ରାସ୍ତାରେ ଫସିରହୁଛି ଜରୁରୀକାଳୀନ ଗାଡି, ଭୁବନରେ ଅସହ୍ଯ ହେଲାଣି ଟ୍ରାଫିକ ସମସ୍ଯା

ନନ୍ଦିଘୋଷ ବ୍ୟୁରୋ: ଭୁବନରେ ଅସହ୍ଯ ହେଲାଣି ଟ୍ରାଫିକ ସମସ୍ଯା । ରାସ୍ତାରେ ଫସିରହୁଛି ଜରୁରୀକାଳୀନ ଗାଡି । ରଗଡ଼ି ଛକରୁ କାଳୀ ବଜାର ଦେଇ ଯାଇଥିବା ଭୁବନର ସହରର ମୁଖ୍ୟ ରାସ୍ତା ଦୀର୍ଘଦିନ ଧରି ପ୍ରଶସ୍ତ କରାଯାଇନାହିଁ । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଭାରିଯାନ ଚଳାଚଳ କରୁଛି । ଫଳରେ ଟ୍ରାଫିକ ସମସ୍ଯା ଉପୁଜୁଛି । ଅନେକ ସମୟରେ ଦୁର୍ଘଟଣା ଘଟୁଥିବାରୁ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ଢେଙ୍କାନାଳରୁ ଭୁବନକୁ ସଂଯୋଗ କରୁଥିବା ରଗଡ଼ି ଠାରୁ କାଳୀ ବଜାର ପୂର୍ତ୍ତ ବିଭାଗ ରାସ୍ତାଟି ଭୁବନ ସହର ଦେଇ ଯାଇଛି । ହେଲେ ଦୀର୍ଘ ବର୍ଷ ଧରି ରାସ୍ତାର ସମ୍ପ୍ରସାରଣ କରାଯାଇନାହିଁ । ଏଥି ସହିତ ଭୁବନ ନୀଳକଣ୍ଠପୁର ବ୍ରାହ୍ମଣୀ ନଦୀରେ ବାଜି ରାଉତ ସେତୁ ହେବା ପର ଠାରୁ ଢେଙ୍କାନାଳ ଓ କଟକକୁ ଲୋକ ଏହି ରାସ୍ତା ଦେଇ ଯାଉଛନ୍ତି । ପୂର୍ବରୁ ଡ଼ୁବୁରୀ ଚଣ୍ଡିଖୋଲ ଦେଇ କଟକ ଯାଉଥିବା ଓ କାମାକ୍ଷାନଗର ଦେଇ ଢେଙ୍କାନାଳ ଯାଉଥିବା ଗାଡ଼ି ସବୁ ଭୁବନ ସହର ଦେଇ ଏହି ରାସ୍ତାରେ ଯାଉଛନ୍ତି । ତାଳଚେର ଠାରୁ ଡ଼ୁବୁରୀ ଦେଇ ଯାଉଥିବା ଲୁହାପଥର , କୋଇଲା ଓ କ୍ରୋମାଇଟ୍ ବୋଝେଇ ଭାରି ଯାନ ଗୁଡିକ ମଧ୍ଯ ଏହି ରାସ୍ତାରେ ଯାଉଛନ୍ତି । ଯାହା ଫଳରେ ଅନେକ ସମୟରେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଗାଡି ଅଟକିବା ସହିତ ଆମ୍ବୁଲାନ୍ସ ମଧ୍ୟ ଅଟକି ଯାଉଛି । ଏଥିସହିତ ଅନେକ ଥର ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନି ଘଟିଲାଣି । ସ୍କୁଲ କଲେଜ ପିଲାମାନେ ମଧ୍ୟ ବିପଦପୂର୍ଣ୍ଣ ଭାବରେ ଯିବା ଆସିବା କରୁଛନ୍ତି।  ଯାହାକି ଏବେ ଭୁବନ ବାସିନ୍ଦାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ଭୁବନ ସହର ମଧ୍ୟ ଦେଇ ଦୈନିକ ଶହ ଶହ ଭାରି ଯାନ ଚଳାଚଳ କରୁଛି । ଯାହା ପାଇଁ ସାଧାରଣ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ରଗଡ଼ି ଛକଠାରୁ ଭୁବନ ଜାତୀୟ ରାଜପଥ ୫୩ ସଂଯୋଗ କରୁଥିବା ରାସ୍ତାରେ ଆଉ ଏକ ବାଇପାସ ରାସ୍ତା ନିର୍ମାଣ ଓ ରଗଡି ଛକ ଠାରେ ନୋ ଏଣ୍ଟ୍ରି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ସେପଟେ ଏହି ବିଷୟରେ ଅନୁଧ୍ୟାନ କରିବା ସହିତ ନୋ ଏଣ୍ଟ୍ରି କରିବା ପାଇଁ ବିଭିନ୍ନ ଦିଗକୁ ବିଚାରକୁ ନିଆଯିବ ବୋଲି କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ।