ରେରା ଆଇନ ମାନୁ ନାହାନ୍ତି ବିଲଡର, ବେଖାତିର ଭାବେ ଚାଲିଛି ରିଅଲ ଇଷ୍ଟେଟ କାରବାର

1 min read

ଭୁବନେଶ୍ବର: ରିଅଲ ଇଷ୍ଟେଟ କାରବାରକୁ ସ୍ବଚ୍ଛ କରିବା ପାଇଁ କେନ୍ଦ୍ରୀୟ ଆଇନ ରେରା ଆସିବା ପରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଏହାକୁ ଅନୁପାଳନ କରିଥିଲା । ଆପାର୍ଟମେଣ୍ଟ ହେଉ କି ପ୍ଲଟିଂ ସ୍କିମରୁ ପ୍ଲଟ ବିକ୍ରି କରିବାକୁ ଡେଭଲପରମାନଙ୍କ ପାଇଁ ପ୍ରଥମ ସର୍ତ୍ତ, ପ୍ରକଳ୍ପ ରେରାରେ ପଞ୍ଜୀକରଣ ହୋଇଥିବା ଦରକାର । ପଞ୍ଜୀକରଣ ପୂର୍ବରୁ ପ୍ରକଳ୍ପ ବାବଦରେ ବିଜ୍ଞାପନ ଦେବା, କ୍ରେତାଙ୍କଠାରୁ ଅଗ୍ରୀମ ନେବା ବେଆଇନ । ହେଲେ ଏହାକୁ ବିଲଡରମାନେ ମାନୁନାହାନ୍ତି । ରେରା ନଜରକୁ ଆସିଥିବା ଏପରି ୬୦ଟି ବେଆଇନ ପ୍ରକଳ୍ପ ଉପରେ ପ୍ରଶ୍ନ ଉଠିବା ପରେ ଜରିମାନା ଧାର୍ଯ୍ୟ ହୋଇଥିଲା । ୬ କୋଟି ୮୯ ଲକ୍ଷ ଜରିମାନା ରେରା କରିଥିଲେ ମଧ୍ୟ ଆଦାୟ ହୋଇଛି ମାତ୍ର ୨୩ ଲକ୍ଷ ଟଙ୍କା । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଠକ ବିଲଡରମାନେ ରେରା ଆଇନକୁ ଫାଙ୍କି କ୍ରେତାମାନଙ୍କୁ ଠକି ଚାଲିଛନ୍ତି ।

ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ପ୍ଲଟ କିଣିବା ପାଇଁ କ୍ରେତାଙ୍କ ଅହେତୁକ ଆଗ୍ରହ ରହିଛି । ଏହାର ସୁଯୋଗ ନେଇ କ୍ରେତାଙ୍କୁ ଲୋଭନୀୟ ଅଫର ଦେଇ ଠକି ଚାଲିଛନ୍ତି କିଛି ବିଲଡର । ପ୍ଲଟିଂ ସ୍କିମ ବେପାର ପାଇଁ ପ୍ରଥମ ସର୍ତ୍ତ ପ୍ରକଳ୍ପଟି ରିଅଲ ଇଷ୍ଟେଟ ରେଗୁଲେଟୋରୀ ଅଥରିଟି ପାଖରେ ପଞ୍ଜୀକୃତ ହେବା ଆବଶ୍ୟକ । ହେଲେ ଆମେ ଏପରି ୬୦ଟି ବେଆଇନ ପ୍ରକଳ୍ପ କଥା କହୁଛୁ, ଯାହା ରେରା ପାଖରେ ପଞ୍ଜୀକୃତ ହୋଇନାହିଁ । ବିଭିନ୍ନ ଆଡୁ ଅଭିଯୋଗ ଆସିବା ପରେ ରେରା କର୍ତ୍ତୃପକ୍ଷ ଏହାର ବିକ୍ରି ଉପରେ ରୋକ୍ ଲଗାଇଥିବା ବେଳେ ଏମାନଙ୍କ ଉପରେ ଜରିମାନା କରିଛନ୍ତି । ୬୦ ବିଲଡ଼ରଙ୍କ ଉପରେ ୬ କୋଟି ୮୯ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ ହୋଇଥିଲେ ବି ୨ ବର୍ଷ ଭିତରେ ଆଦାୟ ହୋଇଛି ମାତ୍ର ୨୩ ଲକ୍ଷ ଟଙ୍କା । କେବଳ ସେତିକି ନୁହେଁ, ଜରିମାନା ତ ଦେଉନାହାନ୍ତି ବରଂ କ୍ରେତାମାନଙ୍କୁ ଏହି ବେଆଇନ ପ୍ରକଳ୍ପର ମିଛ ପ୍ରଲୋଭନ ଦେଖାଇ ବିକି ଚାଲିଛନ୍ତି ।

