ଅଭିଯୋଗର ୫ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ, ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ମଣ୍ଡଳ ଗାଁର ଅନନ୍ତ ପେଡ଼ି ପ୍ରୋସେସିଂ ମିଲରେ ୫ ଶହରୁ ଅଧିକ କୁଇଣ୍ଟାଲ ଧାନ ଗଚ୍ଛିତ ଥିବା ନେଇ ଅଭିଯୋଗ ହୋଇଥିଲା । ଗତ ୬ ତାରିଖରେ ଭାରତୀୟ କିଷାନ ୟୁନିଅନ ପକ୍ଷରୁ ଭିଡିଓ ଜାରି କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରାଯାଇଥିଲା । ହେଲେ ଜିଲ୍ଲା ପ୍ରଶାସନ ୫ ଦିନ ପରେ କୌଣସି ପଦକ୍ଷେପ ଗ୍ରହଣ କରିନି । ଚାଷୀଙ୍କୁ ମିଲରେ ଚଢାଉ ହେବ ବୋଲି ପ୍ରତିଶୃତି ଦେଉଥିଲେ ବି କୌଣସି ପଦକ୍ଷେପ ନେଉନାହାଁନ୍ତି । ଅଭିଯୋଗ ପରେ ମିଲର୍ସ ଗୋଦାମରୁ ବେଆଇନ୍ ଧାନ ଅନ୍ୟତ୍ର ସ୍ଥାନାନ୍ତରିତ କରିଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ଆକ୍ସନ ନେବା ବଦଳରେ ନୀରବ ରହୁଛନ୍ତି । ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଗାମୀ ଦିନରେ ଧାନ କିଣା ଅବ୍ୟବସ୍ଥା ଓ ପ୍ରଶାସନିକ ଅବହେଳା ପ୍ରତିବାଦରେ ବିରାଟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା ।
ବଲାଙ୍ଗୀରରେ ଚଳିତ ବର୍ଷ ବିଳମ୍ବରେ ଅର୍ଥାତ୍ ଗତ ଡିସେମ୍ବର ୨ ତାରିଖରେ ମଣ୍ଡି ଖୋଲିବାରୁ ଅଧିକାଂଶ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇ ଦଲାଲଙ୍କୁ ଧାନ ଟେକି ଦେଲେଣି । ଯାହା ଫଳରେ ହଜାର ହଜାର କ୍ବିଣ୍ଟାଲ ବେଆଇନ ଧାନ ଏବେ ମିଲର୍ସଙ୍କ ଗୋଦାମରେ । ଟୋକନ ଟେନସନର ଫାଇଦା ଉଠାଇଛନ୍ତି ଅସାଧୁ ଧାନ ବ୍ୟବସାୟୀ ଓ ମିଲର୍ସ । ଧାନ ବିକ୍ରି ପାଇଁ ଜିଲ୍ଲାର ୯୫ ହଜାର, ୮୭ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ୧୭୬ ଟି ମଣ୍ଡି ମାଧ୍ୟମରେ ଚାଷୀଙ୍କ ଠାରୁ ୩୪ ଲକ୍ଷ,୯ ହଜାର,୭୩ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯାଇଛି । କିନ୍ତୁ ତା ପୂର୍ବରୁ କେମିତି ମିଲକୁ ବେଆଇନ ଧାନ ଗଲା ବୋଲି ଚାଷୀ ସଂଗଠନ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛି । ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।