ଆଦାନୀ ଝଡ଼: କଳାପଟି ବାନ୍ଧି ବିରୋଧୀ ସାଂସଦଙ୍କ ପ୍ରତିବାଦ

ନୂଆଦିଲ୍ଲୀ: ସଂସଦରେ ଆଦାନୀ ଝଡ଼ । ଚାଲି ପାରୁନି ଗୃହ । କଳାପଟି ବାନ୍ଧି ବିରୋଧୀ ଦଳ ସାଂସଦଙ୍କ ପ୍ରତିବାଦ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ବରେ ନାରାବାଜି ।

ଆଦାନୀ ପ୍ରସଙ୍ଗରେ ସରକାର ବିରୋଧୀଙ୍କୁ ଚୁପ୍ କରିବାକୁ ଚାହୁଁଛନ୍ତି । ସମ୍ବିଧାନର ସୁରକ୍ଷା ଲାଗି କେନ୍ଦ୍ର ସରକାର ଚାହୁଁ ନାହାନ୍ତି । ବାରମ୍ବାର ସମ୍ବିଧାନକୁ ଉଲ୍ଲଂଘନ କରାଯାଉଛି ବୋଲି ବିରୋଧୀ ସାଂସଦ ଅଭିଯୋଗ କରିଛନ୍ତି ।

ଶୋଭାଯାତ୍ରା ସମୟରେ ସାଂସଦମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଆମ୍ବେଦକରଙ୍କ ତିରୋଧାନ ଦିବସରେ ସାଂସଦମାନେ କରିଛନ୍ତି ପ୍ରତୀକାତ୍ମକ ଆନ୍ଦୋଳନ । ସାଂସଦମାନେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବଡ଼ ଦୁର୍ନୀତି ଅଭିଯୋଗ ଆସିଲେ କିମ୍ବା ଆଦାନୀ ପ୍ରସଙ୍ଗ ଆସିଲେ କେନ୍ଦ୍ର ସରକାର ଲୋକଙ୍କ ଦୃଷ୍ଟି ଏଡ଼ାଇବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ସାଂସଦ ।