ଚାଷୀଙ୍କ ଦିଲ୍ଲୀ ଚାଲୋ ଡାକରା ସ୍ଥଗିତ, ଦଳିତ ପ୍ରେରଣା ସ୍ଥଳରେ କରିବେ ବିରୋଧ ପ୍ରଦର୍ଶନ

1 min read

ନୂଆଦିଲ୍ଲୀ: ପୁଣି ତେଜିଲା ଚାଷୀ ଆନ୍ଦୋଳନ । ନୋଏଡାରୁ ହଜାର ହଜାର ଚାଷୀ ସଂଯୁକ୍ତ କିସାନ ମୋର୍ଚ୍ଚା ନେତୃତ୍ବରେ ଦିଲ୍ଲୀ ଆଡକୁ ଅଗ୍ରସର ହେଉଥିଲେ । ତେବେ ତାଜା ତଥ୍ୟ ଅନୁସାରେ ବର୍ତ୍ତମାନ ଦିଲ୍ଲୀ ମଧ୍ୟରେ ପ୍ରବେଶ ନକରିବାକୁ ଚାଷୀମାନେ ସ୍ଥିର କରିଛନ୍ତି । ଏହାସହ ସେମାନେ ଦଳିତ ପ୍ରେରଣା ସ୍ଥଳରେ ବସି ଧାରଣା ଦେବେ ବୋଲି କହିଛନ୍ତି ।

ନୂଆ କୃଷି ଆଇନ ଅନୁସାରେ କ୍ଷତିପୂରଣ ଓ ୫ଟି ଦାବି ଉପରେ ଚାଷୀମାନେ ଜୋର ଦେଉଛନ୍ତି । ଏନୋଡ଼ାରୁ ବାହାରିଥିବା ଚାଷୀଙ୍କ ରାଲିଙ୍କୁ ଦଳିତ ପ୍ରେରଣା ସ୍ଥଳ ନିକଟରେ ଅଟକାଇଥିଲା ପୋଲିସ । ତେବେ ଆନ୍ଦୋଳନକାରୀ ଚାଷୀ ବ୍ୟାରିକେଡ ଭାଙ୍ଗି ଆଗକୁ ବଢ଼ିବାକୁ ଲାଗିଥିଲେ । ହେଲେ ପରେ ଚାଷୀ ପଛକୁ ଫେରି ଆସିବା ସହ ଦଳିତ ପ୍ରେରଣା ସ୍ଥଳରେ ଧାରଣାରେ ବସିଛନ୍ତି ।

ବର୍ତ୍ତମାନ ପାଇଁ ଦିଲ୍ଲୀ ଚଲୋ ଡାକରା ସ୍ଥଗିତ

ବର୍ତ୍ତମାନ ଦିଲ୍ଲୀ ଯିବା ନିଷ୍ପତ୍ତିରୁ ଆନ୍ଦୋଳନକାରୀ ଚାଷୀ ଓହରି ଯାଇଛନ୍ତି । ହେଲେ ସେମାନଙ୍କ ଆନ୍ଦୋଳନ ଜାରି ରହିବ । ଏବେ ଚାଷୀମାନେ ଦଳିତ ପ୍ରେରଣା ସ୍ଥଳରେ ଉପସ୍ଥିତ ଅଛନ୍ତି । ବର୍ତ୍ତମାନ ଏହିଠାରେ ହିଁ ଚାଷୀ ଆନ୍ଦୋଳନକୁ ଆଗକୁ ବଢ଼ାଇବେ । ପ୍ରଶାସନ ପକ୍ଷରୁ ମୁଖ୍ୟ ସଚିବଙ୍କ ସହ ଚାଷୀଙ୍କ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଛି । ଯାହା ଉପରେ ଚାଷୀ ବିଚାର କରୁଛନ୍ତି । ଯଦି ଆଲୋଚନା ବିଫଳ ହେଲା, ତେବେ ସେମାନେ ପୁଣି ଦିଲ୍ଲୀ ଅଭିମୁଖେ ରାଲି ବାହାର କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ଏବେ ସଂସଦରେ ଶୀତ ଅଧିବେଶନ ଚାଲିଛି । ଏମିତି ସ୍ଥିତିରେ ଆନ୍ଦୋଳନକାରୀ ଚାଷୀଙ୍କୁ ଅଟକାଇବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୋଲିସ ଦିଲ୍ଲୀ-ଏନସିଆରରେ ବ୍ୟାରିକେଡ ଲଗାଇବା ସହ ରୁଟ ପରିବର୍ତ୍ତନ କରିଦେଇଛି । ଏହାସହ ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।