ସାଂସଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ବିଦ୍ୟୁତ ଚୋରି ଅଭିଯୋଗରେ ମାମଲା ରୁଜୁ

ଲକ୍ଷ୍ନୌ: ସମ୍ଭଲ ହିଂସାର ଅନ୍ୟତମ ଅଭିଯୁକ୍ତ ସମାଜବାଦୀ ପାର୍ଟି ସାଂସଦ ଜିଆଉ ରେହମାନ ବର୍କ ପୁଣିଥରେ ସମସ୍ୟାରେ ପଡିବାକୁ ଯାଉଛନ୍ତି  । କାରଣ ତାଙ୍କ ନାମରେ ଏଥର ବିଜୁଳି ଚୋରି ଅଭିଯୋଗ ହୋଇଛି  । ସପା ସାଂସଦ ଚୋରି ବିଜୁଳିର ବ୍ୟବହାର କରୁଥିଲେ  । ତାଙ୍କ ଘର ମିଟର ଯାଞ୍ଚ ପରେ ପୋଲିସ ସାଂସଦଙ୍କ ବିରୋଧରେ ମାମଲା ରୁଜୁ କରିଛି  ।

ତିନି ଦିନ ପୂର୍ବରୁ ଦୀପାସରାୟ ସ୍ଥିତ ସାଂସଦଙ୍କ ଘରୁ ପୁରୁଣା ମିଟର ହଟାଯାଇ ନୂଆ ସ୍ମାର୍ଟ ମିଟର ଲଗାଯାଇଥିଲା  । ଏହା ପରେ ଗୁରୁବାର ସକାଳେ ବିପୁଳ ସଂଖ୍ୟାରେ ପୋଲିସ ଫୋର୍ସ ସହ ବିଜୁଳି ବିଭାଗର ଟିମ୍‌ ତାଙ୍କ ଘରେ ପହଞ୍ଚି ସ୍ମାର୍ଟ ମିଟର ଯାଞ୍ଚ କରିଥିଲା  । ଏହି ସମୟରେ ବିଜୁଳି ବିଭାଗ ଜାଣିବାକୁ ପାଇଥିଲା ଯେ ସାଂସଦଙ୍କ ଘରେ ଦୁଇ କିଲୋୱାଟର ବିଦ୍ୟୁତ ସଂଯୋଗ ରହିଛି  । କିନ୍ତୁ ସେଠାରେ ୧୬ ହଜାର ୪୮୦ କିଲୋୱାଟର ଲୋଡ୍‌ ମିଳିଥିଲା  । ବିଜୁଳି ଚୋରିର ତରିକା ଦେଖି ତାଜୁବ ହୋଇଯାଇଥିଲା ବିଦ୍ୟୁତ ବିଭାଗ  । ମିଟରରୁ ବାଏପାସ କରି ବିଜୁଳି ଚୋରି କରାଯାଉଥିଲା  । ଚୋରି ଧରାପଡିବା ପରେ ବିଦ୍ୟୁତ ଅଧିନିୟମ ଧାରା ୧୩୫ ଅନୁସାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି  ।

ସମ୍ଭଲ ଜିଲ୍ଲା ପ୍ରଶାସନ ଦୀପା ସରାୟ ସମେତ ଅନ୍ୟ ଅଞ୍ଚଳରେ ବିଜୁଳି ଚୋରି ବିରୋଧରେ ଅଭିଯାନ ଚଳାଇଛି  । ଏହି କ୍ରମରେ ସାଂସଦଙ୍କ ଘରେ ବି ଯାଞ୍ଚ ହୋଇଥିଲା । ଯାଞ୍ଚ ବେଳେ ତାଙ୍କ ଘରେ ଦୁଇଟି ନାଁରେ କନେକ୍ସନ ଥିବା ଜଣାପଡିଥିଲା  । ଗୋଟିଏ ମିଟର ତାଙ୍କ ନାଁରେ ଥିବାବେଳେ ଅନ୍ୟଟି ତାଙ୍କ ସ୍ବର୍ଗୀୟ ଜେଜେଙ୍କ ନାଁରେ ଥିଲା  । ଘରେ ସମସ୍ତ ବିଦ୍ୟୁତ ଉପକରଣ ଥାଇ ବି ଦୁଇଟି ଯାକ ମିଟରରେ ଜିରୋ ୟୁନିଟ୍‌ ରହିଥିଲା  ।