ରେରା ଆଇନ ଅନୁସାରେ ପଞ୍ଜୀକୃତ ହୋଇ ନଥିବା ମାଳ ମାଳ ପ୍ରକଳ୍ପର ବିଜ୍ଞାପନ ଘୁରି ବୁଲୁଛି ସୋସିଆଲ ମିଡ଼ିଆରେ । ଲୋଭନୀୟ ବିଜ୍ଞାପନ ଦେଖି ରାଜଧାନୀ ଓ ଏହାର ଉପକଣ୍ଠରେ ପ୍ଲଟ ଖଣ୍ଡିଏ କିଣିବା ପାଇଁ ଗ୍ରାହକଙ୍କ ପ୍ରବଳ ଭିଡ଼ । ହେଲେ ଏହି ପ୍ରକଳ୍ପ ଆଇନ ସମ୍ମତ କି ନୁହେଁ, ତାହା ଜାଣିବା ପାଇଁ ଯେପରି କାହା ପାଖରେ ସମୟ ନାହିଁ । ଏହାର ଫାଇଦା ନେଉଛନ୍ତି ଠକ ବିଲଡ଼ର । ରେରା ୬୦ଟି ବେଆଇନ ପ୍ରକଳ୍ପ ଉପରେ ୬ କୋଟି ୮୯ ଲକ୍ଷ ଟଙ୍କା ଜରିମାନା କରିଥିବା ବେଳେ ଅର୍ଥ ଆଦାୟ କରିବାର ଦାୟିତ୍ବ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ । ସବୁ ଜାଣିଶୁଣି ଏପରି ବେଆଇନ ପ୍ରକଳ୍ପରୁ କ୍ରେତାଙ୍କୁ ରକ୍ଷା କରିବାର ଦାୟିତ୍ବ ସବ୍-ରେଜିଷ୍ଟ୍ରାରଙ୍କ ପାଖରେ ଥିଲେ ମଧ୍ୟ ସେମାନେ ଏହାକୁ ଆଖି ବୁଜି ଦେଇ କବଲା ପଞ୍ଜୀକୃତ କରୁଛନ୍ତି । କିଛି ନବୁଝି ଜାଗା କିଣିବା ଚକ୍କରରେ କ୍ରେତାମାନେ ଦଲିଲ କରିବା ପରେ ପସ୍ତଉଛନ୍ତି । ଗ୍ରାହକ ସୁରକ୍ଷା ଦାୟିତ୍ବରେ ଥିବା ରାଜସ୍ବ ଅଧିକାରୀ ବି ନିଜ ପକେଟ ଗରମ କରିବାକୁ ଯାଇ ଦଲିଲ ପଞ୍ଜୀକରଣ କରୁଛନ୍ତି ।

ଜରିମାନା ହୋଇଥିବା ୬୦ ଜଣ ବିଲଡ଼ରଙ୍କ ମଧ୍ୟରୁ ମାତ୍ର ୩ ଜଣ ଜରିମାନା ଅର୍ଥ ପଇଠ କରିଥିବା ବେଳେ ୫୭ ଜଣ ଏହାକୁ ଫାଙ୍କି ଚାଲିଛନ୍ତି । ସର୍ବାଧିକ ୫୦ ଲକ୍ଷ ଟଙ୍କା ଜରିମାନା ହୋଇଥିବା ବେଳେ ସର୍ବନିମ୍ନ ରାଶି ୫୦ ହଜାର ଟଙ୍କା । କେବଳ ଜରିମାନା ନିର୍ଦ୍ଦେଶ ଦେଇ ରେରା କର୍ତ୍ତୃପକ୍ଷ ଚୁପ୍ ବସିଥିବା ବେଳେ ଗ୍ରାହକମାନେ ଏବେ କମଦାମ ଓ ସୁବିଧାରେ ପ୍ଲଟ କିଣିବା ଚକ୍କରରେ ମହରଗରୁ ଯାଇ କାନ୍ତାରରେ ପଡ଼ିଛନ୍ତି ।