ଆଜିଠାରୁ ଆରମ୍ଭ ୩ ଦିନିଆ ଡିଜିପି ସମ୍ମିଳନୀ , ସାମିଲ ହେବେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

ଭୁବନେଶ୍ବର : ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ତିନି ଦିନିଆ ଡିଜିପି ସମ୍ମିଳନୀ। ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ। ଆଜି ଅପରାହ୍ନ ୪ ଟା ୨୫ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ରାଜଭବନରେ କିଛି ସମୟ ବିଶ୍ରାମ ପରେ ଅପରାହ୍ନ ୬ଟା ୨୦ରେ ରାଜଭବନରୁ ବିଜେପି କାର୍ଯ୍ୟାଳୟରେ ପହଞ୍ଚିବେ । ଗସ୍ତର ଦ୍ଵିତୀୟ ଦିନରେ ମୋଦି ସକାଳ ୮ ଟା ୨୫ ରେ ଲୋକସେବା ଭବନ କନଭେନସନ ସେଣ୍ଟରରେ ପହଞ୍ଚି ଡିଜିପି ଓ ଆଇଜିପି ସମ୍ମିଳନୀରେ ଯୋଗଦେବେ। ସେହିପରି ଗସ୍ତର ତୃତୀୟ ଦିନ ଅର୍ଥାତ ଡିସେମ୍ବର ୧ ତାରିଖରେ ଡିଜିପି ସମ୍ମିଳନୀରେ ଯୋଗଦେଇ ଅପରାହ୍ନ ୪ ଟା ୪୫ରେ ଦିଲ୍ଲୀ ଫେରିଯିବେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସମେତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଆଜି ଡିଜିପି ସମ୍ମିଳନୀକୁ ଉଦଘାଟନ କରିବେ ଗୃହମନ୍ତ୍ରୀ । ସନ୍ଧ୍ୟା ଆଠଟା ପର୍ଯ୍ୟନ୍ତ ଡିଜିପି ସମ୍ମିଳନୀରେ ରହିବେ ଗୃହମନ୍ତ୍ରୀ। ସେହିପରି ୩୦ ଓ ଡିସେମ୍ବର ୧ ତାରିଖରେ ମଧ୍ୟ ଗୃହମନ୍ତ୍ରୀ ଡିଜିପି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ଵର ରହିବ। ଭୁବେନଶ୍ଵରରେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିବେ। ରାଜ୍ୟ ପୋଲିସ, ସଶସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ବଳ ମୁତୟନ ହୋଇଛନ୍ତି। ସୁରକ୍ଷା ପାଇଁ ଆଣ୍ଟି ଟେରର ଫୋର୍ସ ସଜାଗ ରହିବେ। ରାଜ୍ୟ ଓ କେନ୍ଦ୍ର ଗୁଇନ୍ଦା ସଂସ୍ଥା ରାଜଧାନୀ ଉପରେ କଡ଼ା ନଜର ରଖିବେ ବୋଲି ପୋଲିସ କମିଶନର କହିଛନ୍ତି।