ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ଆବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବା କଥା ମାନିଲେ ଅଜିତ ପାୱାର
ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ମନ୍ତ୍ରିମଣ୍ଡଳ ଆବଣ୍ଟନ ପରେ ଅନେକ ମନ୍ତ୍ରୀ ଏହାକୁ ନେଇ ଅସନ୍ତୁଷ୍ଟ ଥିବା ଖବର ପଦାକୁ ଆସୁଛି। ଏହି କଥାକୁ ଖୋଦ ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର ସ୍ୱୀକାର କରିଛନ୍ତି। ଦେବେନ୍ଦ୍ର ଫଡନାବିସଙ୍କ ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଥିବାବେଳେ ଏଥିରେ ମେଣ୍ଟର କିଛି ନେତା ଅସନ୍ତୁଷ୍ଟ ଥିବା କହିଛନ୍ତି ଅଜିତ ପାୱାର। ଆଜି ଅର୍ଥ ବିଭାଗର ଦାୟିତ୍ଵ ଗ୍ରହଣ କରିବେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ମନ୍ତ୍ରିମଣ୍ଡଳରେ ମୋଟ ୬ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ଯେଉଁଠିକି ୩୬ ଜଣ କ୍ଯାବିନେଟ ମନ୍ତ୍ରୀ ରହିଛନ୍ତି। ଏତେ ସଂଖ୍ୟକ କ୍ୟାବିନେଟ ମନ୍ତ୍ରୀ ରହିଥିବବେଳେ ବିଭାଗ ବଣ୍ଟନକୁ ନେଇ ଅସନ୍ତୋଷ ଲାଗି ରହିଛି। ମେଣ୍ଟ ସରକାର ହୋଇଥିବାରୁ ଅଧିକାଂଶ ବିଭାଗ ଗୁଡିକୁ ମୁଖ୍ୟମନ୍ତ୍ରୀ ନିଜ ପାଖରେ ନରଖି ବିଭାଗୀୟ ମନ୍ତ୍ରୀମାନଙ୍କୁ ଆବଣ୍ଟିତ କରିଛନ୍ତି। ଏହା ପରେ ବି ମନ୍ତ୍ରିମଣ୍ଡଳରେ ଅସନ୍ତୋଷ ଖବର ଶୁଣିବାକୁ ମିଳୁଛି।
ପ୍ରଥମେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଲାଗି ରହିବା ପରେ ଗୃହ ମନ୍ତ୍ରାଳୟ ବିଭାଗକୁ ନେଇ ମଧ୍ୟ ବିବାଦ ଲାଗି ରହିଥିଲା। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୃହ ମନ୍ତ୍ରାଳୟର ଦାୟିତ୍ଵ ନେବାକୁ ଇଚ୍ଛୁକ ଥିଲେ। ତେବେ ଏହି ବିଭାଗ ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ ବାରାମତିରେ ରୋଡ ଶୋ’ କରିବାବେଳେ ଏହି ସୂଚନା ଦେଇଥିଲେ ଅଜିତ ପାୱାର। ମହାରାଷ୍ଟ୍ରର କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ନିଜ ପାଖରେ ଗୃହ, ଆଇନ, ଶକ୍ତି, ସାଧାରଣ ପ୍ରଶାସନ ଏବଂ ସୂଚନା ଓ ଲୋକ ସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଭଳି ବିଭାଗରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେପଟେ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଅର୍ଥ, ଯୋଜନା, ଓ ଅବକାରୀ ଭଳି ବିଭାଗ ମିଳିଛି।