ଆରବିଆଇର ଭେଟି: ନୂଆବର୍ଷରୁ ବିନା ବନ୍ଧକରେ ଚାଷୀ ପାଇବେ ୨ ଲକ୍ଷ ଯାଏଁ ଋଣ
ନୂଆଦିଲ୍ଲୀ: ଦରଦାମ ଦାଉରେ ଚାଷୀ ଅଣ୍ଟା ସଳଖି ପାରୁନି । ସରକାର ସବୁ ଜାଣି ମଧ୍ଯ ନିଦାବିଷ୍ଣୁ । ସେଥିପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମହଙ୍ଗା ବଜାରରୁ ଆଶ୍ବସ୍ତି ଦେବାକୁ ଅଣ୍ଟା ଭିଡିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଜାନୁଆରୀ ପହିଲାରୁ ସବୁ ବ୍ୟାଙ୍କ ଚାଷୀଙ୍କୁ ବିନା ବନ୍ଧକରେ ଅଳ୍ପ ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବେ । ଏନେଇ ଆରବିଆଇ ଦେଶର ସମସ୍ତ ବ୍ୟାଙ୍କକୁ ଆଜି ନିର୍ଦ୍ଦେଶନାମା ଜାରି କରିଛି । ଆରବିଆଇର ଏହି ପଦକ୍ଷେପକୁ ସବୁ ମହଲରେ ସ୍ବାଗତ କରାଯାଇଛି ।
ଲୋକଙ୍କ ଆୟ ଗିଳୁଛି ମହଙ୍ଗା ରାକ୍ଷସ । ଗିଳୁଛି ବି ଚାଷୀଙ୍କ ଆୟ । ବେହାଲ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଅବସ୍ଥା । କେନ୍ଦ୍ର ସରକାର ତ ପାରିଲେନି । ଏବେ ଚାଷୀଙ୍କ ପାଇଁ ଅଣ୍ଟା ଭିଡ଼ିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ୨୦୨୫ ଜାନୁଆରୀ ପହିଲାରୁ ଦେଶର ୮୬ ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବିନା ବନ୍ଧକରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କରୁ ଋଣ କରିପାରିବେ । ଏଥିପାଇଁ ଦେଶର ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ଆରବିଆଇ । ଏଥିପାଇଁ ସବୁ ବ୍ୟାଙ୍କ ଯେପରି ବ୍ୟାପକ ପ୍ରଚାର ପ୍ରସାର କରିବେ ସେ ନେଇ ବି ନିର୍ଦ୍ଦେଶ ଦିଆଯାଇଛି । ରବି ଫସଲ ହେଉ କି ଆସନ୍ତା ଖରିଫ ଫସଲ ଉତ୍ପାଦନ ପାଇଁ ଯେପରି ଇନ୍ପୁଟ ଖର୍ଚ୍ଚ ତୁଲାଇବାରେ ଚାଷୀ ଅସୁବିଧା ନ ଭୋଗିବେ ସେ ନେଇ ଏପରି ଋଣ ଯୋଗାଇବାକୁ ଦେଶର ସର୍ବୋଚ୍ଚ ବ୍ୟାଙ୍କ ନିଷ୍ପତ୍ତି ନେଇଛି, ତା’ ପୁଣି କମ୍ ସୁଧରେ ।
ପୂର୍ବତନ ମନ୍ତ୍ରୀ ଓ ଚାଷୀ ନେତାଙ୍କ ଅଭିଯୋଗ, କେନ୍ଦ୍ର ସରକାର ପିଏମ୍ କିଷାନ ସହାୟତା ଦେଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସହାୟତା ଦିଆଯାଉଛି । ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କେନ୍ଦ୍ରରେ ଏନଡିଏ ସରକାର ରହିଲେଣି । ତୃତୀୟ ପାଳିର ୬ ମାସ ବିତିଲାଣି । କିନ୍ତୁ ପ୍ରତିଶ୍ରୁତି ମୁତାବକ ଏ ପର୍ଯ୍ୟନ୍ତ ଦେଶର ଚାଷୀଙ୍କ ଆୟ ଦୁଇଗୁଣ କରିପାରିନାହାନ୍ତି । କେବଳ ଭାଷଣ ବାଜିରେ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ।
ପୂର୍ବରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନରେ ହଇରାଣ କରୁଥିଲେ । ଆରବିଆଇର ହସ୍ତକ୍ଷେପ ଫଳରେ ବିନା ବନ୍ଧକରେ ୧ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କୁ ଋଣ ମିଳୁଥିଲା । ଏବେ ବିନା ବନ୍ଧକ ଋଣ ପରିମାଣରେ ଆଉ ୪୦ ହଜାର ଟଙ୍କା ବୃଦ୍ଧି କରାଯାଇଛି । ଯାହାକି ଅତ୍ୟନ୍ତ ସ୍ବାଗତ ଯୋଗ୍ୟ । ଏଥିରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ନିୟମ ରହିଛି ଯେଉଁ ଚାଷୀ ପୂର୍ବରୁ ଋଣ ନେଇ ପରିଶୋଧ କରିଦେଇଥିବେ ଓ ତାଙ୍କ ଉପରେ ବ୍ୟାଙ୍କର କୌଣସି ଦାବି ନଥିବ । ତା’ହେଲେ ସେହି ଚାଷୀ ବିନା ବନ୍ଧକ ଋଣର ସୁଧ ଉପରେ ୪ ପ୍ରତିଶତ ସବସିଡ ପାଇବେ । ଯଦି ପୂର୍ବରୁ ୭ ପ୍ରତିଶତ ସୁଧରେ ଚାଷୀ ଋଣ ନେଉଥିଲେ, ଏଣିକି ସମାନ ଚାଷୀ ଋଣ ଉପରେ ସୁଧ ଦେବେ ମାତ୍ର ୩ ପ୍ରତିଶତ ।
ଦେଶର ଚାଷୀଙ୍କ ଦୁଃଖ ଦୂର କରିବା ପାଇଁ ଆରବିଆଇ ଅଣ୍ଟା ଭିଡିଲା । ଅଥଚ କେନ୍ଦ୍ର ସରକାରଙ୍କୁ କିଛି ଫରକ ପଡୁନି । ଚାଷୀଙ୍କୁ ମହଙ୍ଗା ଦରରୁ କିପରି ଆହୁରି ଆଶ୍ବସ୍ତ କରି ହେବ ସେ ପଦକ୍ଷେପ ନ ନେଇ କେବଳ ବାହାବା ଗୋଟାଇବାରେ ଲାଗି ପଡିଛନ୍ତି ବୋଲି ମତ ପ୍ରକାଶ ପାଇଛି ।