ବର୍ଷ ବର୍ଷ ଧରି ବିଚାରପତି ପଦବୀ ଖାଲି, ହୋଇପାରୁନି ମାମଲାର ଶୁଣାଣି: ହାଇକୋର୍ଟରେ ପଡ଼ିଛି ୧ ଲକ୍ଷରୁ ଅଧିକ ମାମଲା

କଟକ: ରାଜ୍ଯରେ ଖାଲିପଡିଥିବା ବିଚାରପତି ପଦବୀ ନିଯୁକ୍ତିରେ ବିଳମ୍ବ ଯୋଗୁଁ ନ୍ଯାୟ ଅପେକ୍ଷାରେ ୪ ଲକ୍ଷରୁ ଅଧିକ ଆବେଦନକାରୀ । ହାଇକୋର୍ଟ ବିତାରପତି ନିଯୁକ୍ତି ପାଇଁ ସ୍ବତନ୍ତ୍ର କଲେଜିୟମ ବ୍ଯବସ୍ଥା ଥିବାବେଳେ ନିମ୍ନ ଅଦାଲତର ନିଯୁକ୍ତି ହାଇକୋର୍ଟଙ୍କ ପରାମର୍ଶରେ ରାଜ୍ଯ ସରକାର କରିଥାନ୍ତି । ତେବେ ବିଚାରପତି ନିଯୁକ୍ତିରେ ବିଳମ୍ବ ଯୋଗୁଁ ହାଇକୋର୍ଟରୁ ଆରମ୍ଭ କରି ନିମ୍ନ ଅଦାଲତ ସବୁଠି ବର୍ଷ ବର୍ଷ ଧରି ଗଡୁଛି ମାମଲା । ଭାଗ୍ଯକୁ ଆଦରି ଚାଲିଛନ୍ତି ଦୁଇ ପକ୍ଷର ଲୋକେ ।

ବିଶ୍ବନାଥ ଚାନ୍ଦ, ଘର ସାଲେପୁର ଜିଲ୍ଲା ତଟିକଟା । ଏବେ ରହୁଛନ୍ତି ଭୁବନେଶ୍ବରରେ । ୧୯୯୫ ମସିହାରେ ଦୂରଦର୍ଶନରେ ସାଇଟମ୍ୟାନ ଭାବେ କାର୍ଯ୍ଯ ଆରମ୍ଭ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ କାର୍ଯ୍ଯରୁ ଛଟେଇ ହେବାରୁ ୧୯୯୮ରେ ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ ଟ୍ରିବୁନାଲର ନେଲେ ଆଶ୍ରୟ । ଗତ ୨୮ ବର୍ଷ ଧରି କେବେ ଟ୍ରିବୁନାଲ ତ ଆଉ କେବେ ହାଇକୋର୍ଟଙ୍କ ଚକ୍କର କାଟି କାଟି ଏବେ ତାକୁ ୫୩ ବର୍ଷ । ହେଲେ ଏଯାଏଁ ତାଙ୍କୁ ମିଳିନି ନ୍ୟାୟ ।

ଏଇ ଗୋଟିଏ ନୁହେଁ ଏଭଳି ରାଜ୍ଯରେ ମୋଟ ୪ ଲକ୍ଷ ୩୭ ହଜାର ୮୧୦ ମାମଲା ବିଭିନ୍ନ କୋର୍ଟରେ ପଡିରହିଛି । ସେ ମଧ୍ୟରୁ ହାଇକୋର୍ଟରେ ରହିଛି ୧ ଲକ୍ଷ ୪୫ ହଜାର ୬୪୦ ମାମଲା । ଜିଲ୍ଲା ଓ ଅଧସ୍ତନ ନ୍ଯାୟାଳୟମାନଙ୍କରେ ସର୍ବାଧିକ ୧୫ ହଜାର ୧୭୦ ମାମଲା ରହିବା ଉଦବେଗଜନକ । ଏଥିରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୨୫୩ ଓ ବରଗଡରେ ସର୍ବନିମ୍ନ ୩୯ ମାମଲା ରହିଛି । ସେହିଭଳି ୩୯ ହଜାର ୪୫୬ଟି ସିଭିଲ ସୁଟ ମାମଲା ରହିଛି । ଏହି ବର୍ଗରେ ଖୋର୍ଦ୍ଧାରେ ସର୍ବାଧିକ ୬ ହଜାର ୬୯ ମାମଲା ଥିବାବେଳେ ଝାରସୁଗୁଡାରେ ସବୁଠାରୁ କମ ୪୧ ମାମଲା ରହିଛି ।

ରାଜ୍ଯରେ ପଡି ରହିଥିବା ଏତେ ସଂଖ୍ଯକ ମାମଲାର କେବେ ଶୁଣାଣି ହେବ ତାକୁ ନେଇ ପ୍ରଶ୍ନ ଉଠିଛି । ରାଜ୍ଯସଭାରେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନରାମ ମେଘୱାଲ ସୂଚନା ଦେଇ କହିଛନ୍ତି, ଓଡିଶାରେ ଏବେ ଜିଲ୍ଲା ଓ ଅଧସ୍ତନ ନ୍ଯାୟାଳୟମାନଙ୍କରେ ୧୯୯ଟି ଜଜ୍ ପଦବୀ ଖାଲି ପଡିଛି । ଓଡ଼ିଶା ହାଇକୋର୍ଟରେ ମୋଟ ୩୩ ଜଜଙ୍କ ମଧ୍ୟରୁ ୧୯ ଜଣ ଅଛନ୍ତି । ୧୪ଟି ବିଚାରପତି ପଦବୀ ଖାଲି ପଡ଼ିଛି । ଜିଲ୍ଲା ଓ ରାଜ୍ୟ ଖାଉଟି ଅଦାଲତରେ ମଧ୍ୟ ବିଚାରପତି ଖାଲି ପଡ଼ିଛି ।ସେପଟେ ବର୍ତ୍ତମାନ ସୀମିତ ସଂଖ୍ଯକ ବିଚାରପତି ଥିବାରୁ ସେମାନଙ୍କ ଉପରେ କାର୍ଯ୍ଯର ଚାପ ମଧ୍ଯ ଅଧିକ ରହୁଛି ବୋଲି କହିଛନ୍ତି ପୂର୍ବତନ ବିତାରପତି ।

ସୀମିତ ସଂଖ୍ଯକ ବିଚାରପତିଙ୍କୁ ନେଇ ଓଡିଶା ହାଇକୋର୍ଟ ଚଳିତବର୍ଷ ମୋଟ ୮୩ ହଜାର ୭୫୩ଟି ମାମଲାର ରାୟ ପ୍ରକାଶ କରିଛନ୍ତି । ଅନ୍ଯପଟେ ବର୍ତ୍ତମାନ ହାଇକୋର୍ଟରେ ପଡିରହିଥିବା ୧୦ ବର୍ଷରୁ ଊର୍ଦ୍ଧ୍ଵ ମାମଲା ମଧ୍ଯ୍ଯରୁ ୫୫ ପ୍ରତିଶତ ଦେୱାନୀ ଓ ୪୫ ପ୍ରତିଶତ ମାମଲା ଫୌଜଦାରୀ ବୋଲି ଜଣାପଡିଛି ।