ସଂସଦରେ ଆଜି ଦେଖିବାକୁ ମିଳିପାରେ ଆଦାନୀ ତାତି

ନୂଆଦିଲ୍ଲୀ: ସଂସଦରେ ଥମୁନି ଆଦାନୀ ଲାଞ୍ଚ କାରବାର ତାତି । ଏହି ପ୍ରସଙ୍ଗକୁ ନେଇ ଆଜି ପୁଣି ସରଗରମ ହୋଇପାରେ ଉଭୟ ଗୃହ । ଆଦାନୀ ଲାଞ୍ଚ କାରବାର, ଉତ୍ତରପ୍ରଦେଶ ସମ୍ଭଲ ହିଂସା ପ୍ରସଙ୍ଗରେ ସରକାରଙ୍କୁ ଘେରିପାରନ୍ତି ବିରୋଧୀ ।

ଶିଳ୍ପପତି ଆଦାନୀଙ୍କୁ ଗିରଫ ଦାବିରେ ଅଡି ବସିଛି ବିରୋଧୀ କଂଗ୍ରେସ । ଗତକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ସମେତ ଅନ୍ୟ ସାଂସଦ ଜୋରଦାର ହଟ୍ଟଗୋଳ କରିଥିଲେ । ଗୃହରେ ହଙ୍ଗାମା କରିବା ସହ ସମ୍ଭଲ ଓ ଆଦାନୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରି ଆସୁଛନ୍ତି । ତେବେ ସରକାର ଏ ଦୁଇ ପ୍ରସଙ୍ଗରେ ଆଲୋଚନା କରିବାକୁ ଅମଙ୍ଗ । ଲଗାତାର ନବମ ଦିନ ପାଇଁ ସଂସଦରେ ଅଚଳାବସ୍ଥା ଦେଖାଦେଇଥିଲା ।

କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳର ସାଂସଦ ସଂସଦ ଭବନ ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । ଆଦାନୀ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ଚାହୁଁ ନଥିବା ବିରୋଧୀ ଅଭିଯୋଗ କରିଛନ୍ତି ।