ଭଲ ନାହିଁ ଦେଶର ଅର୍ଥନୀତି: ନଭେମ୍ବରରେ ସବୁ ରେକର୍ଡ ଭାଙ୍ଗିଲା ବାଣିଜ୍ୟ ନିଅଣ୍ଟ

ଭୁବନେଶ୍ବର: ଡଲାର ତୁଳନାରେ ଦିନକୁ ଦିନ ଦୁର୍ବଳ ହେଉଛି ଟଙ୍କା । କମୁଛି ରପ୍ତାନୀ, ବଢୁଛି ଆମଦାନୀ । ନଭେମ୍ବରରେ ସବୁ ରେକର୍ଡ ଭାଙ୍ଗିଛି ବାଣିଜ୍ୟ ନିଅଣ୍ଟ । କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ରିପୋର୍ଟ କହୁଛି, ଗତମାସରେ ବାଣିଜ୍ଯ ନିଅଣ୍ଟ ୩୭.୮ ବିଲିୟନ ଡଲାର ଅର୍ଥାତ ୩ ଲକ୍ଷ ୧୪ ହଜାର ୫ ଶହ କୋଟି ଛୁଇଁଛି । ଏପରି ଚାଲିଲେ ଦେଶର  ଅର୍ଥନୀତି ଆହୁରି ଦୁର୍ଦ୍ଦିନକୁ ଚାଲିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଦେଶରେ ରପ୍ତାନୀ କମୁଛି । ସୁନା, ତୈଳ, ଔଷଧ ଆମଦାନୀ ଯୋଗୁଁ ବାଣିଜ୍ୟ ନିଅଣ୍ଟ ସବୁ ରେକର୍ଡ ପାର କରିଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୫ ଟଙ୍କା ପାର୍ କଲାଣି । ଯାହାକି ଗତ ୧୦ ମାସ ଭିତରେ ସର୍ବାଧିକ । ଆଗକୁ ଟଙ୍କାର ମୂଲ୍ୟ ଆଡୁରି ଦୁର୍ବଳ ହେବାର ଆଶଙ୍କା ରହିଛି । ୨୦୨୪ ଏପ୍ରିଲରୁ ନଭେମ୍ବର ଭିତରେ ଦେଶର ରପ୍ତାନୀ ହାର ୨.୨ ପ୍ରତିଶତ ରହିଛି ଯାହାକି ୨୪ ଲକ୍ଷ ୧୪ ହଜାର କୋଟି । ଅନ୍ୟପଟେ ଆମଦାନୀ ପରିମାଣ ୪ ଗୁଣ ବଢି ୮.୩ ପ୍ରତିଶତରେ ପହଞ୍ଚିଛି ।

୮ ମାସ ଭିତରେ ଭାରତର ସୁନା, ତୈଳ ଆମଦାନୀ ପରିମାଣ ୪୧ ଲକ୍ଷ ୩୧ ହଜାର କୋଟି ହୋଇଛି । ସବୁଠୁ ସୁନା ଆମଦାନୀ ନେଇ ଭାରତକୁ ଅଧିକ ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ିଛି । ଯାହାକି ବାଣିଜ୍ୟ ଅସନ୍ତୁଳନକୁ ଆହୁରି ବଢାଇ ଦେଇଛି । ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଆଶଙ୍କା ଏପରି ଚାଲିଲେ ଡଲାର ତୁଳନାରେ ଟଙ୍କା ଆହୁରି ଦୁର୍ବଳ ହେବ । କେନ୍ଦ୍ର ସରକାରଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ିବ । ଯାହାକି ଘରୋଇ ଉତ୍ପାଦକୁ ଆହୁରି ପ୍ରଭାବିତ କରିବ । ଦରଦାମ ଆକାଶଛୁଆଁ ହୋଇଥିବାରୁ ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସୁନି । ବାଣିଜ୍ୟ ନିଅଣ୍ଟ ବଢିଲେ ଦରଦାମ ଆଉ ନିୟନ୍ତ୍ରଣକୁ ଆସିବନି । ଏସବୁ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତିର କୁପରିଣତି । ଏହି କଥାକୁ ଶିଳ୍ପ ସଂଘ ଅନୁଭବ କରୁଥିଲେ ବି ସିଧା ସିଧା କେନ୍ଦ୍ର ସରକାରଙ୍କ ବିରୋଧରେ କହିବାକୁ ଥ ଥ ମ ମ ହୋଇଛି ।

ବିଶ୍ବରେ ଶିଳ୍ପ ଉତ୍ପାଦ ରପ୍ତାନୀରେ ଭାରତ ନବମ ସ୍ଥାନରେ ରହିଥିବାବେଳେ ସେବା ରପ୍ତାନୀରେ ଷଷ୍ଠ ସ୍ଥାନରେ ରହିଛି । ବିଶ୍ବରେ ମାନ୍ଦାବସ୍ଥା ଚାଲିଛି ସତ । ହେଲେ ଜାପାନ, ଦକ୍ଷିଣ କୋରିଆ ଓ ଚୀନ ତୁଳନାରେ ଭାରତର ରପ୍ତାନୀ ବହୁତ କମ୍ । ଯେପର୍ଯ୍ୟନ୍ତ ରପ୍ତାନୀ ବୃଦ୍ଧି ନ ହେବ ସେ ପର୍ଯ୍ୟନ୍ତ ଭାରତର ବାଣିଜ୍ୟ ନିଅଣ୍ଟ ସମୁତୁଲ ହେବନି ।

ଭାରତ ପ୍ରତିରକ୍ଷା ରପ୍ତାନୀ ଉଲ୍ଲେଖନୀୟ ରହିଛି । କିନ୍ତୁ ନୂଆ ଉଦ୍ଭାବନ ଓ ଗୁଣାତ୍ମକ ଉତ୍ପାଦନରେ ଅନ୍ୟ ଦେଶ ତୁଳନାରେ ଭାରତ ସେତେଟା ପ୍ରତିଯୋଗିତାମୂଳକ ହୋଇପାରିନି । ଏବେ ଦେଶର ଜିଡିପି ତୁଳନାରେ ବାଣିଜ୍ୟ ନିଅଣ୍ଟ ୧ ପ୍ରତିଶତ ରହିଛି । ଆଗକୁ ବାଣିଜ୍ୟ ନିଅଣ୍ଟ ଯଦି ଆହୁରି ବଢିବ ତା’ହେଲେ ଜିଡିପିର ୧.୪ ପ୍ରତିଶତକୁ ବାଣିଜ୍ୟ ନିଅଣ୍ଟ ଛୁଇଁବ ବୋଲି ଅର୍ଥନୀତି ସମୀକ୍ଷକ ମତ ଦେଇଛନ୍ତି ।

ବାଣିଜ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ନଭେମ୍ବରରେ ବୈଦ୍ଯୁତିକ ସାମଗ୍ରୀ ଆମଦାନୀ ୧୭.୪ ପ୍ରତିଶତ, ପେଟ୍ରୋଲିୟମ୍ ଉତ୍ପାଦ ୭.୯ ପ୍ରତିଶତ, ବୈଦ୍ଯୁତିକ ମେସିନାରୀ ୧୨.୮ ପ୍ରତିଶତ, କେମିକାଲ୍ସ ୬.୫ ପ୍ରତିଶତ ଓ ଖାଇବା ତେଲ ୮୭.୮ ପ୍ରତିଶତ ଭାରତ ବିଦେଶରୁ ଆମଦାନୀ କରିଛି ।