ଗାଁର କୌଣସି ଘରେ ନାହିଁ କବାଟ, କୁକୁରଙ୍କ ପାଇଁ ଲାଗିଛି ତାଟି
1 min readପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଶିଆଳିଆ ଗାଁ । ଗାଁର କୌଣସି ଘରେ ନାହିଁ କବାଟ । ଆଉ ଏହି କବାଟ ନଥିବା ପରମ୍ପରା ଏବେକାର ନୁହେଁ କାହିଁ କେଉଁ କାଳରୁ ଏହି ଗାଁରେ ପ୍ରଚଳିତ । ଏହାର କାରଣ, ବିଶ୍ଵାସ ରହିଛି ଗାଁର ସୁରକ୍ଷା ଗ୍ରାମଦେବତୀ ମା ଖରାଖାଇ କରିଥାନ୍ତି l କିମ୍ବଦନ୍ତୀ କହେ ଗାଁର ଗ୍ରାମଦେବତୀ କବାଟକୁ ଡେରି ହୋଇ ଏକ ଶବ ଉପରେ ଦଣ୍ଡାୟମାନ କରିଥିବା ଆଉ ସେହି ଶବକୁ ଗୋଟେ ପଟୁ କୁକୁର ଆଉ ଅନ୍ୟପଟୁ ଶିଆଳ ଟାଣୁଥିବାର ଦୃଶ୍ୟ ଲାଗି ଏହି ଗାଁକୁ ଶବାଳୟ , ଶିବାଳୟା ଆଉ ପରେ ଅପଭ୍ରଂଶ କରି ଶିଆଳିଆ ନାଁ ଦିଆଯାଇଛି l ଯୁଗ ସହ ତାଳ ଦେଇ ଗାଁର ଚାଳଛପର ଘର ସବୁ କୋଠାଘରରେ ପରିଣତ ହୋଇଛି ସତ କିନ୍ତୁ ଗାଁର କବାଟ ନଥିବା ପରମ୍ପରା ଏବେବି ଜାରି ରହିଛି । କେବଳ କୁକୁର ଆଉ ଶିଆଳ ଘରକୁ ନ ପଶିବା ଲାଗି ଘର ଆଗରେ ବାଉଁଶ ତାଟି କିମ୍ବା ଗ୍ରିଲ୍ ଲାଗିଛି । କିନ୍ତୁ ଗାଁର ଏବେବି କୌଣସି ଘରେ କବାଟ ଲାଗୁନାହିଁ କି କୌଣସି ଚୋରି ମାମଲା ଥାନାକୁ ଯାଇନାହିଁ l
ଶିଆଳିଆ ଗାଁ ପାଖରେ କନିକା ରାଜପ୍ରସାଦ, ଗିରିୟା ମଠ, ସୁଦାମ ବାଇ ପୀଠ ଭଳି ଏନେକ ପର୍ଯ୍ଯଟନସ୍ଥଳୀ ରହିଛି । ଶିଆଳିଆ ଗାଁର ଏହି ଅଦ୍ଭୁତ ପରମ୍ପରା ଦେଖିବା ପାଇଁ ଅନେକ ପର୍ଯ୍ଯଟକ ଏଠାକୁ ଆସିଥାନ୍ତି । ତେଣୁ ଏହି ଗାଁକୁ ରାଜ୍ଯ ସରକାର ପର୍ଯ୍ଯଟନସ୍ଥଳୀ ମାନ୍ଯତା ପ୍ରଦାନ କରିବାକୁ ଦାବି ଜୋର ଧରିଛି । କବାଟ ନ ଥିବା ଗାଁ ଶିଆଳିଆକୁ କେବେ ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳିବ ତାହା ଦେଖିବାକୁ ବାକି ରହିଲା ।