‘ରାଜ୍ୟରେ ଆଳୁ ସଙ୍କଟକୁ ବଢ଼ାଇ ଚାଲିଛନ୍ତି ସରକାର’
ଭୁବନେଶ୍ବର : ସ୍ଵପ୍ନ ହେଲାଣି ସୁଲଭ ମୂଲ୍ୟରେ ଆଳୁ ପାଇବା । ୧୮ ଦିନ ହେଲାଣି ରାଜ୍ୟରେ କେବଳ ଗପରେ ମିଳୁଛି ୩୦ ଟଙ୍କାରେ ଆଳୁ । ଆଜି ବି ଆଳୁ ଦର ୪୦ ରୁ ୫୦ ଟଙ୍କା। ସେହି ଢଙ୍ଗରେ ଆଳୁ ଉତ୍ପାଦନରେ ରାଜ୍ୟକୁ ସ୍ୱୟଂସମ୍ପୁର୍ଣ୍ଣ କରିବାକୁ ସରକାର ବ୍ୟାପକ ଆଳୁ ବିହନ ଦେଇଥିବା ପ୍ରଚାର କରୁଛନ୍ତି। ସତ କଥା ହେଲା ସବୁ ଚାଷୀଙ୍କୁ ବିହନ ମିଳିନାହିଁ । ଏକଥା ଖୋଦ ଚାଷୀ ଓ କୃଷକ ସଙ୍ଗଠନ କହିଛନ୍ତି। ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ଓଡିଶା ନିର୍ଭରଶୀଳ ରହିଥାଏ। ହେଲେ ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାର ସହ ଆଲୋଚନା କରୁନାହାନ୍ତି। ରାଜ୍ୟରେ ଆଳୁର ଅଭାବ ମେଣ୍ଟାଇବା ପାଇଁ ୬୦ ପ୍ରତିଶତ ଆଳୁ ପଶ୍ଚିମବଙ୍ଗରୁ ଚୋରାରେ ଆସୁଛି। ଯାହାର ଆର୍ଥିକ ବୋଝ ସାଧାରଣ ଲୋକେ ଭୋଗୁଛନ୍ତି। ଜନତାଙ୍କ ଦୁଃଖ ବୁଝିବାରେ ବିଫଳ ହୋଇଛନ୍ତି କୁହାଳିଆ ରାଜ୍ୟ ସରକାର । ଏଭଳି ଅଭିଯୋଗ ଆଣିଛି ବ୍ୟବସାୟୀ ମହାସଂଘ। ସରକାର ଚୁପ ରହିବା ଯୋଗୁଁ ଲୋକଙ୍କ ଭରସା ତୁଟିଲାଣି ।
ଆଳୁ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ଚାଷୀଙ୍କୁ ବିହନ ଯୋଗାଣ କଥା କହୁଛନ୍ତି । ଚଳିତ ରବି ଋତୁ ପାଇଁ ୧୫ ହଜାର ୨୩ ହେକ୍ଟର ଜମିରେ ଆଳୁ ଚାଷ କରିବାକୁ ପଦକ୍ଷେପ ନିଆଯାଇଛି । ୬୪.୧୭ କୋଟି ବ୍ୟୟବରାଦ କରିଥିବା ବିଜ୍ଞାପନ ଦେଇଛନ୍ତି ସରକାର। ଆଳୁ ବିହନ ଯୋଗାଣରେ ସରକାରଙ୍କ ପ୍ରଚାର ଓ ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୃଷକ ଓ ଚାଷୀ ନେତା। ସରକାରଙ୍କ ଆଳୁ ବିହନ ଯୋଗାଣ କାଗଜକଲମରେ ରହିଯାଇଥିବା କହିଛି କୃଷକ ମଜଦୂର ମହାସଂଘ। ପ୍ରସଙ୍ଗକୁ ଦିଲ୍ଲୀ ସ୍ତରରେ ଉଠାଇବାକୁ ଡିସେମ୍ଵର ୧୪ରେ ଦିଲ୍ଲୀ ଯିବ କୃଷକ ନେତାଙ୍କ ଏକ ଟିମ୍ । କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଚଣ୍ଡିଗଡ଼ରେ ହେବାକୁ ଥିବା ଜାତୀୟ ସ୍ତରୀୟ ଚାଷୀ ନେତୃତ୍ୱଙ୍କ ସହ ଆଳୁ ସମସ୍ୟା ସମ୍ପର୍କରେ ଆଲୋଚନା ହେବ। ଓଡ଼ିଶାରେ ବର୍ଷକୁ ୧୪ ଲକ୍ଷ ୩୦ ହଜାର ଟନ ଆଳୁ ଆବଶ୍ୟକ। ସରକାରଙ୍କ ବିହନରେ ଆଳୁ ଉତ୍ପାଦନ ସମୁଦ୍ରକୁ ଶଂଖେ। ପଶ୍ଚିମବଙ୍ଗ ସହ କଥାହୋଇ ଆଳୁ ସମସ୍ୟା ଦୂର ନକଲେ ରାଜ୍ୟରେ ଆଳୁ ଅଭାବ ପୂରଣ କରିବାରେ ଅସମର୍ଥ ହେବେ ସରକାର