GST ଅନିୟମିତତା ପାଇଁ କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ଆଉ ଲାଗିବନି ଅତିରିକ୍ତ ଜରିମାନା

ନୂଆଦିଲ୍ଲୀ: ଛୋଟ ବା କ୍ଷୁଦ୍ର ବ୍ୟବସାୟୀଙ୍କୁ ଆଶ୍ବସ୍ତି । ଜିଏସ୍‌ଟି ଅନିୟମିତତା ପାଇଁ ଆଉ କ୍ଷୁଦ୍ର ବ୍ୟବସାୟୀଙ୍କୁ ଲାଗିବନି ଅତିରିକ୍ତ ଜରିମାନା । ଜିଏସ୍‌ଟି ଆଇନର ଧାରା ୧୨୮ ଉପଧାରା ‘ଖ’କୁ କୋହଳ କରିଛନ୍ତି କେନ୍ଦ୍ର ସରକାର ।

ଜିଏସ୍‌ଟି ରିଟର୍ଣ୍ଣ ନିୟମିତ ନ ଦେଲେ ଏ ନେଇ ଥିଲା ଆର୍ଥିକ ଜରିମାନା ବ୍ୟବସ୍ଥା । ଯାହାକୁ ନେଇ ସର୍ବଭାରତୀୟ ବ୍ୟବସାୟୀ ସଂଘ କେନ୍ଦ୍ର ଅର୍ଥମନ୍ତ୍ରାଳୟକୁ ଅଭିଯୋଗ କରିଥିଲା । ଜିଏସ୍‌ଟି ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ସମ୍ପର୍କରେ ବ୍ୟବସାୟୀଙ୍କୁ ସଚେତନ କରାଯିବ । ଏ ନେଇ ଖୋଦ ଜିଏସ୍‌ଟି କମିଶନର ଆସନ୍ତାକାଲି ଉତ୍କଳ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍‌ରେ ଏକ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ କରିବେ ।

୨୦୧୭ ଜୁଲାଇରୁ ଜିଏସ୍‌ଟି ପ୍ରଚଳନ ହେବା ପରେ କ୍ଷୁଦ୍ର ବ୍ୟବସାୟୀଙ୍କ ଅନିୟମିତତା ନେଇ ସହଯୋଗ କରାଯିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ବ୍ୟବସାୟୀଙ୍କ ଉପରେ ବହୁ ଜରିମାନା ଓ ଆର୍ଥିକ ତଣ୍ଡ ଜିଏସଟି କର୍ତ୍ତୃପକ୍ଷ ବସାଇଥିଲେ । ଯାହାକୁ ନେଇ ବ୍ୟବସାୟୀ ମହଲରେ ୩ ବର୍ଷ ଧରି କ୍ଷୋଭ ରହିଥିଲା ।