ପ୍ରତିଷ୍ଠା ଦିବସ ଲାଗି ସବୁ ପଦାଧିକାରୀଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ବର : ପାଖେଇ ଆସିଲାଣି ପ୍ରତିଷ୍ଠା ଦିବସ । ପ୍ରତି ନିର୍ବାଚନମଣ୍ଡଳିରେ ହେବ ପାଳନ । ବିଜେଡିର ସବୁ ପଦାଧିକାରୀଙ୍କୁ ନବୀନଙ୍କ ଚିଠି । ଜନସେବା କରିବାକୁ ନେବେ ସଂକଳ୍ପ । ଡିସେମ୍ବର ୨୬ ତାରିଖ । ୨୭ ବର୍ଷ ପୂରଣ କରି ୨୮ ବର୍ଷରେ ପଦାର୍ପଣ କରିବ ବିଜୁ ଜନତା ଦଳ । ଏଥିଲାଗି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ । ପ୍ରତି ନିର୍ବାଚନ ମଣ୍ଡଳୀରେ ପାଳନ କରାଯିବ ପ୍ରତିଷ୍ଠା ଦିବସ । ଏ ନେଇ ଦଳୀୟ ପଦାଧିକାରୀଙ୍କୁ ଚିଠି ଲେଖି ସେବା କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତ ୨୭ ବର୍ଷ ଧରି ଉତ୍ସର୍ଗୀକୃତ ଭାବେ ଜନଗଣଙ୍କ ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛି ବିଜେଡି । ୨୭ ବର୍ଷର ଏହି ଲମ୍ବା ସମୟରେ ଲୋକଙ୍କ ସେବା ଓ ରାଜ୍ୟର ବିକାଶ କରି ଆସୁଛି ବିଜେଡି । ଯାହା ବିଜେଡିକୁ ଦେଶରେ ଏକ ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବେ ପ୍ରଶଂସନୀୟ ପରିଚିତି ଦେଇଛି । ବିଜେଡି ବର୍ତ୍ତମାନ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ପରିଚାଳିତ ବିଜେଡି ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ଓ ଶୁଭେଚ୍ଛା ପାଇ ଆସିଛି । ଦଳର କର୍ମକର୍ତ୍ତା, ଜନପ୍ରତିନିଧ, ଗାଁରୁ ସହର ତଥା ବସ୍ତି ପର୍ଯ୍ୟନ୍ତ ଜନସେବାରେ ନିୟୋଜିତ କର୍ମୀ, ସାଥୀ ମାନଙ୍କ ନିଷ୍ଠା, କଠିନ ପରିଶ୍ରମ ଓ ମନୋଭାବ ଯୋଗୁଁ ବିଜୁ ଜନତା ଦଳକୁ ଲୋକଙ୍କ ନିକଟତର ହୋଇ ପାରିଛି ।
ଗତ ନିର୍ବାଚନରେ ବିରୋଧୀ ଦଳ ଥିବା ବିଜେଡି ଭୋଟ ହାରରେ ଆଗରେ ରହିଛି । ଏକ ଦାୟିତ୍ଵ ସମ୍ପନ୍ନ ବିରୋଧୀ ଦଳ ଭାବେ ବିଜେଡି ବିକାଶର ଆଭିମୁଖ୍ୟକୁ ଆଗେଇ ନେଉଛି । ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ଜନସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡ଼ିକରେ ଜନସାଧାରଣଙ୍କୁ ସଚେତନ କରାଇବ ଦଳ । ନବୀନ ସରକାର ଅମଳରେ ହାତକୁ ନିଆଯାଇଥିବା ସଫଳ କାର୍ଯ୍ୟକ୍ରମ ତଥା ନୂଆ ସରକାରଙ୍କ ଜନବିରୋଧୀ କାର୍ଯ୍ୟକ୍ରମ, ଦରଦାମ ବୃଦ୍ଧି ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଜନସାଧାରଣଙ୍କ ପ୍ରତି ପ୍ରତିଶୃତିର ଖିଲାଫ ସମ୍ପର୍କରେ ପ୍ରତିଷ୍ଠା ଦିବସରେ ଆଲୋଚନା ଆଲୋଚନା କରାଯିବ । ଏହି ଅବସରରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାବାସୀଙ୍କ ସ୍ବାଭିମାନକୁ ରକ୍ଷା କରିବାର ସଂକଳ୍ପ ନେବେ ଦଳୀୟ ନେତା ଓ କର୍ମୀ । ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ନବୀନ । ଆସନ୍ତା ୨୦୨୫ ନବବର୍ଷ ସମସ୍ତ ପାଇଁ ମଙ୍ଗଳମୟ ହେବା ନେଇ ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।