ରାଜ୍ୟସଭାରେ ସମ୍ବିଧାନ ଆଲୋଚନା ବେଳେ ଅମିତ ଶାହଙ୍କ ବିବାଦୀୟ ମନ୍ତବ୍ୟ !
ନୂଆଦିଳ୍ଲୀ : ବିଶିଷ୍ଟ ଜନନାୟକ ସମ୍ବିଧାନ ପ୍ରଣେତା ଡକ୍ଟର ଆମ୍ଵେଦକରଙ୍କୁ ନେଇ ଅମିତ ଶାହା ଯେଉଁ ମନ୍ତବ୍ୟ ଦେଇଥିଲେ, ତାକୁ ନେଇ ବଡ଼ ବିବାଦ। ଗତକାଲି ରାଜ୍ୟସଭାରେ ସମ୍ବିଧାନ ଆଲୋଚନା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏହି ବିବାଦୀୟ ମନ୍ତବ୍ୟ ଦେଇଥିବାର ବିରୋଧୀ ଅଭିଯୋଗ କରିଛନ୍ତି। ବିତର୍କରେ ଅମିତ ଶାହା କହିଥିଲେ, ଏବେ ଆମ୍ବେଦକରଙ୍କ ନାଁ ନେବା ଏକ ଫ୍ୟାସନ ହୋଇଗଲାଣି। ଖାଲି କହୁଛନ୍ତି ଆମ୍ଵେଦକର, ଆମ୍ଵେଦକର, ଆମ୍ଵେଦକର, ଆମ୍ଵେଦକର … ଯଦି ଏତେ ଥର ଭଗବାନଙ୍କ ନାଁ ନେଇଥାନ୍ତ, ତେବେ ସ୍ଵର୍ଗରେ ପହଞ୍ଚିଥାନ୍ତ। ତାଙ୍କର ଏହି ମନ୍ତବ୍ୟକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। ବିରୋଧୀ ଅଭିଯୋଗ କରିଛନ୍ତି, ଭାରତର ଗଣତନ୍ତ୍ରରେ ଆମ୍ବେଦକର ଭଗବାନଙ୍କଠାରୁ କମ୍ ନୁହନ୍ତି। ସେ ଦେଶର ସମ୍ବିଧାନ ପ୍ରଣୟନରେ ମୁଖ୍ୟ ଭୂମିକା ନେଇଥିଲେ। ତାଙ୍କୁ ବଡ଼ ଅପମାନ ଦେଇଛନ୍ତି ଅମିତ ଶାହା। ଦେଶର ସମ୍ବିଧାନର ପ୍ରଣେତାଙ୍କୁ ଏହି ଅପମାନ ବରଦାସ୍ତ କରାଯିବ ନୁହେଁ। ତେଣୁ ଆଜି ପାର୍ଲାମେଣ୍ଟ ପରିସରରେ ବିରୋଧୀ ଦଳର ସାଂସଦମାନେ ବିକ୍ଷୋଭ କରିଛନ୍ତି । ଆମ୍ବେଦକରଙ୍କ ପୋଷ୍ଟର ଧରି ପ୍ରତିବାଦ କରିଛନ୍ତି। ଅମିତ ଶାହା ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ । ସେପଟେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଅମିତ ଶାହଙ୍କ ମନ୍ତବ୍ୟକୁ କଦର୍ଥ କରି ପ୍ରଚାର କରାଯାଉଛି। ଲୋକସଭାରେ ବାରମ୍ବାର ହଙ୍ଗାମା ପରେ ଗୃହକୁ ଆସନ୍ତାକାଲି ୧୧ଟା ଯାଏ ମୁଲତବୀ ରଖାଯାଇଛି।