ପାଲେଷ୍ଟାଇନ ବ୍ୟାଗ ଧରି ସଂସଦ ପହଞ୍ଚିଲେ ପ୍ରିୟଙ୍କା ..

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାକୁ ଆସିଛି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ପାଲେଷ୍ଟାଇନ ପ୍ରେମ । ନବନିର୍ବାଚିତ ସାଂସଦଙ୍କ ପାଲେଷ୍ଟାଇନ ପ୍ରେମ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।ପ୍ରିୟଙ୍କା ଗାନ୍ଧୀ “ପାଲେଷ୍ଟାଇନ” ଲେଖାଯାଇଥିବା ବ୍ୟାଗ ନେଇ ସଂସଦରେ ପହଞ୍ଚିଛନ୍ତି । ସଂସଦରୁ ଏକ ଚିତ୍ର ସାମ୍ନାକୁ ଆସିଛି ଯେଉଁଥିରେ ତାଙ୍କ ବ୍ୟାଗରେ ‘ପାଲେଷ୍ଟାଇନ’ ଲେଖାଯାଇଛି । ଏହି ବ୍ୟାଗ୍ ମାଧ୍ୟମରେ ପ୍ରିୟଙ୍କା ଗାନ୍ଧୀ ପୁଣି ଥରେ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି ବୋଲି ସିଧାସଳଖ ବାର୍ତ୍ତା ଦେଇଛନ୍ତି । ଏହା ପ୍ରଥମ ଥର ନୁହେଁ ଯେ ପ୍ରିୟଙ୍କା ଗାନ୍ଧୀ ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି । ସେ ନିକଟରେ ଭାରତ ଗସ୍ତରେ ଆସିଥିବା ପାଲେଷ୍ଟାଇନର ରାଷ୍ଟ୍ରଦୂତ ଆବେଦ ଏଲ୍ରାଜେଜ ଆବୁ ଜାଜରଙ୍କୁ ଭେଟିଥିଲେ। ପାଲେଷ୍ଟାଇନ ରାଷ୍ଟ୍ରଦୂତ ପ୍ରିୟଙ୍କା ଗାନ୍ଧୀଙ୍କୁ ୱାୟାନାଡ ଲୋକସଭା ନିର୍ବାଚନରେ ​​ବିଜୟ ପାଇଁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ ।

ଏହି ଭେଟଘାଟରେ ପ୍ରିୟଙ୍କା ଗାନ୍ଧୀ ପାଲେଷ୍ଟାଇନ ପାଇଁ ସମର୍ଥନ ଜଣାଇଛନ୍ତି । ସ୍ୱାଧୀନତା ହାସଲ ପାଇଁ ପାଲେଷ୍ଟାଇନ ଲୋକଙ୍କ ସଂଗ୍ରାମକୁ ସେ ସମର୍ଥନ ଜଣାଇଛନ୍ତି। ସେ ପିଲାଦିନରୁ ପାଲେଷ୍ଟାଇନର ହିତରେ ଅଛନ୍ତି ଏବଂ ସେମାନଙ୍କୁ ଉଚିତ୍ ନ୍ୟାୟ ମିଳୁ ବୋଲି ସେ ଦାବି କରିଛନ୍ତି ।  ଏହା ବ୍ୟତୀତ ସେ ପାଲେଷ୍ଟାଇନ ନେତା ୟାସିର ଆରାଫତଙ୍କ ଭାରତ ଗସ୍ତ ସମୟରେ ତାଙ୍କର ସାକ୍ଷାତ ବିଷୟରେ ଉଲ୍ଲେଖ କରିଥିଲେ ।

ପାଲେଷ୍ଟାଇନ ରାଷ୍ଟ୍ରଦୂତଙ୍କ ସହ ସାକ୍ଷାତ ସମୟରେ ପ୍ରିୟଙ୍କା ଗାନ୍ଧୀ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପାଲେଷ୍ଟାଇନକୁ ସମର୍ଥନ କରୁଥିବା ଜଣାପଡିଥିଲା । ଏହି ବୈଠକରେ  ସେ ଗାଜାରେ ଇସ୍ରାଏଲ୍ ସେନାର କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଏହି ଅଞ୍ଚଳରେ ଘଟିଥିବା ବିନାଶ ପାଇଁ ଦୁଃଖପ୍ରକାଶ କରିଛନ୍ତି । କଂଗ୍ରେସ ସାଂସଦ କହିଛନ୍ତି, ଏହି ଯୁଦ୍ଧରେ ନିଜ ସନ୍ତାନ ହରାଇଥିବା ପ୍ରତ୍ୟେକ ମାତାଙ୍କୁ ମୁଁ ସମବେଦନା ଜଣାଉଛି । ଗାଜାର ସଙ୍କଟକୁ ଦୂର କରିବାରେ ସେ ଅନ୍ତର୍ଜାତୀୟ ଗୋଷ୍ଠୀର ନିରବତାକୁ ମଧ୍ୟ ସମାଲୋଚନା କରିଛନ୍ତି । ଜୁଲାଇ ମାସରେ ପ୍ରିୟଙ୍କା ଗାନ୍ଧୀ ଗାଜାରେ ଇସ୍ରାଏଲର କାର୍ଯ୍ୟକଳାପକୁ ବର୍ବର ବୋଲି ବର୍ଣ୍ଣନା କରିଛନ୍ତି ଏବଂ ପ୍ରତ୍ୟେକ ଦେଶକୁ ଇସ୍ରାଏଲ ସରକାରଙ୍କ ସରସଂହାର ଏବଂ ଆକ୍ରମଣକୁ ନିନ୍ଦା ଏବଂ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ।