ୍ରର ବିଜେପି ନେତୃତ୍ଵାଧିନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅରବିନ୍ଦ କେଜରିୱାଲ।

କେଜରିୱାଲ କହିଛନ୍ତି, କିଛି ବର୍ଷ ହେଲାଣି ଦିଲ୍ଲୀର ପ୍ରଜ୍ଞାପନ ମେଢ଼ କାହିଁକି ପରେଡରେ ସାମିଲ ହେଉନାହିଁ । ଏହା କେଉଁ ପ୍ରକାର ରାଜନୀତି। ସେମାନେ କାହିଁକି ଦିଲ୍ଲୀର ଲୋକଙ୍କୁ ଏତେ ମାତ୍ରାରେ ଘୃଣା କରୁଛନ୍ତି। ୨୬ ଜାନୁଆରୀ ପ୍ୟାରେଡରେ ପ୍ରଜ୍ଞାପନ ମେଢ଼ ଓ ଦିଲ୍ଲୀର ଲୋକଙ୍କୁ ସାମିଲ ହେବାରେ କାହିଁକି ରୋକା ଯାଉଛି ବୋଲି ପଚାରିଛନ୍ତି କେଜରିୱାଲ। ଦେଶର ରାଜଧାନୀ ପ୍ରତିବର୍ଷ ଜାନୁଆରୀ ୨୬ ପ୍ୟାରେଡରେ ସାମିଲ ହେବା ଦରକାର ବୋଲି କହିଛନ୍ତି।

ସେପଟେ ବିଜେପି ମଧ୍ୟ ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରିଛି। କହିଛନ୍ତି, ଆପ ପ୍ରଜ୍ଞାପନ ମେଢରେ କଣ ପ୍ରଦର୍ଶିତ କରିବାକୁ ଚାହୁଛନ୍ତି। କେଜ୍ରିୱାଲ ଏହି ପ୍ରସଙ୍ଗରେ ମଧ୍ୟ ରାଜନୀତି କରିବାକୁ ଚାହୁଁଛନ୍ତି ବୋଲି କହିଛି ବିଜେପି ।