ୱାଲଟିୟର ଲଢେଇ ଜୋରଦାର କଲା ବିଜେଡି, ରେଳମନ୍ତ୍ରୀଙ୍କୁ ଭେଟିଲେ ବିଜେଡିର ୭ଜଣ ସାଂସଦ
1 min readଭୁବନେଶ୍ବର : ୱାଲଟିୟର ଲଢେଇ ଜୋରଦାର କଲା ବିଜେଡି । ରେଳମନ୍ତ୍ରୀଙ୍କୁ ଭେଟିଲେ ବିଜେଡିର ୭ଜଣ ସାଂସଦ । ପୂର୍ବତଟ ରେଳପଥକୁ ସଙ୍କୁଚିତ ନକରିବାକୁ ଦାବି । ସାଂସଦଙ୍କ ଶାଣିତ ସ୍ବରକୁ ସ୍ବାଗତ କଲେ ନେତା । କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ । ୱାଲଟିୟର ଡିଭିଜନକୁ ବିଶାଖାପାଟଣାରେ ମିଶାଇଦେବା ଷଡ଼ଯନ୍ତ୍ରକୁ ଦୃଢ ବିରୋଧ କରିଛି ବିଜେଡି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ୭ଜଣ ସାଂସଦ ଭେଟି ୱାଲଟିୟର ଡିଭିଜନ ସାଉଥ ସେଣ୍ଟ୍ରାଲ ରେଲୱେ-ବିଶାଖାପାଟଣା ସହିତ ନମିଶାଇବାକୁ ଦାବି କରିଛନ୍ତି । ରେଳବିଭାଗ ନେଉଥିବା ନିଷ୍ପତ୍ତିକୁ ସାଂସଦମାନେ ବିରୋଧ କରି ରେଳମନ୍ତ୍ରୀଙ୍କ ପାଖରେ ଓଡ଼ିଶାର ଦାବି ରଖିଛନ୍ତି । ଦିଲ୍ଲୀରେ ବିଜେଡି ସାଂସଦଙ୍କ ଓଡ଼ିଶାର ସ୍ବାର୍ଥ ପାଇଁ ଏପରି ଲଢେଇକୁ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂହ ସ୍ବାଗତ କରିଛନ୍ତି । ଯଦି ପୂର୍ବତଟ ରେଳବାଇକୁ ସଙ୍କୁଚିତ କରାଯିବ ତେବେ ୨୦ ହଜାର କୋଟି ଟଙ୍କା ଓଡିଶାର ରାଜସ୍ବ ହାନି ହେବ ବୋଲି ସେ ଅଭିଯୋଗ କରିଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରେ ପୂର୍ବତଟ ରେଳପଥ ହୋଇଥିଲା । ତେଣୁ ତୁରନ୍ତ କେନ୍ଦ୍ର ସରକାର ଏହି ନିଷ୍ପତ୍ତିରୁ ଓହରିଯିବାକୁ ବିଜେଡି ଦାବି କରିଛି । ଓଡ଼ିଶା ତାର ହକ ବଜାୟ ରଖିବ ବୋଲି ବିଜେଡି ଆଶା ରଖିଛି । କେନ୍ଦ୍ରରେ ବିଜେପି ସରକାର ଭାଙ୍ଗିଯିବା ଭୟରେ ଯଦି ଓଡ଼ିଶା ସ୍ବାର୍ଥକୁ ବଳିଦେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ତାହାକୁ ଆଗାମୀ ଦିନରେ ଦୃଢ ବିରୋଧ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି ।
ଦିଲ୍ଲୀରେ ବିଜେଡି ସାଂସଦମାନେ ୱାଲଟିୟର ଡିଭିଜନକୁ ଦୃଢ ବିରୋଧ କରିବା ପରେ କଂଗ୍ରେସ ଏହାକୁ ସମର୍ଥନ କରିଛି । ଆନ୍ଧ୍ର ପାଇଁ ୱାଲଟିୟର ଡିଭିଜନକୁ ବିଶାଖାପାଟଣାରେ ମିଶାଇଦେବା ନେଇ କେନ୍ଦ୍ର ସରକାରଙ୍କ ବଡ଼ ଷଡ଼ଯନ୍ତ୍ର ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ୱାଲଟିୟର ଡିଭିଜନକୁ ବିଶାଖାପାଟଣାରେ ମିଶାଇଦେବା ନିଷ୍ପତ୍ତିରେ ଓଡ଼ିଶା କେତେ ପାଇବ ଓ କେତେ ହରାଇବ ତାହାର ହିସାବ କେନ୍ଦ୍ର ରେଳମନ୍ତ୍ରୀ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ରେଳମନ୍ତ୍ରୀ ଓଡ଼ିଶା ସ୍ବାର୍ଥକୁ ଗୁରୁତ୍ବ ଦିଅନ୍ତୁ ଓ ରାଜନୈତିକ ବୟାନରୁ ନିବୃତ ରୁହନ୍ତୁ ବୋଲି ଶ୍ରୀକାନ୍ତ କହିଛନ୍ତି । ୱାଲଟିୟର ଡିଭିଜନ ଯଦି ଆନ୍ଧ୍ରକୁ ଯାଏ ତାହା ଚିନ୍ତାଜନକ l ଏହା ଓଡ଼ିଶାରେ ଭୟାବହ ପରିସ୍ଥିତି ସୃଷ୍ଟି କରିବ ବୋଲି ଶ୍ରୀକାନ୍ତ କହିଛନ୍ତି । ଅନ୍ୟପଟେ ଓଡିଶାର ଗୋଟେ ଇଞ୍ଚ ମଧ୍ୟ ଅଲଗା ରାଜ୍ୟକୁ ଯିବ ନାହିଁ । ଇଷ୍ଟ କୋଷ୍ଟ ତିନୋଟି ଡିଭିଜନ ନେଇ ଚାଲିବ ବୋଲି ବିଜେପି ପକ୍ଷରୁ ବାରମ୍ବାର ଯୁକ୍ତି ବଢାଯାଉଛି ।ଓଡ଼ିଶାରୁ ଦିଲ୍ଲୀ ଦରବାର ଯାଏ ପୂର୍ବ ତଟ ରେଳବାଇରୁ ୱାଲ୍ଟିୟର ଡିଭିଜନକୁ ବିଚ୍ଛିନ୍ନ କରିବା ପ୍ରସଙ୍ଗରେ ଜୋରଦାର ଲଢେଇ କରିଛି ବିଜେଡି । ବିଧାନସଭାରୁ ସଂସଦ ଯାଏ ଏ ପ୍ରସଙ୍ଗ ଉଠାଇ ଦଳର ବିଧାୟକ ଓ ସାଂସଦମାନେ ଓଡ଼ିଶାର ସ୍ବାର୍ଥ ପାଇଁ ଲଢେଇ କରୁଛନ୍ତି ଦଳୀୟ ଜନପ୍ରତିନିଧି ।