ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ରବିଚନ୍ଦ୍ରନ ଅଶ୍ୱିିନ

1 min read

ନନ୍ଦିଘୋଷ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ଵିନ। ସବୁ ଫର୍ମାଟରୁ ସେ ଅବସର ନେଇଛନ୍ତି । ଏବେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଚାଲିଥିବା ବେଳେ ବ୍ରିସବେନ ଟେଷ୍ଟ ପରେ ପରେ ସେ ଅବସର ଘୋଷଣା କରିଛନ୍ତି। ଏପରିକି ସେ ଚତୁର୍ଥ ଟେଷ୍ଟ ମଧ୍ୟ ଖେଳିବେ ନାହିଁ ।

ଟେଷ୍ଟ ମ୍ୟାଚ ପରେ ରୋହିତ ଶର୍ମାଙ୍କ ସହିତ କରିଥିବା ପ୍ରେସମିଟରେ ଘୋଷଣା କରିଛନ୍ତି ଅଶ୍ଵିନ। ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବା ପୁର୍ବରୁ ଅଶ୍ବୀନ ଡ୍ରେସିଙ୍ଗ ରୁମରେ ବିରାଟ କୋହଲିଙ୍କ ସହ ବସିଥିବାର ନଜର ଆସିଥିଲେ । ଯେଉଁ ସମୟରେ ବିରାଟ କୋହଲି ତାଙ୍କୁ ଆଲିଙ୍ଗନ ମଧ୍ୟ କରିଥିବାର ଦେଖା ଯାଇଥିଲା । ଏହି ସମୟରେ ଅଶ୍ୱିନ ଭାବୁକ ଥିବାର ନଜର ଆସିଛନ୍ତି ।

ସୂଚନାଯୋଗ୍ୟ, ପ୍ରାୟ ୧୩ ବର୍ଷ ଧରି ସେ ଭାରତୀୟ କ୍ରିକେଟର ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ। ୩୮ ବର୍ଷ ବୟସର ଏହି ସ୍ପିନର ଭାରତୀୟ ଦଳ ପାଇଁ ଅନେକ ରେକର୍ଡ ବନାଇଛନ୍ତି । ଗୁରୁତ୍ବପୁର୍ଣ୍ଣ ମ୍ୟାଚ ମାନଙ୍କରେ ଭାରତୀୟ ଦଳ ପାଇଁ ଅଶ୍ବୀନ ସଙ୍କଟମୋଚକ ସାବ୍ୟସ୍ତ ହୋଇଥାନ୍ତି । ଟେଷ୍ଟ ମ୍ୟାଚରେ ତାଙ୍କ ବୋଲିଂର ଯାଦୁ ଆଜି ମଧ୍ୟ ଖାସ ହୋଇ ରହିଛି । ଟେଷ୍ଟ କ୍ରିକେଟରେ ଭାରତ ତରଫରୁ ସେ ଦ୍ଵିତୀୟ ସର୍ବାଧିକ ୱିକେଟ ନେଇଛନ୍ତି। ଉଭୟ ଦେଶ ଓ ବିଦେଶରେ ଟିମ୍ ଇଣ୍ଡିଆର ଅନେକ ସ୍ମରଣୀୟ ବିଜୟର ସେ ଅନ୍ୟତମ ବିନ୍ଧାଣୀ ଥିଲେ। କ୍ରିକେଟରେ ତାଙ୍କୁ ଇଣ୍ଟିଲିଜେଣ୍ଟ ବୋଲର ଭାବେ ବିବେଚନା କରାଯାଏ। ୧୦୬ଟି ଟେଷ୍ଟ ଖେଳି ଆର୍ ଅଶ୍ଵିନ ୫୩୭ଟି ୱିକେଟ ନେଇଛନ୍ତି। ୩୭ ଥର ସେ ୫ ୱିକେଟ ବା ତାଠାରୁ ଅଧିକ ୱିକେଟ ନେଇଛନ୍ତି। ଟେଷ୍ଟରେ ସେ ୩ ହଜାର ୫୦୩ ରନ କରିଛନ୍ତି । ସେଥିରେ ରହିଛି ୬ଟି ସେଞ୍ଚୁରୀ ଓ ୧୪ଟି ଅର୍ଦ୍ଧ ଶତକ । ୱାନ ଡେ’ରେ ୧୧୬ଟି ମ୍ୟାଚ ଖେଳି ୧୫୬ଟି ୱିକେଟ ନେଇଛନ୍ତି।

ଅଶ୍ବୀନ ତାଙ୍କ କ୍ୟାରିଅରରେ ଇଂଲଣ୍ଡ ବିପକ୍ଷରେ ସବୁଠୁ ଅଧିକ ୱିକେଟ ନେଇଛନ୍ତି । ଇଂଲଣ୍ଡ ବିପକ୍ଷରେ ତିନୋଟି ଫର୍ମାଟରେ ୫୩ ଟି ମ୍ୟାଚରେ ୧୫୦ଟି ୱିକେଟ ତାଙ୍କ ନାମରେ ଦର୍ଜ ରହିଛି । ଦ୍ବିତୀୟ ସ୍ଥାନରେ ଅଷ୍ଟ୍ରେଲିଆ କଙ୍ଗାରୁ ଦଳ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଅଶ୍ବୀନ ୫୦ଟି ମ୍ୟାଚ ଖେଳି ୧୪୬ଟି ୱିକେଟ ପ୍ରାପ୍ତ କରିଛନ୍ତି । କେବଳ ବୋଲିଂ ନୁହଁ ବ୍ୟାଟିଂରେ ମଧ୍ୟ ଅଶ୍ବୀନଙ୍କ ନାଁରେ ଅନେକ ରେକର୍ଡ ରହିଛି । ଏକ ଦିବସୀୟ ମ୍ୟାଚରେ ୭୦୭ ରନ ରହିଛି ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ସାମିଲ ରହିଛି ।

ସେହିପରି ୬୫ଟି ଟି-ଟ୍ଵେଣ୍ଟି ଖେଳି ୭୨ଟି ୱିକେଟ ନେଇଛନ୍ତି ଅଶ୍ଵିନ। ୨୦୧୧ରେ ଦିଲ୍ଲୀରେ ୱେଷ୍ଟଇଣ୍ଡିଜ ବିରୋଧରେ ସେ ଡେବ୍ୟୁ କରିଥିଲେ। ଆଜି ଅବସର ନେବା ସହିତ ଏକ ଯୁଗର ଅବସାନ ହୋଇଛି।

ଅଶ୍ବୀନ ସନ୍ୟାସ ନେବା ସମୟରେ ଖୁବ ଭାବୁକ ହୋଇଥିଲେ । ଅଶ୍ବୀନଙ୍କ ନେଟୱାର୍ଥ ପାଖାପାଖି ୧୦୦ କୋଟି ରହିଛି । ତାଙ୍କ ପାଖରେ ଆଲୀଶାନ ବଙ୍ଗଳା ସହିତ ଅଡି ଓ ରୋଲ୍ସ ରୟଲ୍ସ ପରିକା ଅନେକ ଦାମୀ ଗାଡି ରହିଛି । ସନ୍ୟାସ ନେବାପରେ ଭାରତୀୟ କ୍ରିକେଟ ପ୍ରତି ଅଶ୍ବୀନଙ୍କ ଅବଦାନ ମନେ ପକାଇ ଭାରତୀୟ କ୍ରିକେଟ ବୋର୍ଡ ଏକ ପୋଷ୍ଟ ସେୟାର କରି ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛି ।