ପର୍ବପର୍ବାଣୀକୁ ନେଇ ସବୁ ପଞ୍ଜିକା ଓ କ୍ୟାଲେଣ୍ଡରରେ ମିଳିବ ସମାନ ତଥ୍ୟ

ପୁରୀ : ପର୍ବପର୍ବାଣୀକୁ ନେଇ ସବୁ ପାଞ୍ଜିରେ ରହିବ ସମାନ ତଥ୍ୟ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଞ୍ଜିକା ସମନ୍ବୟ ବୈଠକ । ପଞ୍ଜିକାର, ପୂଜାପଣ୍ଡା ଓ ମୁକ୍ତି ମଣ୍ଡପ ପଣ୍ଡିତଙ୍କୁ ନେଇ ଆଲୋଚନା । ବିଗତ କିଛି ବର୍ଷ ମଧ୍ୟରେ ପଞ୍ଜିକା ଓ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବାରୁ ଦେଖାଦେଇଛି ଅସନ୍ତୋଷ । ସମନ୍ୱୟ ଅଭାବରୁ ଏପରି ସମସ୍ୟା ଉପୁଜୁଥିବା କୁହାଯାଇଥିବାବେଳେ ସୁଧାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅକ୍ଟୋବର ୨୦ ତାରିଖ ସୁଦ୍ଧା ୮ ଟି ପଞ୍ଜିକାରଙ୍କୁ ସେମାନଙ୍କ ପାଣ୍ଡୁଲିପି ଦାଖଲ ପାଇଁ ନିବେଦନ କରାଯାଇଥିଲା । ପରବର୍ତୀ ସମୟରେ ନଭେମ୍ବର ୧୪ ତାରିଖରୁ ଧାର୍ଯ୍ଯ କରାଯାଇଥିଲା । ଇତି ମଧ୍ୟରେ ୫ ଟି ସଂସ୍ଥା ସେମାନଙ୍କ ପାଣ୍ଡୁଲିପି ଦାଖଲ କରିଛନ୍ତି । ସେଗୁଡିକୁ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଦ୍ୱାରା ସଂଶୋଦିତ କରାଯାଇଛି। ତେବେ ବାକି ପାଣ୍ଡୁଲିପି ଗୁଡିକର ସଂଶୋଧନ ପାଇଁ ଜାନୁଆରୀ ପ୍ରଥମ ସପ୍ତାହରେ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତ୍ରୁଟି ଶୂନ୍ୟ ପଞ୍ଜିକା ପ୍ରସ୍ତୁତ ନେଇ ନିଆଯାଇଥିବା  ଏଭଳି ପଦକ୍ଷେପକୁ ସେବାୟତ ଓ ପଞ୍ଜିକାର ମାନେ ସ୍ବାଗତ କରିଛନ୍ତି । ଭିନ୍ନ ଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ମତ ସାଧାରଣ ଲୋକଙ୍କ ମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବାରୁ ଏଭଳି ସମନ୍ୱୟ ବୈଠକର ଆବଶ୍ୟକତା ରହିଥିଲା । ଯେଉଁ ପଞ୍ଜିକାର ମାନେ ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମୋଦନରେ ପଞ୍ଜିକା ବା କ୍ୟାଲେଣ୍ଡର ପ୍ରସ୍ତୁତ ନକରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟଅନୁଷ୍ଠାନ ନେବା ନେଇ ପୂଜାପଣ୍ଡା ନିଯୋଗ ମତ ଦେଇଛି । ସମନ୍ୱୟ ଭିତ୍ତିରେ ପଞ୍ଜିକା ଓ କ୍ୟାଲେଣ୍ଡର ପ୍ରସ୍ତୁତ ହେଲେ ପର୍ବପର୍ବାଣୀ ଓ ଯାନିଯାତ୍ରାରେ ମତଭେଦ ଦୂର କରିବେ ବୋଲି ଆଶା କରାଯାଉଛି ।