ପବ୍ଲିକ ସର୍ଭିସ କମିଶନ ପରୀକ୍ଷାର୍ଥୀଙ୍କ ଉପରେ ଲାଠିଚାର୍ଜ

ପାଟନା: ବିହାରର ପାଟନାରେ ବିହାର ପବ୍ଲିକ ସର୍ଭିସ କମିଶନ ପରୀକ୍ଷାର୍ଥୀଙ୍କ ଉପରେ ଲାଠିଚାର୍ଜ । ପୋଲିସ ଓ ଆଶାୟୀଙ୍କ ମଧ୍ଯରେ ହୋଇଛି ମାରପିଟ । ସିଭିଲ ସର୍ଭିସ ପରୀକ୍ଷାରେ ୱାନ୍ ସିଫ୍ଟ ୱାନ୍ ପେପର ଦାବିରେ ଛାତ୍ରଛାତ୍ରୀ କରିଛନ୍ତି ଆନ୍ଦୋଳନ । ୭୦ ତମ ସିଭିଲ ସର୍ଭିସ ପ୍ରିଲିମକୁ ସ୍ଥଗିତ ରଖିବା ଲାଗି ଆନ୍ଦୋଳନକାରୀ ଦାବି କରିଛନ୍ତି । ଏହାସହ ମାର୍କିଂ ପ୍ରକ୍ରିୟାରେ ସ୍ବଚ୍ଛତା ଲାଗି ଦାବି କରିଛନ୍ତି ଛାତ୍ରଛାତ୍ରୀ । ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସ ଲାଠିମାଡ କରିଥିଲା ।

ଆଶାୟୀଙ୍କ ରାସ୍ତାରୋକ କାରଣରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଲାଠିମାଡରେ ଛାତ୍ର ନେତା ଦିଲୀପ କୁମାରଙ୍କ ସମେତ କିଛି ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାଯାଇଛି । ବିପିଏସସି ଅଫିସ ସାମନାରେ ଆଜି ସମବେତ ହୋଇଥିଲେ ଶହ ଶହ ଛାତ୍ରୀ । ନାରାବାଜିରେ କମ୍ପିଥିଲା ପରିବେଶ । ଏହି ସମୟରେ ଆନ୍ଦୋଳନକାରୀ ରାସ୍ତାକୁ ବି ଅବରୋଧ କରି ରଖିଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ଲାଗି ପୋଲିସ ସେଠାରେ ଲାଠିଚାର୍ଜ କରିଥିଲା । ଡିଏସପି ଅନୁ କୁମାର କହିଛନ୍ତି, ଆନ୍ଦୋଳନକାରୀମାନେ ଆଇନ ଭଙ୍ଗ କରିଛନ୍ତି ।