ଟ୍ରାଫିକ ମାମଲା ହ୍ରାସ ଲାଗି ଦିଲ୍ଲୀରେ ଅଭିନବ ପଦକ୍ଷେପ: ଆଜିଠାରୁ ଚାଲିବ ସ୍ବତନ୍ତ୍ର ସନ୍ଧ୍ୟା କୋର୍ଟ ସେସନ
ନୂଆଦିଲ୍ଲୀ: ଆଜିଠାରୁ ରାଜଧାନୀ ଦିଲ୍ଲୀରେ ଚାଲିବ ସ୍ୱତନ୍ତ୍ର ସନ୍ଧ୍ୟା କୋର୍ଟ ସେସନ । ଦିଲ୍ଲୀ ଟ୍ରାଫିକ ପୋଲିସ ଓ ଦିଲ୍ଲୀ ଜିଲ୍ଲା କୋର୍ଟର ସହଭାଗିତାରେ ଏହି କୋର୍ଟ ଚାଲିବ। ବିଶେଷ କରି ଟ୍ରାଫିକ ଉଲ୍ଲଂଘନ ମାମଲାଗୁଡିକର ସମାଧାନ ଲାଗି ଏହି ସ୍ବତନ୍ତ୍ର ସେସନ ଉଦ୍ଦିଷ୍ଟ । ଦୀର୍ଘ ଦିନ ଧରି ପଡିରହିଥିବା ମାମଲାର ଅବସାନ ଲାଗି ଏହା ଏକ ସୁଯୋଗ ବୋଲି କୁହାଯାଇଛି । ଏହି ସନ୍ଧ୍ୟା କୋର୍ଟ ସେସନ ସନ୍ଧ୍ୟା ୫ଟାରୁ ରାତି ୭ଟା ଯାଏ ଚାଲିବ । ଦ୍ବାରକା, କର୍କରଦୋମା, ପଟିଆଲା ହାଉସ, ରୋହିଣୀ, ରାଉସ ଆଭେନ୍ୟୁ, ସାକେତ, ତିସହଜାରୀ ସମେତ ୧୨ ଟି ଜିଲ୍ଲା କୋର୍ଟରେ ଏହି କୋର୍ଟ ସେସନ କାର୍ଯ୍ୟ କରିବ ।
୨୦୨୧ ଡିସେମ୍ବର ୩୧ ଯାଏ ଇସ୍ଯୁ ହୋଇଥିବା ଚାଲାଣ କ୍ଷେତ୍ରରେ ଗାଡିମାଲିକମାନେ କୋର୍ଟରେ ହାଜର ହେବା ଲାଗି କୁହାଯାଇଛି । ବିଶେଷ କରି ହେଲମେଟ ନପିନ୍ଧିବା, ସିଟ୍ ବେଲ୍ଟ ନ ପିନ୍ଧିବା, ରେଡଲାଇଟକୁ ଅତିକ୍ରମ କରିବା ଆଦି ମାମଲାର ଏହି ସେସନ କୋର୍ଟରେ ଶୁଣାଣି କରାଯିବ। ଅଣଅପରାଧିକ ମାମଲାର ରଫାଦଫା କରିବା ଲାଗି ନିଜ ଇଚ୍ଛାନୁସାରେ ବିଚାରପତିମାନେ ଜରିମାନା ହ୍ରାସ କରିବାର ବ୍ୟବସ୍ଥା ରହିଛି।