ଗାଁକୁ ନାହିଁ ରାସ୍ତା, ଜମି ହୁଡ଼ାରେ ଯାତାୟତ କରୁଛନ୍ତି ଲୋକେ

ଗଜପତି : ରାସ୍ତା ନଥିବାରୁ ସାତସପନ ପାଲଟିଛି ଗାଁର ବିକାଶ । ଚାଷ କ୍ଷେତ ମଧ୍ୟରେ ଓଣ ଓସାରିଆ କଚ୍ଚା ପାଦଚଲା ରାସ୍ତାରେ ଯାତାୟତ କରୁଛନ୍ତି ଲୋକେ । ଏକ ପ୍ରକାର ଅଭିଶପ୍ତ ଜୀବନ ବିତାଉଛନ୍ତି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଘୁରୁଣି ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପୁର ଗାଁ ଲୋକେ। ରାଜସ୍ଵ ଗ୍ରାମ ହୋଇଥିଲେ ମଧ୍ୟ ଦୀର୍ଘ ଦିନର ଦାବି ପରେ ଗାଁକୁ ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ । ରାସ୍ତା ନଥିବାରୁ ଜମି ହୁଡ଼ା ହିଁ ଯାତାୟତର ଏକମାତ୍ର ମାଧ୍ୟମ ପାଲଟିଛି । ବର୍ଷାଦିନେ ଗ୍ରାମବାସୀଙ୍କ ସମସ୍ୟା ବଢ଼ିଯାଏ। ରୋଗୀ ଚିକିତ୍ସା ପାଇଁ, ଗର୍ଭବତୀଙ୍କୁ ହସ୍ପିଟାଲ ନେବାକୁ ଅବା ପଞ୍ଚାୟତ ତଥା ବ୍ଲକ କାର୍ଯ୍ୟାଳୟକୁ ଯିବାକୁ ହେଲେ ଏହି ଜମି ହୁଡ଼ାରେ ଏକ କିଲୋଟମିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାଯାଏ ଯିବାକୁ ପଡ଼େ । ବର୍ଷା ଦିନେ ଛାତ୍ରଛାତ୍ରୀଙ୍କୁ ପାଖ ଗାଁ ସ୍କୁଲକୁ ଯିବା ଏକପ୍ରକାର ଠପ୍ ହୋଇଯାଏ । ବାରମ୍ବାର ଅଭିଯୋଗ ପରେ ପ୍ରଶାସନର ଅବହେଳା ପାଇଁ ଏଯାଏଁ ରାସ୍ତା ନିର୍ମାଣ ହୋଇ ପାରିନାହିଁ ରାସ୍ତା। ଫଳରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ ।

ଲକ୍ଷ୍ମୀପୁର ଗାଁର ରାସ୍ତାକୁ ଅବରୋଧ କରି ଘେରି ରହିଥିବା ଚାଷ ଜମି । ଯାହା ରାସ୍ତା ନିର୍ମାଣର ବାଧକ ସାଜିଛି । ଅଧିକାଂଶ ଜମି ଛତ୍ରପୁର ଗ୍ରାମବାସୀଙ୍କ ହୋଇଥିବା ବେଳେ ଅଳ୍ପ କିଛି ଜମି ଲକ୍ଷ୍ମୀପୁର ଗ୍ରାମବାସୀଙ୍କର । ରାସ୍ତା ନିର୍ମାଣ ପାଇଁ ଜମି ମାଲିକ ଜମି ଛାଡୁ ନଥିବା ବେଳେ ସମାଧାନ ପାଇଁ ପ୍ରସାସନିକ ସ୍ତରେ କୌଣସି ଉଦ୍ୟମ ହେଉନାହିଁ। ଫଳରେ ଗାଁକୁ ରାସ୍ତା ନିର୍ମାଣ ସମ୍ଭବପର ହୋଇପାରିନାହିଁ । ଏହାର ସମାଧାନ ନିମନ୍ତେ ବ୍ଲକ ପ୍ରଶାସନ ତଥା ଜନ ପ୍ରତିନିଧି ହସ୍ତକ୍ଷେପ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ସେପଟେ ନୂତନ ଭାବେ ଦାୟିତ୍ଵ ନେଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉଦ୍ୟମ କରିବେ ବୋଲି କହିଛନ୍ତି । ଗାଁକୁ ରାସ୍ତା ନଥିବାରୁ ଗାଁର ବିକାଶ ସାତସପନ ପାଲଟିଛି । ବିଭିନ୍ନ ସ୍ତରରେ ଉଦ୍ୟମ କରି ଲକ୍ଷ୍ମୀପୁରବାସୀ ହାର ମାନିନେଇଥିବା ବେଳେ ପ୍ରଶାସନ କେବେ ଦୃଷ୍ଟି ଦେଉଛି, କେବେ ରାସ୍ତା ନିର୍ମାଣ ହୋଇପାରୁଛି, ତାକୁ ଦେଖିବାକୁ ବାକିରହିଲା ।