ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଙ୍ଗାମା, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନରେ ତାତି। ବିରୋଧୀଙ୍କ ହଙ୍ଗାମାରେ ହୁଲସ୍ତୁଲ ହୋଇଛି ଉଭୟ ଲୋକସଭା ଓ ରାଜ୍ୟସଭା। ଗୃହକାର୍ଯ୍ୟ ଚାଲିପାରିନାହିଁ। ଲୋକସଭାକୁ ବାଚସ୍ପତି ଆସନ୍ତାକାଲି ଦିନ ୧୧ଟା ଯାଏ ମୁଲତବୀ କରିଛନ୍ତି। ବିରୋଧୀଙ୍କ ହଙ୍ଗାମା ପାଇଁ ପ୍ରଥମେ ଦିନ ୧୨ଟା ଯାଏ ମୁଲତବୀ କରାଯାଇଥିଲା। ୧୨ଟା ପରେ ବି ସ୍ଥିତି ସ୍ଵାଭାବିକ ନ ହେବାରୁ ଆସନ୍ତାକାଲି ଯାଏ ମୁଲତବୀ କରାଯାଇଛି। ଆଜି ହେଉଛି ସଂସଦ ଶୀତକାଳୀନ ଅଧିବେଶନର ପଞ୍ଚମ ଦିନ। ଆଦାନୀ ଦ୍ଵାରା ଲାଞ୍ଚ ପ୍ରସଙ୍ଗ, ସମ୍ଭଲ ହିଂସା, ଅଜମେର ଦରଘା ସର୍ଭେ, ମଣିପୁର ହିଂସା ଆଦି ପ୍ରସଙ୍ଗ ଉଠାଇ ଆଲୋଚନା କରିବାକୁ ଦାବି କରିଥିଲେ ବିରୋଧୀ।

କିନ୍ତୁ ଗୃହର ଅଧ୍ୟକ୍ଷ ଅନୁମତି ନଦେବାରୁ ହଙ୍ଗାମା କରିଥିଲେ ବିରୋଧୀ। ବିଶେଷ କରି ଆଦାନୀ ଲାଞ୍ଚ ଦେବା ପ୍ରସଙ୍ଗରେ ଆଲୋଚନା ପାଇଁ ଅଡ଼ି ବସିଛନ୍ତି ବିରୋଧୀ। ସେହିପରି ସମ୍ଭଲ ହିଂସା, ଅଜମେର ଦର୍ଘା ସର୍ଭେ, ମଣିପୁର ହିଂସା, ଚାଷୀ ଆନ୍ଦୋଳନ ଉପରେ ଗୃହରେ ଆଲୋଚନା ହେଉ ବୋଲି ଦାବି କରିଛନ୍ତି ବିରୋଧୀ ସାଂସଦ ଉଭୟ ଗୃହରେ ସ୍ଲୋଗାନ ଦେଇଛନ୍ତି, ପାଟିତୁଣ୍ଡ କରିଛନ୍ତି। ଗୃହ ଚଳାଇବା ସମ୍ଭବ ନ ହେବାରୁ ବାଚସ୍ପତି ଲୋକସଭାକୁ ୧୨ଟା ଯାଏଁ ଓ ଉପରାଷ୍ଟ୍ରପତି ରାଜ୍ୟସଭାକୁ ୧୨ଟା ଯାଏଁ ମୁଲତବୀ କରିଥିଲେ। ପରେ ଲୋକସଭାକୁ ଆସନ୍ତାକାଲି ଦିନ ୧୧ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି। ସେହିପରି ରାଜ୍ୟସଭା ମଧ୍ୟ ଚାଲି ପାରିନଥିଲା। ତେଣୁ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ କରାଯାଇଛି। ସଂସଦ ଶୀତକାଳୀନ ଅଧିବେଶନର ପଞ୍ଚମ ଦିନ ହୋଇଥିବା ବେଳେ ଆଗରୁ ୪ ଦିନ ମଧ୍ୟ ଗୃହ ଚାଲି ପାରିନଥିଲା।